ଚାଷ କାମ ପାଇଁ ନଦୀ ଓ କେନାଲରେ ପାଣି ଆସିଲା

ଚନ୍ଦ୍ରଶେଖରପୁର : କରୋନାକୁ ନେଇ ସବୁଆଡ଼େ ଲକ୍‌ଡାଉନ ଚାଲିଥିବା ବେଳେ ରାଜଧାନୀ ଉପକଣ୍ଠର କୃଷକମାନେ ନିଜ କ୍ଷେତ ପାଇଁ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିଲେ। ଏ ନେଇ ଏକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଫଳରେ ଜଳସେଚନ ବିଭାଗ (ଡେଲ୍‌ଟା) କର୍ତ୍ତୃପକ୍ଷ ଗୁରୁତ୍ବକୁ ଉପଲବ୍ଧ କରି ଗତକାଲି ବିଳମ୍ବିତ ରାତିରେ କୁଆଖାଇ ନଦୀ ଓ ଦୟାୱେଷ୍ଟ କେନାଲରେ ପାଣି ଛା‌ଡ଼ିଛନ୍ତି। ନଦୀ ଓ ନାଳ ଶୁଖିଲା ପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ କୂଅ ଓ ପୋଖରୀରେ ମଧ୍ୟ ପାଣି ଶୁଖିବାରେ ଲାଗିଥିଲା। ଆଖପାଖ ଅଞ୍ଚଳର ପୋଖରୀ ଓ କୂଅ ଉପରେ ଶତାଧିକ ଲୋକ ନିର୍ଭର କରି ଆସୁଥିଲେ। ବର୍ତମାନ ନଦୀରେ ପାଣି ଆସିବା ଫଳରେ ଧୀରେ ଧୀରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି।

ଆଜି ଦୟା ୱେଷ୍ଟ୍ କେନାଲରେ ପାଣି ଆସିବା ପରେ କେନାଲର ଦୁଇ ପାଖରେ ଥିବା ଚାଷ ଜମିରେ ପାଣି ମଡ଼ା କାର୍ଯ୍ୟ ଆରମ୍ଭ ହୋଇଛି। ପନିପରିବା ଚାଷ କରୁଥିବା ଚାଷୀମାନେ ଏପରି ଜଳସେଚନ ନେଇ ନିଜର ଖୁସିବ୍ୟକ୍ତ କରିଛନ୍ତି।

ରୋକଟ ପଠା, ଗୋପଟା ବିଲ ଓ କୁଆଖାଇ ପଠା ଜମିରେ ଚାଷ କରୁଥିବା ଶତାଧିକ ଚାଷୀ ନଦୀ ନାଳରେ ପାଣି ଆସିବା ପରେ ବେଶ୍‌ ଖୁସିବ୍ୟକ୍ତି କରିଛନ୍ତି। ମଞ୍ଚେଶ୍ବର ଅଞ୍ଚଳର କୃଷକ ବାବାଜୀ ବେହେରାଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଗ୍ରୀଷ୍ମ ପୂର୍ବରୁ କେନାଲରେ ପାଣି ଛଡ଼ା‌ଯାଇଥାଏ। ମାତ୍ର ଏଥର କରୋନା ପାଇଁ ବ୍ୟବସ୍ଥ‌ାରେ ବ୍ୟତିକ୍ରମ ଦେଖା ଦେଇଥିବାରୁ ଚାଷରେ ତାର ନିଶ୍ଚିତ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ରୋକଟ ଅଞ୍ଚଳର କୃଷକ ଅନନ୍ତନାରାୟଣ ବେଜଙ୍କ ସୂଚନା ଅନୁଯାୟୀ ଚାଷ ପାଇଁ ଆବଶ୍ୟକ ବିହନ ଓ ଅନ୍ୟାନ୍ୟ ସାମଗ୍ରୀ କରୋନା ପାଇଁ ଉଚିତ୍ ସମୟରେ ଉପଲବ୍ଧ ହୋଇ ନ ପାରିବାରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଛି। ସେଥିରେ ପୁଣି ଜଳ ଅଭାବ ମଧ୍ୟ ଚାଷୀର ମେରୁଦଣ୍ଡକୁ ଆଘାତ ପହଞ୍ଚାଇଛି। ବିଳମ୍ବରେ ହେଲେ ବି ଚାଷ ଏତେ‌ଟା ପଛେଇବ ନାହିଁ ବୋଲି ଆଶା ରଖୁଛୁ।

ବାରଙ୍ଗ, ଦାଢ଼ା, କଳାଝରୀ ଓ କଳାହାରଙ୍ଗ ଅଞ୍ଚଳର ଚାଷୀମାନେ ମଧ୍ୟ ଜଳସେଚନ ନେଇ ଚ‌ାଷକାର୍ଯ୍ୟରେ ସଫଳତା ପାଇବେ ବୋଲି ଆଶା ପ୍ରକାଟ କରିଛନ୍ତି।

ସମ୍ବନ୍ଧିତ ଖବର