ଖଣ୍ଡଗିରି: ବିଦ୍ୟୁତ୍ ମିଟର ଭଳି ବସିଛି ପାଣି ମିଟର। ଯେତିକି ବ୍ୟବହାର କରିବେ ସେତିକି ଆସିବ ବିଲ୍‌। ହେଲେ ଭୁବନେଶ୍ବରରେ ସ୍ଥିତି ବିଚିତ୍ର। କେଉଁଠି ନୂଆ ମିଟର ବସିଥିଲେ ବି ଚାଲୁନି, କେଉଁଠି ପୁରୁଣା‌ ମିଟରରେ ବିଲ୍‌ କେତେ ଉଠିଲା ଦିଶୁନି। ପୁରୁଣା ମିଟର ବଦଳା ଯାଉନି କି ଅଚଳ ନୂଆକୁ ସଜଡ଼ା ହେଉନି। ତେଣୁ ବିଲ୍‌ ମଧ୍ୟ ଆଦାୟ ହେଉନି। ଏକା ଥରକେ ମୋଟାଅଙ୍କର ବିଲ୍‌ ଆସିବା ଆଶଙ୍କାରେ ଏବେ ଉପ‌ଭୋକ୍ତାଙ୍କ ଦ୍ବନ୍ଦ୍ବ ବଢ଼ିଛି। ସାରା ଭୁବନେଶ୍ବରରେ ସ୍ଥିତି ଏଭଳି ରହିଛି। କିନ୍ତୁ ଖଣ୍ଡଗିରି ଅଞ୍ଚଳରେ ସ୍ଥିତି ଉତ୍କଟ ହୋଇଛି। ଏଠାକାର ଶହଶହ ଉପଭୋକ୍ତା ଚିନ୍ତାରେ ପଡ଼ି ୱାଟ୍‌କୋର ଦ୍ବାରସ୍ଥ ହୋଇଛନ୍ତି।

Advertisment

ଖଣ୍ଡଗିରିର ପିତାମ୍ବର ସ୍ବାଇଁ। ୩ ବର୍ଷ ତଳେ ତାଙ୍କ ଘରେ ପାଣି ମିଟର ଲାଗିଥିଲା। ୟୁନିଟ ପିଛା ୫ଟଙ୍କା ୨୯ ପଇସା ହିସାବରେ ପାଣିବିଲ୍‌ ଆଦାୟ କରିଯିବ ବୋଲି କୁହାଯାଇଥିଲା। ହେଲେ ମିଟର ବସିବାର ୨ ବର୍ଷ ପର୍ଯ୍ୟନ୍ତ ପାଣି ବିଲ୍‌ ନିୟମିତ ଆସିନଥିଲା। କେତେବେଳେ ୮ ମାସରେ ଥରେ ମିଟର ରିଡିଂ କରିବାକୁ ୱାଟକୋରୁ କର୍ମଚାରୀ ଆସିଲେ ତ କେବେ ୨ ମାସରେ ୩ଥର। ସେତେବେଳେ ସମସ୍ତଙ୍କ ଘରେ ମିଟର ଲାଗିଗଲେ ଆଉ ଏ ସମସ୍ୟା ହେବ ନାହିଁ ବୋଲି କୁହାଯାଉଥିଲା। ହେଲେ ୩ ବର୍ଷ ପରେ ବର୍ତ୍ତମାନ ସ୍ଥିତି ଓଲଟା ‌ହୋଇ ଯାଇଛି। ଏବେ ନୂଆ ମିଟର ବାହାରେ ରହୁଥିବାରୁ ସେଥିରେ ପାଣି ପଶି ଯାଉଛି। ଏହା ଭିତରେ ଥିବା ରିଡିଂ ଆଉ ଦେଖାଯାଉନାହିଁ। ଏବେ ରିଡିଂ ନେବାକୁ କର୍ମଚାରୀ ଆସୁଛନ୍ତି, ହେଲେ ରିଡିଂ ନନେଇ ମିଟର ବଦଳାଯିବ ବୋଲି କହି ଚାଲି ଯାଉଛନ୍ତି। ମାସ ମାସ ଧରି ଏମିତି ଚାଲିଛି। କେମିତି ବଦଳା ଯିବ, କାହା ପାଖକୁ ଗଲେ ହେବ, ସେନେଇ କିଛି ସୂଚନା ଦିଆଯାଉନାହିଁ। ବା‌ଧ୍ୟହୋଇ ଶ୍ରୀ ସ୍ବାଇଁ ୬ ମାସ ତଳେ ୱାଟ୍‌କୋ କାର୍ଯ୍ୟାଳୟ ଯାଇ ମିଟର ବଦଳାଇବା‌କୁ ଅନୁରୋଧ କରିଥିଲେ। ହେଲେ ଏଯାବତ୍‌ ତାଙ୍କ ମିଟର ବଦଳା ଯାଇନାହିଁ। ବିଲ୍‌ ବାକି ରହିଲେ ଦେୟ ପରିମାଣ ବଢ଼ିଯିବ ଓ ଜରିମାନାର ଆଶଙ୍କା ବି ରହିଛି। ତେଣୁ ଏକ ଆଭରେଜ୍‌ ବିଲ୍‌ ପ୍ରଦାନ କରିବାକୁ ୱାଟକୋ କର୍ମଚାରୀ ପରାମର୍ଶ ଦେଇଥିଲେ। ପରାମର୍ଶ ଆଧା‌ରରେ ନିୟମିତ ବିଲ୍‌ ଦେଇ ଆସୁଥିଲେ। ସେ ମଝିରେ ୨ ମାସ ଘରେ ନଥିଲେ ମଧ୍ୟ ତାଙ୍କୁ ଆଭରେଜ ବିଲ୍‌ ଦେବାକୁ ହୋଇଥିଲା।

ସେହିଭଳି କଳିଙ୍ଗବିହାର କେ-୪ ଅଞ୍ଚଳ‌ରେ ସମସ୍ତଙ୍କ ଘରେ ପାଣି ମିଟର ଲାଗିଲା। ମାତ୍ର ମମତା ମିଶ୍ରଙ୍କ ଘରେ ମିଟର ଲାଗିଲା ନାହିଁ। ପୁରୁଣା ମିଟରରେ ମଧ୍ୟ ପାଣି ବିଲ୍‌ ଦେବାରେ ସମସ୍ୟା ନାହିଁ ବୋଲି ୱାଟ୍‌କୋ ପକ୍ଷରୁ କୁହାଗଲା। ମାତ୍ର ୨୦୨୧ ମସିହା ପରଠା‌ରୁ ବାରମ୍ବାର ସେ ୱାଟକୋ କାର୍ଯ୍ୟାଳୟ ଦୌଡ଼ୁଥିଲେ ମଧ୍ୟ ତାଙ୍କର ନୂଆ ମିଟର ଲାଗୁନି କି ସେ ବିଲ୍‌ ଦେଉ ନାହାନ୍ତି। ଏମିତି‌ ୩ ବର୍ଷ ହୋଇଗଲାଣି। ସେ ଚାହିବା ପରେ ମଧ୍ୟ ବିଲ୍‌ ଦେଇ ପାରୁନାହାନ୍ତି। ଏଭଳି ସମୟରେ ‌ଯଦି ତାଙ୍କ ନିକଟକୁ ଏକା ସହିତ ଲକ୍ଷାଧିକ ଟଙ୍କାର ବିଲ୍‌ ଆସିବ, ତେବେ ସେ କ’ଣ କରିବେ ଭାବି ଚିନ୍ତାରେ ପଡ଼ି‌ଲେଣି। କାରଣ ସେ ଏକକାଳୀନ ଏତେ ଟଙ୍କା ଦେବାକୁ ସକ୍ଷମ ନୁହନ୍ତି। ଏଭଳି ଶହ ଶହ ଜଳ ଉପଭୋକ୍ତା ବାରଦୁଆର ହେଉଛନ୍ତି। ହେଲେ ଦାୟିତ୍ବରେ ଥିବା ଅଧିକାରୀଙ୍କଠାରୁ କିଛି ସହାନୁଭୂତି ମିଳୁନି। ବରଂ ସେମାନଙ୍କ ଉତ୍ତର କଟା ଘା’ରେ ଚୁନ ସଦୃଶ ହୋଇଛି। ଅଧିକାରୀ‌ ‌କହୁଛନ୍ତି, ‘‘ଏବେ ମଧ୍ୟ ନୂଆ ପାଣି ମିଟର ଲଗା ଚାଲିଛି। ଲୋକେ ବିଭିନ୍ନ ଆଳ ଦେଖାଇ ଏଡ଼ାଇବାକୁ ଚେଷ୍ଟା କରୁଥିବାରୁ ଏହାକୁ ସମ୍ପୁର୍ଣ୍ଣ କରାଯାଇ ପାରୁନାହିଁ। ସମସ୍ୟା‌ ଥିଲେ ଅଭିଯୋଗ ନମ୍ବର ୧୫୫୩୫୯ରେ ବାରମ୍ବାର ଅଭିଯୋଗ କରନ୍ତୁ। କିଏ ନା କିଏ କଥା ଶୁଣିବେ ନିଶ୍ଚୟ।’’ ସୂଚନାଯୋଗ୍ୟ ଯେ କେବଳ ଏଭଳି ମିଟର ରିଡିଂକୁ ନେଇ ସମସ୍ୟା ନାହିଁ, ବିଗତ ଦିନରେ ପାଣି ଆସୁନଥିଲେ ମଧ୍ୟ ମିଟର ଚାଲୁଥିବା ଅଭି‌ଯୋଗ ରହିଛି। ପୁଣି ତ୍ରୁଟିଯୁକ୍ତ ବିଲ୍ ଆସିବାର ବହୁ ଉଦାହରଣ ରହିଛି।