ବାଲିଅନ୍ତା : ଖରାଦିନ ଆସିବା ପୂର୍ବରୁ ରାଜଧାନୀବାସୀଙ୍କ ଜଳ ସଂକଟ ସମସ୍ୟାର ସମାଧାନ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୁଆଖାଇ ବ୍ରିଜ୍ଠାରୁ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ପାଖାପାଖି ଏକ କିମି ପର୍ଯ୍ୟନ୍ତ ୫ଫୁଟ୍ ଉଚ୍ଚତାରେ ବାଲିବନ୍ଧ ନିର୍ମାଣ ହୋଇଛି। ଗତବର୍ଷ ବାଲିଅନ୍ତା ଜଳସେଚନ ବିଭାଗ କୁଆଖାଇ ଓ କୁଶଭଦ୍ରା ନଦୀରେ ଅସ୍ଥାୟୀ ବାଲିବନ୍ଧ ପକାଇ ଜଳ ସଂରକ୍ଷଣ କରିଥିଲା। କିନ୍ତୁ ଚଳିତ ବର୍ଷ ଏହି ଦାୟିତ୍ବ ନେଇଛି ଜନସ୍ବାସ୍ଥ୍ୟ ବିଭାଗ। ଭୁବନେଶ୍ବର ମହାନଗର ନିଗମ ଅଧୀନ ପଳାସୁଣିସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ଏବର୍ଷ ଗ୍ରୀଷ୍ମଦିନ ପୂର୍ବରୁ ଉପରୋକ୍ତ ନଦୀଦ୍ବୟରେ ଜଳ ସଂରକ୍ଷଣ କରିବାକୁ ଯାଇ ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ପ୍ରତିବର୍ଷ ବାଲିବନ୍ଧରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାର ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଫାଇଲ୍ ତଳେ ଚାପି ରଖିଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାଜଧାନୀକୁ ଜଳ ଯୋଗାଣ ପାଇଁ ପ୍ରତିବର୍ଷ ଜଳସେଚନ ବିଭାଗ ବାଲିବନ୍ଧ ପକାଇଥାଏ। ପଳାସୁଣି ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ସଂଲଗ୍ନ ଇନ୍ଟେକ୍ ୱେଲ୍ ନିକଟରେ ଜଳ ସ୍ତର ହ୍ରାସ ପାଇବା ପୂର୍ବରୁ ଏହି ବାଲିବନ୍ଧ ପକାଯାଇଥାଏ। ବାଲିବନ୍ଧ ବାବଦରେ ବିପୁଳ ପରିମାଣର ସରକାରୀ ଅର୍ଥ ଖର୍ଚ୍ଚ କରାଯାଏ। ତଥାପି ରାଜଧାନୀର ଜଳ ସଂକଟ ସମସ୍ୟା ଦୂର ହୋଇପାରେନାହିଁ। ପୁଣି ବର୍ଷା ଦିନେ ବନ୍ୟା ଆସିଲେ ବାଲିବନ୍ଧ ଭାଙ୍ଗିଯାଏ। ବାଲିବନ୍ଧରେ ବିନିଯୋଗ ଅର୍ଥ ବନ୍ୟାରେ ଧୋଇ ହୋଇଯାଏ। ଏମିତି ବର୍ଷ ବର୍ଷ ଧରି ଚାଲିଛି। ଅଥଚ ପ୍ରସ୍ତାବିତ ଉଭୟ କୁଶଭଦ୍ରା ଓ କୁଆଖାଇର ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ ଉପରେ ସରକାର ଗୁରୁତ୍ବ ଦେଉନାହାନ୍ତି। କୁଆଖାଇ ଓ କୁଶଭଦ୍ରାରୁ ରାଜଧାନୀବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ନେଇ ଯେଉଁ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା, ତାହା ଏବେ ଜଳସେଚନ ବିଭାଗର ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ଜଳସେଚନ ବିଭାଗ ବ୍ୟାରେଜ୍ ନିର୍ମାଣ ଲକ୍ଷ୍ୟରୁ ଦୂରେଇ ଯାଉଥିବା ଅଭିଯୋଗ ହେଉଛି।
ବାଲିଅନ୍ତା କେନାଲ ସବ୍ଡିଭିଜନର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବ୍ୟାରେଜ୍ର ଡିଜାଇନ୍ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ମାର୍ଚ୍ଚ ମାସରୁ ପଡ଼ି ରହିଛି। ମୁଖ୍ୟଯନ୍ତ୍ରୀଙ୍କ ଦପ୍ତରରୁ ଡିଜାଇନ୍ ଫାଇଲ ଅନୁମୋଦନ ହେବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ ନିର୍ମାଣ ଲାଗି ବ୍ୟୟ ଅଟକଳ ହୋଇପାରିନାହିଁ। ଫଳରେ ଏହି ଦୀର୍ଘମିଆଦି ପ୍ରକଳ୍ପ ନିର୍ମାଣ ଲାଗି ଆବଶ୍ୟକ ଅର୍ଥ ମଂଜୁର ପାଇଁ ଫାଇଲ୍କୁ ସରକାରଙ୍କ ପାଖକୁ ପଠାଯାଇ ପାରୁନାହିଁ।