ଭୁବନେଶ୍ୱର: ଭୁବନେଶ୍ୱର ଓ ସହରତଳି ଅଞ୍ଚଳର ଜଳବନ୍ଦି ସମସ୍ୟା ଦୂର ପାଇଁ ବିସ୍ତୃତ ମାଷ୍ଟର୍ପ୍ଲାନ ପ୍ରସ୍ତୁତ ହୋଇଛି। ବିଶେଷ କରି ଗଙ୍ଗୁଆ ନାଳର ପୁନରୁଦ୍ଧାର ପାଇଁ ମାଷ୍ଟର୍ପ୍ଲାନ୍ ସରିଛି। ଏଥିସହ ବୁଢ଼ି, ଯୋକଝରି, ଚତରା, ରଙ୍ଗିଆ ଓ ଧନୁଆ ନାଳର ପୁନରୁଦ୍ଧାର କଥା ଚିନ୍ତା କରାଯାଇଛି। କିଛି ଜାଗାରେ ଅନୁଦାନ ବି ମଞ୍ଜୁର ହୋଇଛି। ଆଜି ବିଧାନସଭାରେ ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲିଖିତ ଉତ୍ତରରେ ଏହା ଦର୍ଶାଇଛନ୍ତି।
ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏକ ଅଣତାରକା ପ୍ରଶ୍ନରେ ପଚାରିଥିଲେ, ଭୁବନେଶ୍ବର ମହାନଗର ନିଗମ ସହ ଜଟଣୀ, ବାଲିଅନ୍ତା, ବାଲିପାଟଣା, ଖୋର୍ଦ୍ଧା, ପିପିଲି ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପାଦନ ନ ହେବା କାରଣରୁ ଏହି ଅଞ୍ଚଳରେ ଲୋକେ ଜଳବନ୍ଦି ହେଉଛନ୍ତି। ଉପରୋକ୍ତ ଅଞ୍ଚଳରେ ପ୍ରବାହିତ କେଉଁ କେଉଁ ପ୍ରାକୃତିକ ନାଳ ଓ ଝରଣାର ଜଳ ନିଷ୍କାସନ ପାଇଁ କି ପଦକ୍ଷେପ ନିଆଯାଉଛି? ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦର୍ଶାଇଥିଲେ, ନିୟମିତ ଭାବେ ଭୁବନେଶ୍ବର ମହାନଗର ନିଗମ ସହ ଜଟଣୀ, ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ୍ ଅଞ୍ଚଳ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହେଉଛି। ଭୁବନେଶ୍ବର ମହନଗର ନିଗମ ଦେଇ ପ୍ରାକୃତିକ ନାଳ ଗଙ୍ଗୁଆ, ବୁଢି ଓ ଏହାର ଉପନାଳଗୁଡ଼ିକ ପ୍ରବାହିତ ହେଉଛି। ସେହିଭଳି ଖୋର୍ଦ୍ଧା ବ୍ଲକ୍ ଦେଇ ଚତରା ନାଳ ଓ ଯୋକଝରି ନାଳ, ଜଟଣୀ ବ୍ଳକ୍ରେ ରଙ୍ଗିଆ ଓ ଝରିଆ ନାଳ, ବାଲିଅନ୍ତା ଓ ବାଲିପାଟଣା ଦେଇ ଧନୁଆ ନଦୀ ସହ ଏହାର ଶାଖା ନାଳ ୨, ୩, ୪, ୫, ୬, ୮, ୧୦, ୨୪, ୨୫, ୨୬, ୨୭ ଆଦି ପ୍ରବାହିତ ହେଉଛି।
ବିଧାନସଭାରେ ରାଜଧାନୀ ଓ ସହରତଳି ଅଞ୍ଚଳର ଜଳବନ୍ଦି ସମସ୍ୟା ପ୍ରସଙ୍ଗ
ବୁଢ଼ୀ, ଯୋକଝରି, ଚତରା, ରଙ୍ଗିଆ ଓ ଧନୁଆ ନାଳର ହେବ ପୁନରୁଦ୍ଧାର
ପୂର୍ବରୁ ଏ ଜଳବନ୍ଦି ସମସ୍ୟା ସମ୍ପର୍କରେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ନବକିଶୋର ମଲ୍ଲିକଙ୍କ ପତ୍ର ହସ୍ତଗତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ପ୍ରବାହିତ ହେଉଥିବା ବୁଢିନାଳର ଶେଷ ଭାଗର ପୁନରୁଦ୍ଧାର ପାଇଁ ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଟେଣ୍ଡର ପରେ ଏହି କାର୍ଯ୍ୟ ହେବ। ଚଳିତ ଆର୍ଥିକ ବର୍ଷରେ ଯୋକଝରି ନାଳର ପୁନରୁଦ୍ଧାର ପାଇଁ ୨.୨୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ଟେଣ୍ଡର କାର୍ଯ୍ୟ ହାତକୁ ନିଆଯିବ। ଚତରା ନାଳ ଓ ରଙ୍ଗିଆ ନାଳର ସର୍ବେକ୍ଷଣ କାର୍ଯ୍ୟ କରାଯାଉଛି। ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ ହେବା ପରେ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯାଇ ବୈଷୟିକ ପରାମର୍ଶ କମିଟିର ଅନୁମୋଦନକ୍ରମେ କାର୍ଯ୍ୟ ଆରମ୍ଭ କରାଯିବ। ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଥିବା ଧନୁଆର ଶାଖା ନାଳ ସଂଖ୍ୟା-୬ର ପୁନରୁଦ୍ଧାର ପାଇଁ ୨ କୋଟି ଟଙ୍କା ଓ ନାଳ ସଂଖ୍ୟା- ୨୫, ୨୬ ଓ ୨୭ର ପୁନରୁଦ୍ଧାର ପାଇଁ ୮୦ ଲକ୍ଷ ଟଙ୍କାର ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଛି। ଚଳିତ ଆର୍ଥିକ ବର୍ଷରେ ଏହାର ଅନୁମୋଦନ କରାଯାଇ କାର୍ଯ୍ୟ ହାତକୁ ନିଆଯିବ।