ଭୁବନେଶ୍ବର : ଭୁବନେଶ୍ବରକୁ ଜଳବନ୍ଦୀରୁ ରକ୍ଷା କରିବାକୁ ପାଇଁ ବିଏମ୍ସି ପକ୍ଷରୁ ଉଦ୍ୟମ ଚାଲିଛି। ଏବେ ରାଜଧାନୀର ଅନ୍ୟତମ ସମସ୍ୟା ୧୦ ନମ୍ବର ଡ୍ରେନ୍ର ଉନ୍ନତି ପାଇଁ ବମିଖାଲ ଅଞ୍ଚଳରେ କାମ ଚାଲିଛି। କିନ୍ତୁ ମୌସୁମୀ ବର୍ଷା ପୂର୍ବରୁ ଏହି କାମ ଶେଷ ହେବ ନାହିଁ ବୋଲି ଜଣାପଡ଼ିଛି। ଡ୍ରେନ୍ ଭିତରେ ବ୍ୟକ୍ତିଗତ ଜାଗା ଥିବା ନେଇ ବିଏମ୍ସିକୁ ଅବଗତ କରାଯାଇଛି। ଏହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଲେ, ନବୀକରଣ କାମ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଏମିତି ପରିସ୍ଥିତି ଉପୁଜିଲେ, ଏହି ଅଞ୍ଚଳ ଜଳମଗ୍ନ ହେବା ଥୟ ହୋଇଛି। ଜୟଦୁର୍ଗାନଗର, ଗାୟତ୍ରୀନଗର ଓ ଗୋବିନ୍ଦବିହାରର ୧୦ ହଜାରରୁ ଊର୍ଦ୍ଧ୍ବ ବାସିନ୍ଦା ନଳା ପାଣିରେ ଉବୁଟୁବୁ ହେବା ଆଶଙ୍କା ପ୍ରକାଶ ପାଇଛି।
୧୦ ନମ୍ବର ଡ୍ରେନ୍ ନୂଆପଲ୍ଲୀ ବାଲୁଙ୍କେଶ୍ୱର ପୋଖରୀରୁ ବାହାରି ନିକୋ ପାର୍କ, ୟୁନିଟ୍-୯, ସତ୍ୟନଗର ରେଲୱେ କଲ୍ଭର୍ଟ, ବମିଖାଲ, ବୈରାଗୀନଗର ଓ ଝାରପଡ଼ା ମହାଦେବନଗର ଦେଇ ଗଙ୍ଗୁଆ ନାଳରେ ମିଶିଛି। ଏବେ ବମିଖାଲ ଅଞ୍ଚଳରେ ଏହି ଡ୍ରେନ୍ରେ ୯୦୦ ମିଟର ଲମ୍ବର କଂକ୍ରିଟ କାନ୍ଥ ଓ କଲ୍ଭର୍ଟ ତିଆରି ହେଉଛି। କାନ୍ଥର ଉଚ୍ଚତା ୩ ମିଟର ହେବ। ୧୦ ସଂସ୍ଥାଙ୍କୁ ଏହି କାମର ଟେଣ୍ଡର୍ ଦିଆଯାଇଛି। ସମାନ୍ତରାଳ ଭାବେ କାମ ଚାଲିବ ଓ ଶୀଘ୍ର ସରିବ ବୋଲି ଯୋଜନା ହୋଇଛି। ହେଲେ ଏବେ ଏଭଳି କେଁ ବାହାରିବା ପରେ ବିଏମ୍ସିର ଅକଲ ଗୁଡ଼ୁମ୍ ହୋଇଛି। ସୂଚନାଯୋଗ୍ୟ, ବିଏମ୍ସି ନକ୍ସାରେ ଏହି ଡ୍ରେନ୍ର ଚଉଡ଼ା ୭ ମିଟର ରହିଛି। ହେଲେ ଏଠାରେ ଅନେକ ଜାଗାରେ ଜବରଦଖଲ ଯୋଗୁଁ ଓସାର କମି ଯାଇଛି। କାମ ଆରମ୍ଭ ହେବା ପୂର୍ବରୁ ଏଠାରେ ଏକ ସ୍କୁଲର ପାଚେରି ଓ କାନ୍ଥ ଭଙ୍ଗା ଯାଇଛି। ଏକ ଆପାର୍ଟମେଣ୍ଟ ଦ୍ବାରା ହୋଇଥିବା ଜବରଦଖଲ ମଧ୍ୟ ଉଚ୍ଛେଦ ହୋଇଛି।
ପୂର୍ବରୁ ଏହି ନଳାର କାନ୍ଥ ରାସ୍ତାଠାରୁ ନୀଚା ଥିବାରୁ ଅସରାଏ ବର୍ଷାରେ ଡ୍ରେନ୍ ପାଣି ବାହାରକୁ ଆସି ସମଗ୍ର ଅଞ୍ଚଳକୁ ଭସାଉଥିଲା। ତେଣୁ ଏହି କାନ୍ଥ ୨ ଫୁଟ୍ ଉଚ୍ଚା କରାଯାଇଥିଲା। ହେଲେ ଗତ ବର୍ଷ ତାହା ଭାଙ୍ଗିଗଲା। ରାସ୍ତା ମଧ୍ୟ ମଝିରେ ମଝିରେ ଦବି ଯାଇଛି। ନୂଆ ନିର୍ମାଣ କାମ ସରିବା ପୂର୍ବରୁ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ ଧସିଯିବା ଆଶଙ୍କା ରହିଛି ବୋଲି ଅଭିଯୋଗ କରିଛନ୍ତି ସୁନିଲ ଦାସ, ଯୋଗେଶ ବେହେରା ଓ ସୁଜିତ ପଟ୍ଟନାୟକ। ସେମାନେ କହିଛନ୍ତି ଯେ ବିଏମ୍ସିର ଦୃଷ୍ଟି ଆକର୍ଷଣ କରିବା ପରେ ବି ନାଳରୁ ଜବରଦଖଲ ଉଚ୍ଛେଦ ହେଉ ନାହିଁ। କାମ ହେବାର ବର୍ଷକ ପରେ ଭାଙ୍ଗି ଯାଉଛି। ଏବେ ୯ଶହ ମିଟର କାମ କରାଯାଉଛି। କିନ୍ତୁ ଜବରଦଖଲ ଉଚ୍ଛେଦ ପାଇଁ ସ୍ବତନ୍ତ୍ର ଯୋଜନା କରିନାହାନ୍ତି। ପ୍ରତ୍ୟେକ ଦିନ କେବଳ ମାପଚୁପ ଚାଲିଛି। ଏବେ କାହାର ବ୍ୟକ୍ତିଗତ ଜାଗା ନଳା ଭିତରେ ବାହାରିଲାଣି। ଏବେ କାମ ବନ୍ଦ ହେଲେ, ହଜାର ହଜାର ଲୋକ ସମସ୍ୟା ଭୋଗିବେ। ଏଥିପାଇଁ କିଏ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ବିଏମ୍ସି ଡ୍ରେନେଜ୍ ଉପବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଦାସ କହିଛନ୍ତି ଯେ ସୁରୁଖୁରୁରେ କାମ ଚାଲିଛି। ମୌସୁମୀ ବର୍ଷା ପୂର୍ବରୁ କାମ ସାରିବା ପାଇଁ ଉଦ୍ୟମ ହେଉଛି। ଯେଉଁଠି ବ୍ୟକ୍ତିଗତ ଜାଗା ଥିବା ନେଇ ଅଭିଯୋଗ ଆସିଛି, ସେଠାରେ ଜମି ଅଧିଗ୍ରହଣ ଯୋଜନା ରହିଛି। ତାହା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ଏଣୁ କୌଣସି ସସମ୍ୟା ହେବ ନାହିଁ ବୋଲି ସେ ନିଶ୍ଚିତ କରିଛନ୍ତି।