‌ଭୋଟ୍‌ କିଣାର ଗଳାବାଟ: ଚିଠାରେ ମିଳିବ ମାଛ, ମାଂସ ଓ ଶାଢ଼ି

ବାରଙ୍ଗ : ଭୋଟ କିଣିବାକୁ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀମାନେ ଗଳାବାଟ ତିଆରି କରିସାରିଛନ୍ତି। ଏବେଠୁ ବଣ୍ଟା ଆରମ୍ଭ ହେଲାଣି ଦୋକାନ ଚିଠା। ମାଛ, ମାଂସ ଓ ‌ଶାଢ଼ି ଦୋକାନ ଚିଠା ପ୍ରସ୍ତୁତ ହୋଇ ରଖାଗଲାଣି ଓ କିଛି କିଛି ବଣ୍ଟା ଆରମ୍ଭ ହେଲାଣି। ଭୋଟରମାନେ ଚିଠା ନେଇ ଦୋକାନକୁ ଯିବେ ଓ ଧାର୍ଯ୍ୟ ମୁତାବକ ଜିନିଷ ଧରି ଘରକୁ ଫେରିବେ। ସିଧାସଳଖ ଟଙ୍କା ବାଣ୍ଟିଲେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେବା ଆଶଙ୍କା ଥିବାରୁ ପ୍ରାର୍ଥୀମାନେ ଏହି ଅଭିନବ ବାଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ତେଣୁ ଏହି ଗଳାବାଟକୁ ନିର୍ବାଚନ କମିସନ କେମିତି ଜଗିବେ ଜଗନ୍ତୁ ବୋଲି ଚର୍ଚ୍ଚା ହେଉଛି।

ସୂଚନାନୁସାରେ ଏବେଠୁ ବାରଙ୍ଗ ଓ ତ୍ରିଶୁଳିଆ ବଜାରର କିଛି ମାଛ, ଖାସି, କୁକୁଡ଼ା ମାଂସ ବ୍ୟବସାୟୀଙ୍କୁ ବହିନା ଦିଆସରିଲାଣି। ସେହିଭଳି କିଛି ଶାଢ଼ି ଦୋକାନୀଙ୍କୁ ମଧ୍ୟ ଅଗ୍ରୀମ ଦିଆସରିଲାଣି। କୌଣସି ବ୍ୟକ୍ତି ଚିଠା ଦେଖାଇଲେ, ଦୋକାନୀ ତାଙ୍କୁ ପୂର୍ବ ବରାଦ ଅନୁସାରେ ଜିନିଷ ଦେବ ବୋଲି କଥା ଛିଡ଼ିଛି। ବଡ଼ କଥା ହେଉଛି ପରିବାରର ଭୋଟର ସଂଖ୍ୟାକୁ ଦେଖି ଚିଠା ତିଆରି ହୋଇଛି। ତେଣୁ କାହା ପାଇଁ କେଜିଏ ତ କାହା ପାଇଁ ୨ କେଜି ମାଛ ବା ମାଂସ ବରାଦ ହୋଇଛି। ସେହିଭଳି ମହିଳା ଭୋଟର ଅନୁସାରେ ମୁଣ୍ଡ ପିଛା ଗୋଟିଏ ଶାଢ଼ି ବରାଦ କରାଯାଇଛି। ଏମିତିକି କେହି ପିଲାଙ୍କ ପାଇଁ ପ୍ୟାଣ୍ଟ, ସାର୍ଟ ବି ଆଣିବା ବ୍ୟବସ୍ଥା କରାଯାଇଛି। ଦାମ୍‌ କଥା ବିଚାର ନକରି ମାଛ ଦୋକାନୀଙ୍କୁ ବଡ଼ ସାଇଜ୍‌ ଓ ଫ୍ରେସ୍‌ ମାଛ ଆଣିବାକୁ ବରାଦ ଦିଆଯାଇଥିବା ବେଳେ ଖାସି ମାଂସ ବେପାରୀଙ୍କୁ ଭଲ ଛେଳି ଆଣିବାକୁ କୁହାଯାଇଛି। ଭୋଟରମାନେ ଯେମିତି ଖୁସି ହେବେ, ସେମିତି ଜିନିଷ ଦେବାକୁ ଦୋକାନୀମାନଙ୍କୁ ତାଗିଦ୍ କରାଯାଇଛି। ତେଣୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ବାରଙ୍ଗ ଓ ତ୍ରିଶୁଳିଆ ବଜାରରେ ଆମିଷ ହାଟ ଭଲ ଚାଲିବ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ଶାଢ଼ି ବା ଡ୍ରେସ୍‌ ଦୋକାନୀଙ୍କ ପାଇଁ ରଜ ସାବିତ୍ରୀ ଋତୁ ଆସିଗଲା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର