ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି ଓ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘର ମିଳିତ ସହଯୋଗରେ ଆୟୋଜିତ ଶ୍ରମିକ ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ, ଅନ୍ୟ ରାଜ୍ୟମାନଙ୍କରେ ସାମ୍ବାଦିକମାନଙ୍କୁ ବହୁବିଧ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ସାମ୍ବାଦିକମାନଙ୍କୁ ଅନୁରୂପ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ଓ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସାମ୍ବାଦିକମାନେ ସଂଘବଦ୍ଧ ଭାବେ ଦାବି ହାସଲ କରିବା ସପକ୍ଷରେ ମତ ଦେଇଥିଲେ। ସାମ୍ବାଦିକମାନଙ୍କ ପାଇଁ ଏକାଧିକ ସଂଘ ସ୍ପୃହଣୀୟ ନୁହେଁ, ବର୍ତମାନ ଦାବି ହାସଲ ପାଇଁ ମିଳିମିଶି ଲଢ଼େଇ କରିବାର ଆବଶ୍ୟକତା ରହିଛି। ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକମାନଙ୍କର ଯାହା ବି ସମସ୍ୟା ରହିଛି ସେଥିପାଇଁ ଖବରକାଗଜ ମାଲିକ ଓ ସରକାରଙ୍କ ଅପେକ୍ଷା ସାମ୍ବାଦିକମାନେ ଅଧିକ ଦାୟୀ, ତେବେ ଖବରକାଗଜ ସଂସ୍ଥା ମଧ୍ୟ ସେମାନଙ୍କ ମୌଳିକ ଆଦର୍ଶ ଓ ସମସ୍ୟା ସମ୍ପର୍କରେ ସଚେତନ ନୁହନ୍ତି। ରାଜ୍ୟରେ ଅଦ୍ୟାବଧି ସାମ୍ବାଦିକ ଚିହ୍ନଟ ସମ୍ଭବ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏହାକୁ ସଂଘମାନେ ଆହ୍ଵାନ ଭାବେ ଗ୍ରହଣ କରିବା ଉଚିତ। ବିଶିଷ୍ଟ ଅତିଥି ସାଂସଦ ପ୍ରଶାନ୍ତ ନନ୍ଦ ରାଜ୍ୟରେ ସାମ୍ବାଦିକମାନଙ୍କର ଯୁକ୍ତିଯୁକ୍ତ ସମସ୍ୟାକୁ ସମର୍ଥନ କରିବା ସହିତ ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ତିର୍ତ୍ତୋଲ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉଦ୍ବୋଧନ ଦେଇ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ଉପରେ ସମର୍ଥନ ଜ୍ଞାପନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ସଂଘର ପୂର୍ବତନ ସଭାପତି ମହେଶ୍ୱର ମୂଳିଆ, ପୂର୍ବତନ ସମ୍ପାଦକ ଡ. ସତ୍ୟ ରାୟ, ମୁରଲୀଧର ସାମଲ, ବରିଷ୍ଠ ସାମ୍ବାଦିକ ପପୁ ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସଂଘର ସଭାପତି ଶ୍ରୀ କର ସଂଘ ପକ୍ଷରୁ ମୁଖ୍ୟଅତିଥି ତଥା ମନ୍ତ୍ରୀ ଶ୍ରୀ ଜେନା, ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ, ସାଂସଦ ଶ୍ରୀ ନନ୍ଦ ଓ ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ମେୟର ଅନନ୍ତ ନାରାୟଣ ଜେନା ଓ ବିଧାୟକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ। ଉତ୍ସବକୁ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ପରିଚାଳନା କରିଥିଲା ବେଳେ ଜିତୁ ସାହୁ, ଲିଙ୍ଗରାଜ ସାହୁ, ନୃସିଂହ ଚରଣ ମହାପାତ୍ର, ସମ୍ବିତ୍ ଦାସ, ଭରତ ବେହେରା ପ୍ରମୁଖ ସହାୟତା କରିଥିଲେ ।