ଭୁବନେଶ୍ବର: ‘ଆମେ ଲୋକାଲ୍ ଟୋକା। ଆମ ଗାଡ଼ିରେ ଆଗ ପେଟ୍ରୋଲ୍ ପଡ଼ିବ। ଆମକୁ ନିୟମ ପଢ଼ାନି। ଗୋଟିଏ ତଳେ ପଡ଼ିବନି।’ ଏହା ଥିଲା ବୋଲି। ବାସ୍ ଏହାପରେ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ସ୍ବାଇପ୍ ମେସିନ୍ ଭାଙ୍ଗିଲେ। ଇଟା, ପଥର ଫୋପାଡ଼ି କାର୍ଯ୍ୟାଳୟ କାଚ ଭାଙ୍ଗିଲେ। ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଥିବା ବ୍ୟାରିକେଡ୍କୁ ତଳେ କଚାଡ଼ି ଭାଙ୍ଗି ପକାଇଲେ। କେବଳ ସେତିକି ନୁହେଁ, ପେଟ୍ରୋଲ ପକାଇବାକୁ ଆସିଥିବା ଗ୍ରାହକମାନଙ୍କୁ ବି ଛାଡ଼ିଲେ ନାହିଁ। କାହା ଗାଡ଼ିକୁ ଗୋଇଠା ମାରିଲେ ତ କାହା ଗାଡ଼ିକୁ ଠେଲି ସେଠାରୁ ତଡ଼ିଲେ। ସେତିକିରେ ମନ ବୁଝିଲାନି ଯେ ଗୋଟିଏ ଟାଟା ଏସ୍ ଗାଡ଼ି ଆଗ କାଚ ଭାଙ୍ଗି ଚୁନା କରିଦେଲେ। ପ୍ରାୟ ଅଧ ଘଣ୍ଟା କାଳ ଏମିତି ଉନ୍ମତ୍ତକାଣ୍ଡ କରି ଛିନ୍ନଛତ୍ର କରିବା ପରେ ସେଠାରୁ ପଳାଇଲେ।
ଗତ ମଙ୍ଗଳବାର ରାତିରେ କଟକରୋଡ୍ସ୍ଥିତ ଏକ ପେଟ୍ରୋଲ ପମ୍ପରେ କିଛି କଲେଜ ଛାତ୍ର ଏଭଳି କାଣ୍ଡ ଭିଆଇଥିଲେ। ଏହି ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି। ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇବା ପରେ ବାଳସୁଧାର ଗୃହକୁ ପଠାଇଦିଆଯାଇଛି। କୋର୍ଟରେ ଜାମିନ ଖାରଜ ହେବା ପରେ ଝାରପଡ଼ା ଜେଲ୍ ହାଜତକୁ ଯାଇଥିବା ଅଭିଯୁକ୍ତମାନେ ହେଲେ ଝାରପଡ଼ା ଅଞ୍ଚଳର ସନ୍ତୋଷ କୁମାର ବଳ(୧୯), ବଡ଼ଗଡ଼ ଅଞ୍ଚଳର ଦେବାଶିଷ ବେହେରା(୧୯) ଓ ଜୟ ପ୍ରକାଶ ଦଳେଇ(୨୦)। ଏମାନେ ସମସ୍ତେ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ଛାତ୍ର ବୋଲି ପୁଲିସ ସୂଚନା ଦେଇଛି।
ପେଟ୍ରୋଲ୍ ପମ୍ପ୍ରେ କଲେଜପିଲାଙ୍କ ଲଙ୍କାକାଣ୍ଡ
ଜେଲ୍ ହାଜତରେ ୩, ବାଳସୁଧାର ଗୃହ ଗଲା ନାବାଳକ
ପୁଲିସ ସୂଚନାନୁସାରେ ଘଟଣା ଦିନ ଅଭିଯୁକ୍ତ ସନ୍ ତୋଷ ଓ ତା’ର ଜଣେ ସାଙ୍ଗ କଟକରୋଡ୍ସ୍ଥିତ ଜ୍ୟୋତି ପେଟ୍ରୋଲ ପମ୍ପକୁ ଯାଇଥିଲେ। ପେଟ୍ରୋଲ ପମ୍ପ୍ର କର୍ମଚାରୀ ତାଙ୍କୁ ଲାଇନ୍ରେ ଆସିବାକୁ କହିଥିଲେ। ଏତିକିରେ ସେମାନଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ଲୋକାଲ୍ ପିଲା କହି କର୍ମଚାରୀଜଣଙ୍କୁ ଧମକ ଦେଲେ। ପାଟିତୁଣ୍ଡ ଶୁଣି ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ବୁଝାସୁଝା କରି ଧାଡ଼ିରେ ରହିବାକୁ କହିଥିଲେ। ଏହା ସେମାନଙ୍କୁ ଆହୁରି ବାଧିଥିଲା। ଫୋନ୍ କରି ସାଙ୍ଗମାନଙ୍କୁ ଡକାଇଲେ। ମାତ୍ର କେଇ ମିନିଟ୍ରେ ପହଞ୍ଚିଗଲେ ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଓ ଜୟପ୍ରକାଶ। ତା’ ପରେ ଆରମ୍ଭ ହୋଇଗଲା ତୁମୁଳକାଣ୍ଡ। ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଭଙ୍ଗାରୁଜା ମାର୍ପିଟି କରିଚାଲିଲେ। କିଛି ଲୋକ ପିସିଆର୍କୁ ଫୋନ୍ କରିବା ଦେଖି ସେମାନେ ପଳାଇଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା।