ବ୍ୟକ୍ତିଗତ ସୁଖଶାନ୍ତି ଓ ଘର ପରିବାରକୁ ପଛରେ ପକାଇ ଶକ୍ତିଶାଳୀ ବିଦେଶୀ ଶକ୍ତି ବିରୋଧରେ ସଂଗ୍ରାମ କରି ଦେଶକୁ ସ୍ବାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଆମେ କେତେ କୃତଜ୍ଞ, ସେମାନଙ୍କୁ ଆମେ କେତେ ସମ୍ମାନ ଦେଉ, ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ଥାପନ କରା ଯାଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତିକୁ ଦେଖିଲେ ସହଜରେ ବୁଝିହେବ। ଉଦାହରଣସ୍ବରୂପ ନିକଟ ଅତୀତରେ କଳ୍ପନାଛକ ସ୍ଥିତ ଭଞ୍ଜକଳା ମଣ୍ଡପ ସାମ୍ନାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅଳିଆଗଦାରେ ଅବହେଳିତ ହୋଇ ପଡ଼ିଥିବା ଖବର ଚର୍ଚ୍ଚିତ ହୋଇଥିଲା। ଖବର ପ୍ରକାଶିତ ହେବାପରେ କିଛି ବୁଦ୍ଧିଜୀବୀ ଏହାର ଦୃଢ ବିରୋଧ କରିଥିଲେ। ମୂର୍ତ୍ତିକୁ ଲୁଚାଇବାଲାଗି ତା’ ଚାରିପଟେ କପଡା ଗୁଡ଼ାଇ ଦିଆ ଯାଇଥିଲା। ବର୍ତ୍ତମାନ ସେ କପଡା ଚିରିଯାଇ ପୁଣି ନେତାଜୀଙ୍କ ମୂର୍ତ୍ତି ବାହାରକୁ ଦେଖା ଗଲାଣି।
ସେହିପରି ଷ୍ଟେସନ ସାମ୍ନାରେ ଥିବା ପଣ୍ଡିତ ଜବାହରଲାଲ ନେହରୁ ଓ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅଲୋଡ଼ା ପରିବେଶରେ ରହିଛି। ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡ଼ି ଯାଇଥିବା ବେଳେ ପିଣ୍ଡି ଫାଟି ଗଲାଣି। ଚାରିପଟ ନିୟମିତ ସଫେଇ ହେଉନାହିଁ। କେବଳ ସେତିକି ନୁହେଁ, ସେ ସ୍ଥଳଦୁଇଟି ବାରବୁଲା ଲୋକ ଓ ଅସାମାଜିକ ଲୋକଙ୍କ ବସାଉଠାର ସ୍ଥାନ ପାଲଟି ଗଲାଣି। ରାଜଧାନୀର ବାଭିନ୍ନ ସ୍ଥାନରେ ଏମିତି ମାଳମାଳ ଉଦାହରଣ ରହିଛି। ସମସ୍ତେ ଏହାକୁ ପ୍ରତିଦିନ ଦେଖୁଛନ୍ତି। କିନ୍ତୁ କିଛି ବଦଳୁନାହିଁ। କେବେ କେମିତି ଖବରକାଗଜରେ ଅବହେଳିତ ପ୍ରତିମୂର୍ତ୍ତିର ଫଟୋ ପ୍ରକାଶିତ ହେଲେ, ଦିନେ ଦୁଇଦିନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଦଳର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ତା’କୁ ନେଇ ଆଲୋଚନା କରୁଛନ୍ତି। ତା’ପରେ ଭୁଲି ଯାଉଛନ୍ତି। ଜୟଦେବବିହାର ଓ ଆଚାର୍ଯ୍ୟବିହାର ମଝିରେ ୪ ନମ୍ବର ଡ୍ରେନ ପାଖରେ ମଧ୍ୟ ଅଧାପୋତା ଅବସ୍ଥାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଅତୀତରେ ଏକାଧିକ ଥର ଆଲୋଚନା ହୋଇଛି ସାମାଜିକ ଗଣମାଧ୍ୟମରେ। ଖବରକାଗଜ ପୃଷ୍ଠାରେ ମଧ୍ୟ ପ୍ରକାଶିତ ହୋଇଛି। ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ସେ ପ୍ରତିମୂର୍ତ୍ତିକୁ ହଟା ଯାଇନାହିଁ।
ଦାୟିତ୍ବରେ ଥିବା ଅଧିକାରୀମାନେ ସେ ଦିଗରେ ଆଦୌ ମୁଣ୍ଡଖେଳାଇ ନାହାନ୍ତି। ଅନେକ ଲୋକ ମତ ଦେଇଛନ୍ତି ଯେ ଯଦି ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ସମ୍ଭବ ନୁହେଁ, ତେବେ ଏ ପ୍ରତିମୂର୍ତ୍ତି ମୂଳରୁ ସ୍ଥାପନ କରାଯିବା ଉଚିତ ନୁହେଁ। ପ୍ରତିମୂର୍ତ୍ତି ଅନାବରଣ କରି ବା ଫିତାକାଟି ଫଟୋ ଉଠାଇବାଲାଗି କୌଣସି ନେତା ବା ବଡ଼ ଅଧିକାରୀଙ୍କ ସାମୟିକ ସୁଖ ପାଇଁ ବରପୁତ୍ରମାନଙ୍କର ଏ ସ୍ଥାୟୀ ଅସମ୍ମାନ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।