ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ କେବଳ ଅତ୍ୟାଧୁନିକ କୋଠାବାଡ଼ି, ସରଞ୍ଜାମକୁ ନେଇ ହୋଇନଥାଏ। ଏହା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରତିଷ୍ଠା ହୋଇଥାଏ। ବର୍ତ୍ତମାନ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଭିଭାବକମାନଙ୍କ ବିଶ୍ୱାସଭାଜନ ହୋଇପାରୁନାହିଁ। ଫଳସ୍ୱରୂପ ଅଧିକାଂଶ ଛାତ୍ରଛାତ୍ରୀ ବାହାରେ ରହି ପାଠ ପଢ଼ୁଛନ୍ତି। ଯାହା ଯୋଗୁଁ ଓଡ଼ିଶାରେ ବିଜ୍ଞ ଯୁବପିଢ଼ିଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ଆଗାମୀ ୧୧ ବର୍ଷରେ ବିକଶିତ ଓଡ଼ିଶା କରିବାକୁ ହେଲେ ଅନ୍ତତଃ ପକ୍ଷେ ନିଜେ ପାଠପଢ଼ି ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ କିଭଳି ସମୃଦ୍ଧ ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ। ଗିରୀଶ ଚନ୍ଦ୍ର ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହିତ ସ୍ୱର୍ଗତ ଗିରୀଶ ପଟ୍ଟନାୟକଙ୍କ ସ୍ମୃତିରେ କମିଟି ଦ୍ୱାରା ସଂକଳିତ ହୋଇଥିବା ପୁସ୍ତକକୁ ସବୁ ଶିକ୍ଷକ ପଢ଼ିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ କହିଲେ, ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା। ତେଣୁ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ଆବଶ୍ୟକ। ବିଶେଷ ଅତିଥି ପୂର୍ବତନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସ୍ୱର୍ଗତ ପଟ୍ଟନାୟକଙ୍କୁ ଜଣେ ଆଦର୍ଶ ଶିକ୍ଷକ ବୋଲି ଅଭିହିତ କରିଥିଲେ। ତାଙ୍କ ସହ ଥିବା ତାଙ୍କର ପାରିବାରିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ସଭାପତିତ୍ୱ କରି ତାଙ୍କୁ ପାଠପଢ଼ାର ସଠିକ ମନ୍ତ୍ର ଜଣାଥିଲା ବୋଲି କହିଥିଲେ। ପୂର୍ବତନ ପ୍ରାଶାସନିକ ଅଧିକାରୀ ଅରବିନ୍ଦ ବେହେରା ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ସେ ସବୁ ଶିକ୍ଷକଙ୍କ ଠାରୁ ଭିନ୍ନ ଥିଲେ ବୋଲି କହିଥିଲେ। ଏହି ଅବସରରେ ସେବା ନିବୃତ୍ତ ପ୍ରଧାନଶିକ୍ଷକ କୁଳମଣି ଶୁକ୍ଳଙ୍କୁ ‘ଗିରୀଶ ଚନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହିତ ପ୍ରବୀର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ପୁସ୍ତକ ‘ଏମିତି ଜଣେ ସାର ଥିଲେ’, ବି. ରାମଚନ୍ଦ୍ର ସିଏସ୍‌ଟି ଭୋଲଟେୟାରଙ୍କ ପୁସ୍ତକ ‘ଆମୋଫୋଇ-ଏଫ୍‌ପିଆଇ’ ଉନ୍ମୋଚିତ ହୋଇଥିଲା। ମଳୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବାବାଜୀ କୁମାର ବିବରଣୀ ପାଠ କରିଥିଲେ।