ଆମେ ଚାହୁଁ ନିଶାମୁକ୍ତ ଓଡ଼ିଶା

ନିଶା କବଳରୁ ମୁକୁଳି ପାରୁନି ରାଜ୍ୟ। ସଚେତନତା କାମ ଦେଉନି କି ରାଜ୍ୟକୁ ନିଶା ମୁକ୍ତ କରିବାରେ ସରକାରଙ୍କର ଆନ୍ତରିକତା ନାହିଁ। ଖାସ ଏଇଥି ପାଇଁ ରାଜ୍ୟ ନିଶା କବଳରୁ ମୁକୁଳି ପାରୁନି। ଏନେଇ ଅନେକ ସରକାରଙ୍କୁ ଦାୟୀ କରିଥିବା ବେଳେ ଅନେକ ବ୍ୟକ୍ତି ସ୍ତରରେ ସଚେତନତା ପାଇଁ ଲଢ଼ିବାକୁ ଆହ୍ଵାନ ଦେଇଛନ୍ତି। କିଛି ବ୍ୟକ୍ତିବିଶେଷ ବିହାରର ଉଦାହରଣ ଦେଇ ସରକାର ଏହାକୁ ଅନୁକରଣ କରନ୍ତୁ ବୋଲି କହିଥିବା ବେଳେ କିଛି ବ୍ୟକ୍ତି ଏଥିପାଇଁ ବେକାରୀ ସମସ୍ୟାକୁ ଦାୟୀ କରିଛନ୍ତି।

ରାଜନେତାଙ୍କ ସଂପର୍କୀୟଙ୍କ ନାମରେ ଚାଲିଛି ନିଶା କାରବାର

ଓଡ଼ିଶାର ଅନେକ ରାଜନେତାଙ୍କ ସଂପର୍କୀୟମାନେ ନିଶା କାରବାରରେ ସାମିଲ ରହୁଛନ୍ତି। ତା ସହିତ ନିଶା କାରବାର ନିର୍ବାଚନ ଜିତିବାର ଏକ ମାଧ୍ୟମ ପାଲଟିଛି। ଏହାକୁ ରାଜନେତାମାନେ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ଏହି କାରଣରୁ ଓଡ଼ିଶାରେ ସଂପୂର୍ଣ୍ଣ ରୂପେ ନିଶା କାରବାର ରୋକାଯାଇ ପାରୁନାହିଁ।

ରାଧାକୃଷ୍ଣ ସାମଲ, ବାଣପୁର

ରାଜସ୍ୱ କମିଯିବ ବୋଲି ସରକାରଙ୍କ ଆଗ୍ରହ ନାହିଁ

ନିଶା ନିବାରଣ ନହେବା ଦ୍ୱାରା ଲୋକମାନଙ୍କର ଅନେକ କ୍ଷତି ଘଟୁଛି। କିନ୍ତୁ ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଓଡ଼ିଶା ସଂପୂର୍ଣ୍ଣ ନିଶାମୁକ୍ତ ହେଲେ ରାଜସ୍ୱ କମିବା ସହିତ ଭୋଟ୍‌ ମଧ୍ୟ କମିବ। ସେଥିପାଇଁ ଓଡ଼ିଶାରୁ ନିଶା ନିବାରଣ ହେଉ ବୋଲି ସରକାର ଚାହୁଁନାହାନ୍ତି।

ଦେବାଶିଷ ସାହୁ, ନୟାଗଡ଼

ସରକାର ନିଶା କାରବାର ସଂପୂର୍ଣ୍ଣ ବନ୍ଦ କରନ୍ତୁ

ଓଡ଼ିଶାର ଅନେକ ଶିକ୍ଷିତ ଯୁବଗୋଷ୍ଠୀ ନିଶା ସେବନ କରି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ସରକାର ନିଶା ନିବାରଣ ପାଇଁ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କିନ୍ତୁ ସବୁଥିରେ ଫେଲ୍‌ ମାରୁଛନ୍ତି। ଏଥିପାଇଁ ସରକାର ଦାୟୀ। ଯଦି ଅବକାରୀ ବିଭାଗକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିିଦିଆଯିବ ତାହେଲେ ଆଉ ଓଡ଼ିଶାରେ ନିଶା କାରବାର ହେବ ନାହିଁ।

ଦିଲ୍ଲୀପ କୁମାର ସାମଲ, ନୟାଗଡ଼

ଶିକ୍ଷା ଅଭାବରୁ ମଦମୁକ୍ତ ସମାଜ ଗଢ଼ିବା ସମ୍ଭବ ନୁହେଁ

ଓଡ଼ିଶା ସରକାର ମାଦକ ଦ୍ରବ୍ୟ ବଢ଼ାଇବାରେ ବେଶି ଧ୍ୟାନ ଦେଉଛନ୍ତି। ପିଲାମାନଙ୍କ ଶିକ୍ଷା ଦିଗରେ କିନ୍ତୁ ସେତିକି ଗୁରୁତ୍ୱ ଦେଉନାହାନ୍ତି। ସେଥିପାଇଁ ଛୋଟଛୋଟ ପିଲାମାନେ ମଧ୍ୟ ନିଶା ଖାଇ ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳୁଛି। ରାଜସ୍ୱ ବଢ଼ାଇବା ଚିନ୍ତାରେ ସରକାର ଅନ୍ୟ ସମସ୍ତ ଦିଗ ପ୍ରତି ଆଖି ବୁଜିଦେଉଛନ୍ତି।

ପ୍ରଶାନ୍ତ କୁମାର ବେହେରା, ଯାଜପୁର

ମଦ ମୁକ୍ତ ଓଡ଼ିଶା ପାଇଁ ନିଜେ ଲଢ଼

ଆଜିକାଲି ଗଳିକନ୍ଦିରେ ଗଞ୍ଜେଇ, ମଦ ବିକ୍ରି ହେଉଥିବା ଦେଖାଯାଉଛି। ଏଥିପ୍ରତି ଲୋକମାନେ ଆଉ ସରକାର କେହି ବି ଚିନ୍ତିତ ନୁହନ୍ତି। ସରକାରଙ୍କୁ ଅପେକ୍ଷା ନକରି ନିଜେ ବିରୋଧ କଲେ ଯାଇ ଏହି ସମସ୍ୟାର ସମାଧାନ ହୋଇପାରିବ।

ପବନ କୁମାର ଅଗ୍ରଓ୍ଵାଲ, ରାଜାବଜାର, ଜଟଣୀ

ରାଜନୈତିକ ଚାପରେ ନିଶା ବନ୍ଦ ହୋଇପାରୁ ନାର୍ହିଁ

ଓଡ଼ିଶାରେ ରଜନୈତିକ ଚାପ ପାଇଁ ନିଶା କାରବାର ବନ୍ଦ ହୋଇପାରୁନାହିଁ। ଏଥିରେ ମନ୍ତ୍ରୀଙ୍କ ସହିତ ତାଙ୍କ ସଂପର୍କୀୟଙ୍କ ହାତ ରହୁଛି। ନିଶା କାରବାର ବାହାର ରାଜ୍ୟରେ ବନ୍ଦ ହେଲାଣି, କିନ୍ତୁ ଓଡ଼ିଶାରେ ବନ୍ଦ ହୋଇପାରୁନି। ଏହା ଏକ ଦୁଃଖର ବିଷୟ।

ଦୋଳଗୋବିନ୍ଦ ମହାନ୍ତି, ବ୍ରହ୍ମଗିରି, ଗଡ଼ରୋଡ଼ଙ୍ଗ

ବିହାରରେ ମଦ ବନ୍ଦ ହେଲାଣି, ଓଡ଼ିଶାରେ କେବେ?

ବିହାରରେ ଯଦି ମଦ ବନ୍ଦ ହୋଇପାରୁଛି ଓଡ଼ିଶାରେ କାହିଁକି ହେଉନି? ଓଡ଼ିଶା ସରକାର ଯଦି ଚେଷ୍ଟା କରନ୍ତେ, ତାହାଲେ ନିଶ୍ଚିତ ଭାବେ ମଦମୁକ୍ତ ରାଜ୍ୟ ଭାବେ ଓଡ଼ିଶା ପରିଚିତ ହୁଅନ୍ତା।

ବିକ୍ରମ ସିଂହ, ଭୁବନେଶ୍ୱର, ବଡ଼ଗଡ଼

ବେକାରୀ ସମସ୍ୟା ଥିବା ଯାଏଁ ନିଶା ନିବାରଣ ଅସମ୍ଭବ

ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ। ଫଳରେ ବହୁ ସମୟରେ ଯୁବପିଢ଼ି ଗୁୁଲିଖଟିରେ ମାତନ୍ତି। ଏଥିରୁ ହିଁ ଆରମ୍ଭ ହୁଏ ନିଶା ସେବନ। କିଛି ଯୁବକ ପ୍ରଥମେ ମନା କରନ୍ତି। ପରେପରେ ସେମାନେ ବି ଏହି ପଥରେ ସାମିଲ ହୁଅନ୍ତି। ଯେ ପର୍ଯ୍ୟନ୍ତ ବେକାରୀ ସମସ୍ୟା ରହିଛି ଓ ଗୁଲିଖଟି ରହିଛି ସେ ଯାଏଁ ନିଶା ନିବାରଣ ସମ୍ଭବ ନୁହେଁ।

ଅନୀଲ କୁମାର ବରାଳ, ସହଦେବପୁର, ପୁରୀ

ସରକାର ଦାୟୀ

ରାଜ୍ୟରେ ନିଶା ନିବାରଣ ହୋଇ ନପାରିବା ସରକାରଙ୍କ ଅପାରଗତା। ଏଥିପାଇଁ ରାଜନେତା ହିଁ ଦାୟୀ। ତାଙ୍କ ଅନୁମତିରେ ହିଁ ରାଜ୍ୟରେ ନିଶା କାରବାର ଚାଲିଛି। ନିରୀହ ଲୋକ ମରୁଛନ୍ତି।

ଦିବାକର ପ୍ରଧାନ, ବ୍ରହ୍ମଗିରି, ପୁରୀ

ରାଜ୍ୟସ୍ୱ ଲୋଭରେ ସରକାର ପ୍ରଶ୍ରୟ ଦେଉଛନ୍ତି

ରାଜ୍ୟରେ ନିଶା ନିବାରଣ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ମଦ ବ୍ୟବସାୟରୁ ବଡ଼ ଆକାରର ରାଜସ୍ୱ ଆସିବା ଲୋଭରେ ସରକାର ଏହାକୁ ପ୍ରଶୟ ଦେଇ ଚାଲିଛନ୍ତି। ନିଶା ସେବନ କାରଣରୁ ପାରିବାରିକ ହିଂସା, ଦୁଷ୍କର୍ମ ଓ ହତ୍ୟା ଆଦି ଅପରାଧ ରାଜ୍ୟରେ ବଢ଼ିଚାଲିଛି।

ଜ୍ଞାନ ବିଶ୍ୱାଳ, କୋଣାର୍କ, ପୁରୀ

ପୁଲିସ ଓ ଅବକାରୀ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ

ପୁଲିସ ଓ ଅବକାରୀ ବିଭାଗ ନିଶା ବ୍ୟବସାୟୀଙ୍କଠାରୁ କିଛି ହାତଗୁଞ୍ଜା ପାଇ ଚୁପ୍‌ ରହୁଛନ୍ତି। ସେଥିପାଇଁ ଦିନକୁ ଦିନ ନିଶା ବ୍ୟବସାୟୀଙ୍କ ଉତ୍ପାତ ବଢୁଛି। ପୁଲିସ୍‌ର ଜ୍ଞାତସାରରେ ବିନା ଲାଇସେନ୍ସରେ ବହୁ ମଦ ଦୋକାନ ଚାଲିଛି। ଏଣୁ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ପୁଲିସ ଓ ଅବକାରୀ ବିଭାଗ ନିଷ୍ଠାର ସହ କାମ କରିବା ଉଚିତ୍‌।

ପ୍ୟାରୀମୋହନ ସୁବୁଦ୍ଧି, ଚନ୍ଦେଶ୍ୱର, ଟାଙ୍ଗୀ

ନିଶା ନିବାରଣ  ହୋଇ ନପାରିବା ସରକାରଙ୍କ ଅପାରଗତା

ରାଜ୍ୟରେ ନିଶା ନିବାରଣ ହୋଇ ନପାରିବା ତଥା ନିଶା ବ୍ୟବହାର ବୃଦ୍ଧି ପାଇବା ସରକାରଙ୍କ ଅପାରଗତା ଓ ନ୍ୟସ୍ତସ୍ୱାର୍ଥକୁ ହିଁ ବୟାନ କରୁଛି। ଏଥିପାଇଁ କେବଳ ସରକାର ହିଁ ଦାୟୀ।

ଦୁଷ୍ମନ୍ତ ଦାସ, ତୁଆ, ବ୍ରହ୍ମଗିରି, ପୁରୀ

ଅନ୍ୟ ରାଜ୍ୟରୁ ସରକାର ଶିଖନ୍ତୁ

ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ କେବଳ ସରକାର ହିଁ ଚାହିଁଲେ ସମ୍ଭବ ହେବ। ଅନ୍ୟ ରାଜ୍ୟଗୁଡ଼ିକର ଉଦାହରଣ ନେଲେ ଏହା  ଜଣାପଡ଼ୁଛି। ବିହାରରେ ବି ମୁଖ୍ୟମନ୍ତ୍ରୀଙ୍କ ଉଚିତ୍‌ ପଦକ୍ଷେପ ଯୋଗୁଁ ସେଠାରେ ନିଶା ନିବାରଣ ସମ୍ଭବ ହୋଇଛି। ଅନ୍ୟ ରାଜ୍ୟର ଶାସକଙ୍କଠାରୁ ସରକାର କିଛି ଶିଖନ୍ତୁ।

ତପୁ କିଙ୍ଗ୍‌, ବ୍ରହ୍ମଗିରି

ରାଜନୈତିକ ଇଚ୍ଛାଶକ୍ତିର ଅଭାବ

ସରକାର ଯେଉଁଠି ଭୋଟ୍‌ ଲୋଭରେ ଯୁବପିଢ଼ିଙ୍କୁ ମଦ ମାଂସ ଦେଇ ମାତାଲ୍‌ କରନ୍ତି ସେଠି ନିଶା ନିବାରଣ ସମ୍ଭବ ହେବ ବା କେମିତି? କେବଳ ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜ୍ୟରେ ନିଶା ନିବାରଣ ସମ୍ଭବ।ର୍ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହିଁ ରାଜ୍ୟକୁ ନିଶା ରାକ୍ଷସ କବଳକୁ ଠେଲି ଦେଉଛି।

ଛାୟାକାନ୍ତ ନାୟକ

(ଆବାହକ, ନିଶା ନିବାରଣ ସମିତି), ପୁରୀ

ସମ୍ବନ୍ଧିତ ଖବର