କଦଳୀ ଚୋପାରେ ରାଜଧାନୀକୁ ପୋତିଦେବୁ

ଭିଡିଓ ମାଧ୍ୟମରେ ଡ୍ରାଇଭର ସଂଘ ସଦସ୍ୟଙ୍କ ଚେତାବନୀ

ଭୁବନେଶ୍ବର: ‘ଡ୍ରାଇଭରମାନଙ୍କ ପାଇଁ ତିନି ମାସ ସମୟ ନେଇ ଅଲଗା ରାଜ୍ୟକୁ ଯିବ, ବୁଲି ଦେଖିବ, ତା’ ପରେ ଆସି ଡ୍ରାଇଭରମାନଙ୍କୁ ନ୍ୟାୟ ଦେବ। ଆପଣ ବା ସିଏମ୍ ନମ୍ବର ଵାନ୍, ଭାରତବର୍ଷର ଏକ ନମ୍ବର ନେତା ନବୀନ ବାବୁ। ଆପଣଙ୍କୁ କ’ଣ ଡ୍ରାଇଭରଙ୍କ ଦୁଃଖ ଦେଖାଯାଉନି। ଏହି ଡ୍ରାଇଭରମାନେ ଆପଣଙ୍କୁ କେତେ ସାହାଯ୍ୟ କରିଛନ୍ତି। ବିଜୁ ପଟ୍ଟନାୟକ କାହାଣୀ ଶୁଣି ଶୁଣି ଆପଣଙ୍କ ନେତୃତ୍ବକୁ ଭଲ ପାଉଛନ୍ତି। ପ୍ରଥମରୁ ଆଜି ପର୍ଯ୍ୟନ୍ତ ଯେତୋଟି ନିର୍ବାଚନ ହୋଇଛି, ଏମଏଲଏ ହେଉ କି ପଞ୍ଚାୟତ ହେଉ ସବୁଥିରେ ମୁଁ ଆପଣଙ୍କୁ ଭୋଟ ଦେଇଛି।

ଆଜି ମୋ ନିଜ ପାଇଁ ସଂଘର ଅଧିକାର ପାଇଁ ଆପଣଙ୍କୁ ପଚାରୁଛି। ଆପଣ ଅଲଗା ରାଜ୍ୟରୁ କପି କରି ଆଣି ଆମକୁ ଦେବେ। ଆପଣଙ୍କର କାଳିଆ ଯୋଜନା କ’ଣ କପି, ଅଲଗା ରାଜ୍ୟରୁ ଆଣିଥିଲେ? ଆପଣଙ୍କର ପିଠା ଯୋଜନା, ଆପଣଙ୍କର ମମତା ଯୋଜନା, ଆପଣ ଯେତେ ଗୁଡ଼ିଏ ଗରିବ କଲ୍ୟାଣ ଯୋଜନା କରିଛନ୍ତି ତାହା କ’ଣ କପି କରିଛନ୍ତି? ଏଥିରେ ଆମେ ନିଜକୁ ଗର୍ବ କରୁଛୁ ଆମ ସିଏମ୍ ନମ୍ବର ଵାନ୍। ଏଭଳି ଆବେଗ ଭରା ମନ୍ତବ୍ୟ ରଖି ଏକ ଭିଡିଓ ବାର୍ତା ଜାରି ଡ୍ରାଇଭର ସଂଘର ଜଣେ ସଦସ୍ୟ। ସଦସ୍ୟଙ୍କ ପରିଚୟ ସମ୍ପର୍କରେ ଜଣାପଡ଼ି ନ ଥିବା ବେଳେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

 ତିନି ମାସ ନୁହେଁ, ଆମେ ତିନି ସପ୍ତାହ ସମୟ ଚାହୁଛୁ
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ, ଅନ୍ୟ ଗରିବ ଯୋଜନା ବେଳେ ଅଲଗା ରାଜ୍ୟଠୁ କପି କରିଛନ୍ତି କି?
ରାତି ୩ଟାରେ ଭୁବନେଶ୍ବରରେ ପଶିଥିଲୁ, କେହି ଆମକୁ ଅଟକାଇ ନ ଥିଲେ

ସେ ଏଥିରେ ଆହୁରି ଚେତାବନୀ ବି ଦେଇଛନ୍ତି ଯେ ଆପଣଙ୍କୁ ତିନି ମାସ ନୁହେଁ ତିନି ସପ୍ତାହ ସମୟ ଦିଆଯାଉଛି। ଆଜି ବି କହୁଛି ଯଦି ଡ୍ରାଇଭର ଠେଙ୍ଗା ନେଇଥିଲା ଆଗାମୀ ଦିନରେ ଠେଙ୍ଗା ନେବୁ ନାହିଁ କି ଏକୁଟିଆ ଡ୍ରାଇଭର ଯିବ ନାହିଁ। ତା’ ପରିବାର ସାଙ୍ଗରେ ଯିବେ। ଆଉ ତା’ ପିଲା, ପରିବାର ଚୁଡ଼ା, କଦଳୀ ନେଇ ଯିବେ। ଦେଖିବେ ସେ ଚୁଡ଼ା, କଦଳୀର ପାଵାର କେତେ? ଆଜି ଯଦି ୫ ଘଣ୍ଟା ଡ୍ରାଇଭର ଛିଡ଼ା ହୋଇଗଲେ ଭୁବନେଶ୍ବର ଅଣନିଶ୍ବାସୀ ହୋଇଗଲା; ଦେଖିବେ କଦଳୀ ଚୋପାରେ ଏହି ଡ୍ରାଇଭର ସାରା ଭୁବନେଶ୍ବରକୁ ପୋତି ଦେବେ।’

ଡ୍ରାଇଭର ସଂଘର ଏହି ସଦସ୍ୟ ସେଦିନର ଘଟଣା ସଂପର୍କରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, କ’ଣ ଭାଇ ଏ ଡ୍ରାଇଭର ମାନେ ୫ ଘଣ୍ଟା ରାଲି କରିଦେଲେ ଯେ, ଆପଣଙ୍କୁ ଦେଖାଗଲା ଏମାନେ ହିଂସା କରି ପକେଇଲେ? ପ୍ରଶାସନ ଚାହିଁଥିଲେ ଏ ଡ୍ରାଇଭରମାନଙ୍କୁ କ’ଣ ରାସ୍ତା ଦେଖାଇ ନଥାନ୍ତେ। ରାତି ୩ଟାରେ ଆମେ ଯାଇ ଭୁବନେଶ୍ବରରେ ପହଞ୍ଚିଲୁ, ଆମେ କ’ଣ ଭୁବନେଶ୍ବର ଗଳିକନ୍ଦି ଦେଖିଥିଲୁ? ସେମାନେ ଚାହିଁଥିଲେ ଆମ ଗାଡ଼ି ସବୁ ନେଇ ପୁରୀ ବାଇପାସ୍‌ରେ ଛିଡ଼ା କରି ଦେଇଥାନ୍ତା।

ଆମେ ଯେତେବେଳେ ଭୁବନେଶ୍ବର ଗଲୁ ସେତେବେଳେ କାହାର ଦେଖା ନ ଥିଲା, କୌଣସି ମିଡିଆର ଦେଖା ନ ଥିଲା। ଆଉ କହିଲେ କ’ଣ ନା ଡ୍ରାଇଭରମାନେ ଅନ୍ୟାୟ କରି ପକାଇଲେ, ଅତ୍ୟାଚାର କରି ପକାଇଲେ। ଆପଣଙ୍କ ପିଲା ଜନ୍ମ ଠାରୁ ଶବ ବୋହିବା ପର୍ଯ୍ୟନ୍ତ ସବୁ ଏହି ଡ୍ରାଇଭର କରୁଛନ୍ତି। ଏହି ଡ୍ରାଇଭର ହେଇଗଲା କଳଙ୍କିତ। ଠିକ୍ ଅଛି। ଆପଣଙ୍କୁ ମଧ୍ୟ ସାଲ୍ୟୁଟ୍। ପ୍ରକୃତରେ ଯଦି ଆପଣ ସିଏମ୍ ନମ୍ବର ଵାନ୍, ତିନି ମାସ ନୁହେଁ ତିନି ସପ୍ତାହ ଭିତରେ କିଛି କରି ଦେଖାନ୍ତୁ। ବହୁତ ଗରିବ କଲ୍ୟାଣ ଯୋଜନା କରିଛନ୍ତି, ଆଉ ଛୋଟିଆ କିଛି କରି ଦେଖାନ୍ତୁ। ଆମେ ଜାଣିବୁ ଆମ ସିଏମ୍ ନମ୍ବର ଵାନ୍।

ଏଠାରେ ପ୍ରଶ୍ନ ଉଠୁଛି, ଡ୍ରାଇଭର ସଂଘ ସଦସ୍ୟ ଆନ୍ଦୋଳନ ପୂର୍ବ ରାତି ଅର୍ଥାତ୍ ୧୭ ତାରିଖ ରାତିରୁ ଭୁବନେଶ୍ବରକୁ ପ୍ରବେଶ କରିବେ ବୋଲି ଗୁଇନ୍ଦା ପୁଲିସକୁ ଚେତାଇଥିଲା। ଏପରିକି ଭୋର ୪ଟା ସୁଦ୍ଧା ବିଧାନସଭା ଆଗରେ ପହଞ୍ଚି ଯାଇଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇ ପାରି ନ ଥିଲା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଡ୍ରାଇଭର ଜଣକ ଆହୁରି କହିଛନ୍ତି, ଆମମାନଙ୍କ ଯୋଗୁଁ ଆପଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ରହିଲା ଓଡ଼ିଶା ପ୍ରଶାସନ। ଖାଲି ଡ୍ରାଇଭରଙ୍କର ଝଗଡ଼ା, ହିଂସା ଦେଖାଗଲା ଆପଣଙ୍କୁ। କିନ୍ତୁ ଥରେ ଚିନ୍ତା କଲେ ଶହ ଶହ ଡ୍ରାଇଭର ଯେଉଁଠି ଠିଆ ହୋଇଛନ୍ତି ଜଣେ ମଦୁଆ ଅଟୋ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ନେଇ ଯାଉଛି ତାକୁ କ’ଣ ଅଟକାଇବା ଏହି ଡ୍ରାଇଭରମାନଙ୍କର ଅନ୍ୟାୟ। ଜଣେ ପେପର ବିକାଳି ସ୍କୁଟି ନେଇ ରୋକିଲା ପରେ ମଧ୍ୟ ସେ ମାନୁ ନାହିଁ। ଯୋଉଠିକି ଜନଗହଳିପୂର୍ଣ୍ଣରେ ତାହାର ଲିମିଟ୍ କେତେ? ସେଟା କ’ଣ ଆପଣଙ୍କ ଫୁଟେଜରେ ନାହିଁ। ପ୍ରଶାସନକୁ , କ’ଣ ଗରିବ ଡ୍ରାଇଭରମାନଙ୍କ ଅତ୍ୟାଚାର ଦେଖାଗଲା?

ସେ କହିଛନ୍ତି, ଯେତେବେଳେ ଫନି ହୋଇଥିଲା ହାଇଵା ନେଇ ମୋ ଭଳି ହଜାର ହଜାର ଡ୍ରାଇଭର ଯାଇଥିଲେ, ଭୁବନେଶ୍ବର ସ୍ମାର୍ଟ ସିଟିକୁ ସଫା କରିବା ଲାଗି। ଆଜି ଯଦି ଭୁବନେଶ୍ବର ସ୍ମାର୍ଟ ସିଟିରେ ଆପଣ ବ୍ୟସ୍ତ ବହୁଳ, ଅୟସ ଆରାମରେ ରହୁଛନ୍ତି କେବଳ ଡ୍ରାଇଭରମାନଙ୍କ ପାଇଁ। ଏହି ଡ୍ରାଇଭରମାନେ ରାତିଦିନ ପରିଶ୍ରମ କରି ୧୫ ଦିନ ଧରି ଭୁବନେଶ୍ବରରୁ ନେଇ ଜଟଣୀ ପାହାଡ଼ରେ ଅଳିଆ ପକାଉଥିଲୁ ସେଠି ଆକ୍ରୋଶର ଶିକାର ହେଇଥିଲୁ। ଓଡ଼ିଶାର ମିଡିଆ ଭାଇ କହିଲେ; ପଞ୍ଚୁ ପାଣ୍ଡବ ବିକ୍ରି ହୋଇଗଲେ। ଯଦି ସେମାନଙ୍କ ପାଖରେ ସବୁ ତଥ୍ୟ ଅଛି, ତେବେ କିଣିଥିବା ଲୋକଟାକୁ ସାମ୍ନାକୁ ଆଣନ୍ତୁ। ଦେଖିବା, ମିଡିଆର କେତେ ପାଵାର?

ସମ୍ବନ୍ଧିତ ଖବର