ଭୁବନେଶ୍ବର: ବୁଧବାର ବାତ୍ୟା ‘ୟାସ୍’ ଓଡ଼ିଶାର ଭଦ୍ରକ-ବାଲେଶ୍ବର ମଝିରେ ସ୍ଥଳଭାଗ ଛୁଇଁବ। ତେବେ ଏହାର ପ୍ରଭାବ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ଦେଖିବାକୁ ମିଳିବ। କଟକର ୩୦ର ପ୍ରତିଶତ ଅଞ୍ଚଳ ଗ୍ରିନ୍ ଜୋନ୍‌ରେ ରହିଥିବା ବେଳେ ଭୁବନେଶ୍ବର ବ୍ଲୁ ଜୋନ୍‌ରେ ରହିଛି। ଏହାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଥିବା ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କମିସନରେଟ୍ ପୁଲିସ ଅଧୀନରେ ଆସୁଥିବା ପ୍ରତ୍ୟେକ ଥାନାକୁ ଅଧିକ ଫୋର୍ସ ପଠାଯାଇଛି। ପ୍ରତିଟି ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମୌଳିକ ସାମଗ୍ରୀ ଓ ଯନ୍ତ୍ରାଂଶ ମଧ୍ୟ ଗଚ୍ଛିତ ରଖାଯାଇଛି।

Advertisment

ଉଭୟ ସ୍ପେସାଲ୍ ସିକ୍ୟୁରିଟି ବାଟାଲିୟନ୍ ଓ ସପ୍ତମ ବାଟାଲିୟନ୍‌କୁ ରିଜର୍ଭ ପୁଲିସ ଲାଇନ୍ କଟକ ଓ ଭୁବନେଶ୍ବରଠାରେ ରହିଛନ୍ତି। ଏଠାରେ ଗଛ କାଟିବାଠୁ ଆରମ୍ଭ କରି ରାସ୍ତା ଅବରୋଧରୁ ରକ୍ଷା କରିବା ଯନ୍ତ୍ରାଂଶ ଆଦି ରହିଛି। ଏହା ସହ ସେଠାରେ ଛୋଟିଆ ଛୋଟିଆ ଟିମ୍ କରାଯାଇ ପୁଲିସ୍ ବଳ ମୁତୟନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାତ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ସମସ୍ୟା ଉପୁଜିବାକୁ ଥିବାରୁ ଯୋଗାଯୋଗରେ ଅବହେଳା ନ ହେବା ପାଇଁ ଥାନାରେ ଜେନେରେଟର୍ ବ୍ୟବସ୍ଥା କରାଯାଇଛି। ଏହା ସହିତ ପିସିଆର୍ ମୋବାଇଲ୍ ଓ ଅନ୍ୟାନ୍ୟ ଯୋଗାଯୋଗ ପାଇଁ ଥିବା ମୋବାଇଲ୍‌କୁ ସଜାଗ ମଧ୍ୟ କରି ରଖାଯାଇଛି। ଆବଶ୍ୟକସ୍ଥଳେ ବାତ୍ୟା କ୍ଷୟକ୍ଷତି ହୋଇଥିବା ସ୍ଥାନରେ ଯଦି ପୁଲିସକୁ ସହଯୋଗ ପାଇଁ ନିର୍ଦ୍ଦେଶ ଆସେ, ତେବେ ଘଟଣାସ୍ଥଳକୁ ଯାଇ ସାହାଯ୍ୟ କରାଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଭୁବନେଶ୍ବର ମୁନିସିପାଲ୍ କର୍ପୋରେସନ୍ ଓ କଟକ ମୁନିସିପାଲ୍ କର୍ପୋରେସନ୍ ସହ ସୁସମନ୍ବୟ ରକ୍ଷା କରାଯାଇ ବାତ୍ୟା ‘ୟାସ୍’ ମୁକାବିଲା ପାଇଁ କମିସନରେଟ୍ ପୁଲିସ ପ୍ରସ୍ତୁତ ରହିଥିବା ସିପି କହିଛନ୍ତି।