‘ମୂର୍ତି ଉଚ୍ଚତା ଦ୍ବନ୍ଦ୍ବ ଶୀଘ୍ର ଦୂର କର’; ଉଚ୍ଚତା ନବଢ଼ିଲେ ମୂର୍ତି ଗଢ଼ିବୁ ନାହିଁ

ଭୁବନେଶ୍ବର,: ମାଟି ଅନୁକୂଳ ସରିଛି। ମା’ଙ୍କ ଆବାହନ ପାଇଁ ଧରା ପ୍ରତୀକ୍ଷା କରିଛି। ହେଲେ ଦେବୀଙ୍କ ମୂର୍ତିକୁ ନେଇ ଏଯାଏ ଅଡ଼ୁଆ ତୁଟୁନାହିଁ। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ମୂର୍ତି ଉଚ୍ଚତା ୪ ଫୁଟରେ ସୀମିତ ରଖିବାକୁ ନିର୍ଦେଶ ଦେଇଦେଲେ। ସରକାରଙ୍କ ଯୁକ୍ତି ଥିଲା, ମୂର୍ତି ଉଚ୍ଚତା ୪ ଫୁଟ ମଧ୍ୟ‌ରେ ସୀମିତ ହେଲେ ବିସର୍ଜନ ବେଳେ ଅଧିକ ଲୋକଙ୍କ ସମାଗମକୁ ଏଡ଼ାଇ ହେବ। ମାତ୍ର ଏଭଳି ଯୁକ୍ତିକୁ ପୂଜା କମିଟି ଖଣ୍ଡନ କରି କହିଲେ, ୪ଫୁଟର ମୂର୍ତି ବିସର୍ଜନ ପାଇଁ ଯେତିକି ଲୋକଙ୍କ ଆବଶ୍ୟକ ପଡ଼ିବ ବଡ଼ ମୂର୍ତି ବିସର୍ଜନ ପାଇଁ ମଧ୍ୟ ସେତିକି ଲୋକଙ୍କୁ ନିୟୋଜିତ କରାଯିବ। ଏନେଇ ଯଦିଓ ପୂଜା କମିଟି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ, କିନ୍ତୁ ନ୍ୟାୟାଳୟ ପ୍ରଶାସନ ହାତରେ ନିଷ୍ପତ୍ତି ଛାଡ଼ିଦେଲା। ଏବେ ପୁଲିସ୍‌ ପ୍ରଶାସନ କହୁଛନ୍ତି, ଯାହା ସରକାରଙ୍କ ଦ୍ବାରା ପୂର୍ବରୁ ନିର୍ଧାରିତ ହୋଇଛି ପୂଜା କମିଟିମାନଙ୍କୁ ସେହି ନିୟମ ଅନୁସରଣ କରିବାକୁ ହେବ। ଏସବୁ ସତ୍ତ୍ବେ ଉଚ୍ଚ ନ୍ୟାୟାଳୟର ରାୟ ପରେ ପ୍ରଶାସନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇନଥିବାରୁ ପୂଜା କମିଟି ସଦସ୍ୟ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏଣେ ସମୟ ଗଡ଼ି ଚାଲିଥିବାରୁ ପୂଜା କମିଟି ମୂର୍ତି ଗଢ଼ି ପାରୁନାହାନ୍ତି। ଫଳସ୍ବରୂପ କେଉଁଠି ପୂଜା କମିଟି ୬୭ ବର୍ଷ ଧରି ଗଢ଼ି ଆସୁଥିବା ମୂର୍ତି ପରମ୍ପରାକୁ ଜଳାଞ୍ଜଳି ଦେଇଛି ତ କେଉଁଠାରେ ମୂର୍ତି ଆଦୌ ତିଆରି ନକରି ମଣ୍ଡପରେ ସ୍ଥାୟୀ ମୂର୍ତିରେ କାମ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପରମ୍ପରା ଭଙ୍ଗ ସହ ଭାବାବେଗକୁ ଆଘାତ ପହଞ୍ଚାଇଛି ବୋଲି ପୂଜା କମିଟି ସଦସ୍ୟମାନେ କହିଛନ୍ତି।

ଉଚ୍ଚତା ନବଢ଼ିଲେ ମୂର୍ତି ଗଢ଼ିବୁ ନାହିଁ
ମୂର୍ତି ଉଚ୍ଚତା ସଂକ୍ରାନ୍ତ ନିର୍ଦିଷ୍ଟ ନିଷ୍ପତ୍ତି ହେଲା ନାହିଁ। ଅକ୍ଟୋବର ପହିଲାରୁ ମୂର୍ତି ଆରମ୍ଭ କରିବାକୁ ଚିନ୍ତା କରିଛୁ। ଯଦି ମୂର୍ତି ଉଚ୍ଚତା ୪ ଫୁଟରେ ସୀମିତ ରୁହେ, ତେବେ ଆମେ ମୂର୍ତି ଗଢ଼ିବୁ ନାହିଁ। ବରଂ ବିଧି ବଞ୍ଚାଇବା ପାଇଁ ପୂଜା ମଣ୍ଡପରେ ୩୬୫ ଦିନ ପୂଜା ପାଇ ଆସୁଥିବା ଦେବୀ’ଙ୍କୁ ପୂଜା କରିବୁ। କାରଣ ୪୩ ବର୍ଷ ଧରି ମା’ଙ୍କ ମୁଖ ମଣ୍ଡଳର ଛାପ ନିର୍ଦିଷ୍ଟ ଥିଲା। ନୂଆ ଆକାରରେ ମା’ଙ୍କୁ ତିଆରି କରିବା ଅର୍ଥ ନୂଆ ମୂର୍ତି ପ୍ରତିଷ୍ଠା କରିବା। ମେଢ଼, ମାଢ଼ି, ସାଜସଜା ଅଳଙ୍କାର ସବୁକିଛି ନୂଆ ଭାବେ ପ୍ରସ୍ତୁତ କରିବାକୁ ପଡ଼ିବ। ବିଡ଼ମ୍ବନା ଏହି ଯେ ଯେଉଁମାନେ ମୂର୍ତି ଉଚ୍ଚ କରିଦେଇଛନ୍ତି ସେମାନଙ୍କୁ ଅନୁମତି ମିଳିବ କିନ୍ତୁ ଯେଉଁମାନେ କରିବାକୁ ଯାଉଛନ୍ତି ସେମାନଙ୍କୁ ସୁଯୋଗ ମିଳିବ ନାହିଁ।
ନାରାୟଣ ମହାପାତ୍ର, ସମ୍ପାଦକ, ସହିଦନଗର ଦୁର୍ଗାପୂଜା କମିଟି

ବାଧ୍ୟ ହୋଇ ଖଡ଼ିଲାଗିରୁ ୪ ଫୁଟ ମୂର୍ତି କଲୁ
ଗଣେଶ ପୂଜାଠାରୁ ମୂର୍ତି ତିଆରି କାମ ଆରମ୍ଭ ହେବା କଥା। ମାତ୍ର ହୋଇପାରିଲା ନାହିଁ। ନିକଟରେ ମହାଳୟାରେ ଖଡ଼ିଲାଗି ଥିବାରୁ ଆମେ ବାଧ୍ୟ ହୋଇ ୪ ଫୁଟ ମଧ୍ୟରେ ମୂର୍ତିକୁ ସୀମିତ ରଖିଲୁ। ୬୭ ବର୍ଷରେ ଯାହା ହୋଇନଥିଲା ଏବେ ତାହା କରିବାକୁ ବାଧ୍ୟ ହେଲୁ। କିନ୍ତୁ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ମୂର୍ତିର ଉଚ୍ଚତା କମ୍‌ କରିବାକୁ କହିଲେ, ସେଥିରେ ଆମେ ଏକମତ ନୁହଁ। ସୀମିତ ଲୋକରେ ବି ଆମେ ବଡ଼ ମୂର୍ତି ବିସର୍ଜନ ପାଇଁ ନେଇପାରିଥାଆନ୍ତୁ। କିନ୍ତୁ ଏହାକୁ ବିଚାରକୁ ନିଆଗଲା ନାହିଁ।
ଦୀପକ ଜେନା, ସମ୍ପାଦକ
ଷ୍ଟେସନ ବଜାର ଦୁର୍ଗାପୂଜା କମିଟି

ପ୍ରଶାସନ ତୁରନ୍ତ ନିଷ୍ପତ୍ତି ଶୁଣାଇବା ଦରକାର
ମୂର୍ତି ଉଚ୍ଚତାକୁ ନେଇ ଏବେ ବି ପୂଜା କମିଟି ସଦସ୍ୟମାନଙ୍କ ମନରୁ ଦ୍ବନ୍ଦ୍ବ ହଟି ନାହିଁ। ତେଣୁ ପ୍ରଶାସନ ଯେତେ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ସେତେ ଶୀଘ୍ର ପୂଜା କମିଟି ମୂର୍ତି ତିଆରି କାମ ଆରମ୍ଭ କରିବେ। ତେଣୁ ପ୍ରଶାସନ ତୁରନ୍ତ ନିଷ୍ପତ୍ତି ଶୁଣାଇବାକୁ ଅନୁରୋଧ। ଏଥିସହ ଦୀର୍ଘ ବର୍ଷ ଧରି ପୂଜା କରି ଆସୁଥିବା ପୂଜା କମିଟିମାନେ ମୂର୍ତିର ଉଚ୍ଚତାକୁ ଅପରିବର୍ତିତ ରଖିବା ପାଇଁ ଯେଉଁ ନିବେଦନ ରଖିଛନ୍ତି ସେ ସମ୍ପର୍କରେ ପୁନର୍ବିଚାର କରି ନିଷ୍ପତ୍ତି ଜଣାଇବାକୁ ଅନୁରୋଧ।
ନବକିଶୋର ବେହେରା, ସମ୍ପାଦକ
ରାଜଧାନୀ ଶାନ୍ତି କମିଟି

ଏବେ ବି ସମୟ ଅଛି
ସରକାର ଯଦି ଭାବୁଥାଆନ୍ତି ଯେ ମୂର୍ତି ଉଚ୍ଚତା ପୂର୍ବ ଭଳି ସ୍ବାଭାବିକ ରହିଲେ, ଅଧିକ ଲୋକଙ୍କ ଭିଡ଼ ଜମିବ ଏବଂ ବିସର୍ଜନ ବେଳେ ଅଧିକ ଲୋକଙ୍କ ଆବଶ୍ୟକତା ପଡ଼ିବ ତେବେ ଏହା ଠିକ୍‌ ଯୁକ୍ତି ନୁହେଁ। ଯେଉଁ ପୂଜା କମିଟି ଦୀର୍ଘ ବର୍ଷ ହେଲା ପୂଜା କରି ଆସୁଛନ୍ତି ଅନ୍ତତଃ ସେମାନଙ୍କଠାରୁ ପରାମର୍ଶ ନିଆଯାଇପାରିବ। ଏବେ ବି ସମୟ ଅଛି। ତେଣୁ ଭାବାବେଗ ସହ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ସରକାର ତୁରନ୍ତ ଏ ଦିଗରେ ନିଷ୍ପତ୍ତି ନେଲେ ଉପକୃତ ହେବୁ। ଏହା ବ୍ୟତୀତ ମା’ଙ୍କ ପୂଜାକୁ ବହୁ ସମୟ ବାକି ଥିବାରୁ ସେତେବେଳର ସ୍ଥିତି ପରଖି ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କୋହଳ ହୋଇପାରିବ।
ରାମଚନ୍ଦ୍ର ରଣସିଂହ
ସଭାପତି, ବରମୁଣ୍ଡା ଦୁର୍ଗାପୂଜା କମିଟି

ସମ୍ବନ୍ଧିତ ଖବର