ଘୋଡ଼ାଙ୍କୁ ନେଇ ବଂଚୁଥିବା ବ୍ୟବସାୟୀଙ୍କୁ କରୋନା ମାଡ଼, ଖାଇବା ଅଭାବରୁ ଦୁର୍ବଳ ହେଲେଣି ଘୋଡ଼ା

ଚନ୍ଦ୍ରଶେଖରପୁର: କରୋନା କଟକଣା ତାଲା ବନ୍ଦ ଲାଗୁ ହେବା ପରଠାରୁ ରାଜଧାନୀରେ ଘୋଡ଼ାଙ୍କୁ ନେଇ ବେପାର କରୁଥିବା ଅଣଓଡ଼ିଆ ବ୍ୟବସାୟୀମାନେ ସମସ୍ୟାରେ ପଡ଼ିଛନ୍ତି। ଦୁଇ ମାସ ହେଲା ରୋଜଗାର ହରାଇଥିବାରୁ ନିଜେ ଭଲରେ ଖାଇବାକୁ ପାଉନଥିବା ଏହି ଲୋକମାନେ ଘୋଡ଼ାମାନଙ୍କ ପାଇଁ ଦାନା ଯୋଗାଡ଼ କରିପାରୁନାହାନ୍ତି। ଫଳ‌ରେ ଖାଇବା ଅଭାବରୁ ଘୋଡ଼ାମାନେ ରୋଗିଣା ହେଲେଣି। ତେଣୁ ଆଉ କିଛି ଦିନ ପରେ ଘୋଡ଼ାମାନେ ମୃତ୍ୟୁବରଣ କରିବା ଆଶଙ୍କା ସୃଷ୍ଟି ହୋଇଥିବାରୁ ସେମାନଙ୍କ ପେଟପାଟଣାର ଉତ୍ସ ମରିଯିବ ବୋଲି ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

ଗତ କିଛି ବର୍ଷ ହେବ ରାଜଧାନୀରେ ଘୋଡ଼ାକୁ ନେଇ ବ୍ୟବସାୟ ଭଲ ଚାଲିଥିଲା। ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଘୋଡ଼ା ସାମିଲ୍ କରିବା ଏକ ବଡ଼ ସଉକ ପାଲଟିଛି। ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ପ୍ରକାର କ୍ୟାମ୍ପେନିଂରେ ମଧ୍ୟ ଘୋଡ଼ା ଓ ଘୋଡ଼ା ଗାଡ଼ି ସାମିଲ୍ କରାଯାଉଛି। ସେହିଭଳି ଭୁବନେଶ୍ବରରେ ଗଢ଼ି ଉଠିଥିବା ନାମୀଦା‌ମୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଘୋଡ଼ା ଚଢ଼ା ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ପ୍ରଶିକ୍ଷକଙ୍କ ଚାହିଦା ବଢ଼ିଛି। ତେଣୁ ଉତ୍ତର ‌ପ୍ରଦେଶରୁ କିଛି ଘୋଡ଼ା ବ୍ୟବସାୟୀ ନିଜ ପରିବାର ସହ ଘୋଡ଼ାଙ୍କୁ ଧରି ଭୁବନେଶ୍ବରରେ ଡେରା ପକାଇଛନ୍ତି। ଏବେ ପ୍ରାୟ ୫୦ ପର୍ଯ୍ୟନ୍ତ ଘୋଡ଼ା ଭୁବନେଶ୍ବରରେ ଅଛନ୍ତି। କିନ୍ତୁ କରୋନା ମହାମାରୀ ପାଇଁ ଲକ୍ଡ଼ାଉନ୍ ଲାଗୁ ହୋଇଯିବା ପରେ ଏବେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଛି। ରୋଜଗାର ନଥିବାରୁ ସେମାନେ ଭଲରେ ମୁଠାଏ ଖାଇବାକୁ ପାଉନାହାନ୍ତି। ତେଣୁ ଘୋଡ଼ାମାନଙ୍କୁ ମଧ୍ୟ ଆବଶ୍ୟକ ପରିମାଣର ଦାନା ଦେଇ ପାରୁନାହାନ୍ତି। ବାହାର ରାଜ୍ୟରୁ ଆସିଥିବାରୁ ଏଠାରେ ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ନାହିଁ। ସଂଚିତ ଅର୍ଥ ସରି ଆସିଲାଣି। ସେମାନଙ୍କ କହିବା କଥା ଘୋଟା ପିଛା ଦିନକୁ ପ୍ରାୟ ୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ ଏବେ ସେମାନଙ୍କ ଖାଦ୍ୟ କମାଇବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ଘୋଡ଼ାକୁ ବାହାରେ ଘାସ ଚରିବା ପାଇଁ ଛାଡ଼ିଦେବା ସମ୍ଭବ ହେଉନାହିଁ। ଯଦି ଏମିତି ସ୍ଥିତି ଅଧିକ ଦିନ ଲାଗି ରହେ, ତେବେ ସେମାନଙ୍କ ପାଇଁ ବଡ଼ ବିପଦ ମାଡ଼ି ଆସିବ। ଏଭଳି ସ୍ଥିତିରେ ସେମାନେ ନିଜ ରାଜ୍ୟକୁ ଫେରିଗଲେ ବି କିଛି ଫରକ ପଡ଼ିବ ନାହିଁ। ସେଠାରେ ମଧ୍ୟ ସେମାନେ ସମାନ ପରିସ୍ଥିତି‌ର ମୁକାବିଲା କରିବେ ବୋଲି କହିଛନ୍ତି। ତେଣୁ ମହାମାରୀ କରୋନା ତୁରନ୍ତ ହଟିଯାଉ ବୋଲି ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧିତ ଖବର