ଭୁବନେଶ୍ୱର : ଗତ ସପ୍ତାହର ଘଟଣା। ମାଷ୍ଟରକ୍ୟାଣ୍ଟିନସ୍ଥିତ ବସ୍ଷ୍ଟାଣ୍ଡ ନିକଟରେ ଜଣେ ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ କସରତ୍ ଚଳାଇଥାଏ। ଜଣେ କି ଦି’ ଜଣ ନୁହେଁ, ଏକାବେଳେ ୩ଜଣ ପୁଲିସ କର୍ମଚାରୀ ତାକୁ କାବୁ କରିବା ପାଇଁ ଲାଗିଥା’ନ୍ତି। କେତେବେଳେ ଧକ୍କା ମାରି ଗାଡ଼ି ଭିତରକୁ ନେବାକୁ ଉଦ୍ୟମ କରୁଥା’ନ୍ତି ତ ଆଉ କେତେବେଳେ ବେକରେ ଗାମୁଛା ପକାଇ ଘୋଷାରୁଥା’ନ୍ତି। କିନ୍ତୁ ଏକୁଟିଆ ଦୁର୍ବୃତ୍ତ ପ୍ରାୟ ୧୦ମିନିଟ୍ ପର୍ଯ୍ୟନ୍ତ ରାସ୍ତା ଉପରେ କମିସନରେଟ୍ ପୁଲିସର ୩ଜଣ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀଙ୍କୁ ପାଣି ପିଆଇଥିଲା।
ଏହାର ୪ ଦିନ ମଧ୍ୟରେ ଅସଜଡ଼ା ଭିତ୍ତିଭୂମିର ଆଉ ଏକ ଦୃଶ୍ୟ କମିସନରେଟ୍ ପୁଲିସରେ ଦେଖିବାକୁ ମିଳିଛି। ନୂଆପଲ୍ଲୀ ଥାନାକୁ ପାଟ୍ରୋଲିଂ ପାଇଁ ଦିଆଯାଇଥିବା ପିସିଆର୍ ଭ୍ୟାନ୍-୧୮ର ଦୁରାବସ୍ଥା ସାମ୍ନାକୁ ଆସିଥିଲା। ଗାଡ଼ି ଷ୍ଟାର୍ଟ କରିବା ପାଇଁ ଡ୍ରାଇଭର୍ ନୁହେଁ ବରଂ ଅଭିଯୋଗକାରୀ ଓ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଥିଲା। ଗାଡ଼ି ଷ୍ଟାର୍ଟ ହେଉ ନଥିବାରୁ ପିସିଆର୍ କର୍ମଚାରୀଙ୍କ ଅନୁରୋଧ କ୍ରମେ ଅଭିଯୋଗକାରୀ ଓ ଶ୍ରମିକମାନେ ମିଶି ପ୍ରାୟ ୫୦ ମିଟର୍ ଆଗକୁ ଓ ପୁଣି ୧୦ ମିଟର୍ ପଛକୁ ଠେଲାପେଲା କରିବା ପରେ ଗାଡ଼ି ଷ୍ଟାର୍ଟ ହୋଇଥିଲା। ଗତ ସପ୍ତାହକ ମଧ୍ୟରେ ଘଟିଥିବା ଏହି ୨ଟି ଘଟଣାରୁ କମିସନରେଟ୍ ପୁଲିସର ଭିତ୍ତିଭୂମି କିପରି, ତାହାର ସ୍ପଷ୍ଟ ଚିତ୍ର ପଦାକୁ ଆସୁଛି।
ବଡ଼ କଥା ହେଉଛି, ନିୟମିତ ବ୍ୟବଧାନରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି। କେବଳ କମିସନରେଟ୍ ପୁଲିସ କଥା ନୁହେଁ, ବିଭିନ୍ନ ଜିଲ୍ଲାର ପୁଲିସ ସହିତ ଏଭଳି ଘଟଣା ଘଟୁଛି। କେତେବେଳେ ପୁଲିସ ହେପାଜତରୁ ଅଭିଯୁକ୍ତ ଖସିଯାଉଛନ୍ତି ତ ଆଉ କେତେବେଳେ ଧସ୍ତାଧସ୍ତି ସମୟରେ ପୁଲିସ ଗୁଳିରେ ଅପରାଧୀଙ୍କ ମୃତ୍ୟୁ ଖବର ଆସୁଛି। ତେବେ ଏସବୁ ଅସଜଡ଼ା ଭିତ୍ତିଭୂମିକୁ ସୁଧାରିବା ପାଇଁ ପ୍ରତିବର୍ଷ ସ୍ମାର୍ଟ, ଦକ୍ଷ ଓ ଆଧୁନିକୀକରଣରେ ନାଁରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ହେଲେ ବିଶେଷ ଫଳପ୍ରଦ ହେଉନାହିଁ।
ସେହିଭଳି ନିକଟରେ ଭୁବନେଶ୍ବର କୋର୍ଟରୁ ନିଶା ମାଫିଆ ବିଜୟ ମାଣିଆ ପୁଲିସକୁ ଚକ୍ମା ଦେଇ ଫେରାର୍ ହୋଇଯାଇଥିଲା। ହାତରେ ହାତକଡ଼ି ପଡ଼ିଥିବା ସତ୍ତ୍ବେ ଏସ୍କର୍ଟରେ ଥିବା ପୁଲିସ କେମିତି ତାକୁ ଧରିପାରିଲେ ନାହିଁ, ତାହା ବୁଝାପଡ଼ିଲା ନାହିଁ। ଏହି ଘଟଣାକୁ ମାସାଧିକ କାଳ ବିତିଥିଲେ ବି ନିଶା ମାଫିଆ ବିଜୟର ପତ୍ତା ପୁଲିସ ପାଉନାହିଁ। କେବଳ ଏହିଭଳି ଗୋଟିଏ ଘଟଣା ନୁହେଁ, ପୁଲିସ ବିଭାଗର ସବୁଠୁ ଦକ୍ଷ ଟିମ୍ ସ୍ପେସାଲ୍ ସ୍କ୍ବାଡ୍ ବି ଅନେକ ସମୟରେ ଅଭିଯୁକ୍ତ ଧରିବାକୁ ଯାଇ ମାଡ଼ ଖାଇଛି। ଗତ ୩ବର୍ଷରେ କମିସନରେଟ୍ ପୁଲିସକୁ ୨୭ଥର ଆକ୍ରମଣ କରାଯାଇଛି। ଅପରପଟେ ପୁଲିସ ବିଭାଗରେ କେବଳ ଦୁର୍ବଳ ମାନବ ସମ୍ବଳ କଥା ନୁହେଁ ଯାନବାହାନ କ୍ଷେତ୍ରରେ ବି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ସମୟରେ ବଡ଼ବଡ଼ ଘରୋଇ କମ୍ପାନି ସିଏସ୍ଆର୍ ଫଣ୍ଡ୍ରୁ ବିଭିନ୍ନ ଥାନାକୁ ଗାଡ଼ି ଦେଇଥାନ୍ତି। ପରେ କିସ୍ତିରେ ସେ ଟଙ୍କା ପରିଶୋଧ କରିବାକୁ ହୁଏ। ମାତ୍ର ବର୍ଷକୁ ଯାନବାହାନ କିଣା ଏବଂ ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ପୁଲିସ ଅନେକ ସମୟରେ ଫାଇନାନ୍ସ ସଂସ୍ଥାକୁ ଟଙ୍କା ଦେଉନାହିଁ। ଯେଉଁଥିପାଇଁ ୨୦୨୦ରେ ଖଣ୍ଡଗିରି ଥାନାର ଏକ ଗାଡ଼ିକୁ ଅଧାବାଟରେ ଫାଇନାନ୍ସ କର୍ମଚାରୀ ଅଟକାଇଥିଲେ। ରାସ୍ତା ଉପରେ ପୁଲିସ କର୍ମଚାରୀଙ୍କୁ ଓହ୍ଲାଇ ଦେଇ ଗାଡ଼ି ନେଇ ପଲାଇଥିଲେ।
ରାଜ୍ୟ ପୁଲିସର ସବୁଠାରୁ ଦକ୍ଷ ଓ ସ୍ମାର୍ଟ ପୁଲିସିଂ କହୁଥିବା କମିସନରେଟ୍ ପୁଲିସରେ ଯଦି ଏଭଳି ଘଟଣା ଘଟିପାରୁଛି, ତେବେ ସୀମାବର୍ତ୍ତୀ ଓ ଉପାନ୍ତ ଜିଲ୍ଲା ଏବଂ ମାଓ ଅଧ୍ୟୁଷିତ ଅଞ୍ଚଳରେ ପୁଲିସ ଭିତ୍ତିଭୂମି କିପରି ଥିବ, ତା’ ସ୍ପଷ୍ଟ ଅନୁମେୟ। କାରଣ ବର୍ଷତମାମ୍ର ଯୋଜନା ଏହି ରାଜଧାନୀରୁ ଆରମ୍ଭ ହୁଏ ଏବଂ ଧୀରେ ଧୀରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚେ। ମାତ୍ର ଯୋଜନା ଆରମ୍ଭ ହେଉଥିବା ଜାଗାରୁ ହିଁ ଯଦି ଭିତ୍ତିଭୂମି ଉଜୁଡ଼ା, ତେବେ ତା’ ଜିଲ୍ଲାରେ ସଫଳ ହେବ କେମିତି? ଅପରପଟେ ଏହି ଦୁର୍ବଳ ଭିତ୍ତିଭୂମିକୁ ସୁଧାରିବା ପାଇଁ ପୁଲିସ ଡିଜିଙ୍କ ଠାରୁ ଆରମ୍ଭ କରି ପୁଲିସ କମିସନରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଅନେକ ସମୟରେ ଉଦ୍ୟମ କରାଯାଇଥିଲେ ବି ତା’ କେବଳ ଫାଇଲ୍ ଭିତରେ ସୀମିତ ଅଛି।
୨୦୦୫ରେ ପୁଲିସକୁ ଶାରୀରିକ ସୁସ୍ଥ ରଖିବା ପାଇଁ ଯୋଜନା କରିଥିଲି। ବିଶେଷକରି ଥାନା ଓ ଟ୍ରାଫିକ୍ରେ ରହୁଥିବା ପୁଲିସ କର୍ମଚାରୀମାନେ ନିୟମିତ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କାରଣ ଥାନାକୁ ଆସୁଥିବା ଲୋକେ ପୁଲିସକୁ ଦେଖି ସେମାନଙ୍କ ମନରେ ସକରାତ୍ମକ ବିଚାରଧାରା ଆସିବ। ଏପରିକି ନିର୍ଦ୍ଦେଶନାମା ଜାରି ହେବାର ମାତ୍ର ମାସକ ଭିତରେ ଅନେକ ଥାନାରେ କର୍ମଚାରୀମାନେ ନିୟମିତ ଯୋଗ ଓ ବ୍ୟାୟାମ କରି ଓଜନ ନିୟନ୍ତ୍ରଣ କରିଥିଲେ। ପରେ ପରେ ଗୁଜୁରାଟ ଓ ମୁମ୍ବାଇ ପୁଲିସ ବି ଏହି ନିର୍ଦ୍ଦେଶନାମାକୁ ତାଙ୍କ ରାଜ୍ୟରେ କାର୍ଯ୍ୟକାରୀ କଲେ। ହେଲେ ମୋର ଅବସର ହେବା ପରେ ଏହି ଯୋଜନା ପୂରା ବନ୍ଦ ହୋଇଯାଇଛି। ହେଲେ କାହିଁକି ବନ୍ଦ ହୋଇଛି, ତା’ର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ମୋ ପାଖରେ ନାହିଁ।
ବିପିନ ବିହାରୀ ମିଶ୍ର, ପୂର୍ବତନ ପୁଲିସ ଡିଜି
ଫିଟ୍ ରହିବା ପାଇଁ ଜାରି ଆଦେଶନାମା ଭୁଲିଗଲେ
ଶାରୀରିକ ଭାବେ ଫିଟ୍ ନଥିବା ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାରିବାକୁ ୨୦୦୫ ଏପ୍ରିଲ ୧୨ ତାରିଖରେ ତତ୍କାଳୀନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ଏକ ବିଜ୍ଞପ୍ତି ଜାରି କରିଥିଲେ। ୨ମାସ ମଧ୍ୟରେ ଉଚ୍ଚତା ଅନୁସାରେ ଓଜନ ନିୟନ୍ତ୍ରଣ ନ ରହିଲେ ସେମାନଙ୍କୁ ଦାୟିତ୍ବରୁ ଅପସାରିତ କରାଯିବ। ଏପରିକି ନିୟମିତ ବ୍ୟବଧାନରେ ବ୍ୟାୟାମ କରିବା ସହ ଖାଦ୍ୟପେୟର ସ୍ବତନ୍ତ୍ର ରୁଟିନ୍ କରାଯିବ ବୋଲି କୁହାଯାଇଥିଲା। ହେଲେ ଶ୍ରୀ ମିଶ୍ର ଅବସର ନେବା ପରେ ସମୟକ୍ରମେ ନିର୍ଦ୍ଦେଶନାମା ଫାଇଲ୍ ଭିତରେ କବର ନେଇଥିଲା। ଏହାର ଠିକ୍ ୧୫ବର୍ଷ ପରେ ଅର୍ଥାତ୍ ୨୦୨୦ ଜୁଲାଇ ୧୮ରେ ତତ୍କାଳୀନ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଏହି ନିର୍ଦ୍ଦେଶନାମା ଜାରି କଲେ। ଅବସରପ୍ରାପ୍ତ ଡିଜି ଶ୍ରୀ ମିଶ୍ରଙ୍କ ତୁଳନାରେ ଆଉ କେଇ ପାଦ ଆଗକୁ ଯାଇ ଓଜନ ନିୟନ୍ତ୍ରଣରେ ଅକ୍ଷମ ହେଲେ ୩ମାସ ମଧ୍ୟରେ ବାଧ୍ୟତାମୂଳକ ଅବସର ଦେବେ ବୋଲି କହିଥିଲେ। ହେଲେ ପୂର୍ବତନ କମିସନର୍ଙ୍କ ଏହି ଆଦେଶନାମା ବି ଫସର ଫାଟିଛି। ଅପରପଟେ ଜଣେ ବରିଷ୍ଠ ପୁଲିସ କହିଛନ୍ତି, ରାଜ୍ୟରେ ଏବେ ୮୫ପ୍ରତିଶତ ପୁଲିସ କାମ କରୁଛନ୍ତି। ଫାଙ୍କା ପଡ଼ିଥିବା ପୁଲିସ ପଦବି ମଧ୍ୟରେ ପ୍ରାୟ ୩୦୦ ଇନ୍ସପେକ୍ଟର, ୧୭୦୦ ସବଇନ୍ସପେକ୍ଟର ପଦବି ଫାଙ୍କା ପଡ଼ିଛି। ଏମିତି ସ୍ଥିତିରେ ଯଦି ଶାରୀରିକ ଫିଟ୍ ନଥିବା ତଥା ବିଭିନ୍ନ ରୋଗରେ ପୀଡ଼ିତ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ବାଧା ଉପୁଜିବାର ଆଶଙ୍କା ରହିଛି।
ଆଧୁନିକୀକରଣ ପାଇଁ ୨୧ ବର୍ଷରେ ୧୦୨୦ କୋଟି
ସେହିଭଳି ନିକଟରେ ପୁଲିସ ବିଭାଗର ଆଧୁନିକୀକରଣରେ ଗତ ୨୧ ବର୍ଷରେ ୧୦୨୦କୋଟି ଟଙ୍କା ଅନୁଦାନ ମିଳିଛି। ଏହି ୨୧ବର୍ଷରେ ପ୍ରାୟ ଶତକଡ଼ା ୯୬ଭାଗ ଟଙ୍କା ଖର୍ଚ୍ଚ ହୋଇଛି। ଆଉ ୨୦୨୦-୨୧ରେ ୨୬କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଯାନବାହାନ ପାଇଁ ସାଢ଼େ ୬କୋଟି ଟଙ୍କା ଅନୁଦାନ କରାଯାଇଛି। ମାତ୍ର ରାଜଧାନୀର ଏହି ଭଙ୍ଗା, ଦଦରା ପିସିଆର୍କୁ ଦେଖିଲେ ଟଙ୍କା କେମିତି ଓ କେଉଁ ବାଟରେ ଖର୍ଚ୍ଚ ହୋଇଛି ସେ ନେଇ ସନ୍ଦେହ ଉପୁଜିଛି। ଯାନବାହାନ କିଣିବା ବ୍ୟତୀତ ମରାମତି ପାଇଁ ବି ନିୟମିତ ବ୍ୟବଧାନରେ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଗାଡ଼ି ଦୁରାବସ୍ଥା ଦେଖିଲେ ମରାମତି ନାଁରେ ଟଙ୍କା ବାଟମାରଣା ଯେ ହେଉନଥିବ, ତା’ କହିବା ଭୁଲ୍ ହେବନାହିଁ।