ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମାରଣାସ୍ତ୍ର ଜବତ, ୨ ଗିରଫ

ଚନ୍ଦ୍ରଶେଖରପୁର : ଦୁର୍ଘଟଣାଗ୍ରସ୍ତ କାର୍ ଭିତରୁ ଦୁଇଟି ଖଣ୍ଡା, ଗୋଟିଏ ଛୁରି ଓ ‌୨୦ ହଜାର ଟଙ୍କା ସହିତ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି ଇନ୍‌ଫୋସିଟି ଥାନା ପୁଲିସ। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗାଡ଼ି ଚାଳକ ଆଶୀର୍ବାଦ ତ୍ରିପାଠୀ ଓ ଗାଡ଼ି ମାଲିକ ଜ୍ଞାନ ପ୍ରକାଶ ଲେଙ୍କା।

ଘଟଣା ଅନୁଯାୟୀ ଦୁଇଟି କାର୍ ଗତକାଲି ରାତିରେ କିଟ୍ ଛକରେ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକ ଗାଡ଼ି ଦୁଇଟିକୁ ଅଟକାଇ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ଆଣିଥିଲା। ‌ଧକ୍କା ‌କରିଥିବା ଗାଡ଼ିର ଚାଳକକୁ ଛାଡ଼ି ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ପଳାଇବା ନେଇ ପୁଲିସର ସନ୍ଦେହ ବଢ଼ିଥିଲା। ଫଳରେ ଗାଡ଼ିର ତଲାସି ନେବାରୁ ସେଥିରୁ ଖଣ୍ଡା, ଛୁରି ସହ ଟଙ୍କା ଓ ୩ଟି ମୋବାଇଲ ମିଳିଥିଲା। ଗିରଫ ଗାଡ଼ି ଚାଳକକୁ ପୁଲିସ ପଚରା ଉଚରା କରିବାରୁ ସେ ଗାଡ଼ିର ମାଲିକକୁ ଥାନାକୁ ଡାକିଥିଲା। ମାତ୍ର ମାରଣାସ୍ତ୍ର ବିଷୟରେ କିଛି ସଠିକ୍ ତଥ୍ୟ ନଦେଇ ପାରିବାରୁ ଆଜି ପୁଲିସ ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର