ଭୁବନେଶ୍ବର: ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାରେ ରାଜ୍ୟର ୩ଟି ଆୟୁର୍ବେଦିକ କଲେଜ ଓ ୪ଟି ହୋମିଓପ୍ୟାଥିକ କଲେଜର ଛାତ୍ରଛାତ୍ରୀ ଆଜିଠାରୁ ଏକ ସପ୍ତାହ କଳା ବ୍ୟାଜ୍ ପିନ୍ଧିବା ଆରମ୍ଭ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନ ନିଆଯାଏ, ତା’ହେଲେ ଆସନ୍ତା ୩୧ ତାରିଖରୁ ଏହି ୭ଟି କଲେଜରେ ପାଠପଢ଼ା ବନ୍ଦ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘର ରାଜ୍ୟ ସଭାପତି ଡା. ରାଜେଶ ମିଶ୍ର କହିଛନ୍ତି ଯେ ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଓ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି। ଅର୍ଥାତ୍ ୩.୭ଲକ୍ଷ ବ୍ୟକ୍ତିରେ ଜଣେ ମାତ୍ର ଆୟୁଷ ଡାକ୍ତର ସେବା ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅନୁସାରେ ଦେଶରେ ସମାନ ଭାବେ ଆଧୁନିକ ଚିକିତ୍ସା ଓ ଆୟୁଷ ଚିକିତ୍ସାକୁ ପ୍ରାଧାନ୍ୟ ଦିଆଯିବା କଥା। ମାତ୍ର ଓଡ଼ିଶାରେ ଆୟୁଷ ପ୍ରତି ବୈମାତୃକ ଭାବ ପୋଷଣ କରାଯାଉଛି।

Advertisment

ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ। ଏନ୍‌ଏଏମ୍‌ର ତଥ୍ୟ ଅନୁସାରେ ରାଜ୍ୟର ଜନସଂଖ୍ୟା ଦୃଷ୍ଟିରୁ ୮୦୦ ଆୟୁଷ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୮୦୦ ହସ୍ପିଟାଲ ଖୋଲାଯିବା କଥା। ମାତ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯେହେତୁ ବହୁବର୍ଷ ଧରି କୌଣସି ଆୟୁଷ ଚିକିତ୍ସକ ନିଯୁକ୍ତ ହୋଇନାହାନ୍ତି, ତେଣୁ ଅତିକମ୍‌ରେ ୫୦୦ ଲେଖାଏ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ। ଏହାସହ ପ୍ରତିବର୍ଷ ଅତିକମ୍‌ରେ ୧୦୦ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।