ପ୍ରତି ବ୍ଲକ୍‌ରେ ପାଣିପାଗ ଖବର ପହଞ୍ଚାଇବା ଲକ୍ଷ୍ୟ, ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତୃତା

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାର ପରିମାଣ କମିଛି। ମାତ୍ର ଆଗରୁ ବାତ୍ୟା ସମୁଦ୍ରରୁ ସ୍ଥଳ ଭାଗ ଆଡ଼କୁ ୧୩ କିଲୋମିଟର ବେଗରେ ଗତି କରୁଥିବା ବେଳେ ଏବେ ଏହା ହ୍ରାସ ପାଇଛି। ଫଳରେ ଏହା ଅଧିକ ସମୟ ଭୂପୃଷ୍ଠରେ ରହି ରାଜ୍ୟର ଅଧିକ କ୍ଷତି କରୁଛି। ତେଣୁ ‘ଇମ୍ପାକ୍ଟ ବେସ୍‌ଡ ଫୋର୍‌କାଷ୍ଟ’ ଜରିଆରେ ନିର୍ଦିଷ୍ଟ ଭାବେ ଲୋକଙ୍କ ନିକଟରେ ପାଣିପାଗ ସମ୍ପର୍କିତ ଖବର ପହଞ୍ଚାଇବାକୁ ଉଦ୍ୟମ ହେଉଛି। ଓଡ଼ିଶା ଓ ତାମିଲନାଡ଼ୁରେ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହୋଇଛି। ଫଳସ୍ବରୂପ କେଉଁ ଅଞ୍ଚଳ କେତେ ପ୍ରଭାବିତ ହେବ, କେଉଁ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟି ଭାଙ୍ଗିବ, କେଉଁ ମୋବାଇଲ୍‌ ଟାୱାର ପ୍ରଭାବିତ ହେବ, କେଉଁ ହସ୍ପିଟାଲ୍‌ ଉପରେ ପ୍ରଭାବ ପଡ଼ିବ ଏ ସମ୍ପର୍କରେ ନିର୍ଦିଷ୍ଟ ଭାବେ ସୂଚନା ଦେଇହେବ। ଏଥିସହ ପ୍ରତି ବ୍ଲକ୍‌ରେ, ପ୍ରତି ଘଣ୍ଟାରେ ପାଣିପାଗ ଖବର ପହଞ୍ଚାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୫ବର୍ଷ ମଧ୍ୟରେ ଉଦ୍ୟମ କରାଯିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।

ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ତୃତୀୟ ସ୍ମାରକୀ ବକ୍ତୃତାମାଳାରେ ‘ପ୍ରାକୃତିକ ବିପର୍ଯ୍ୟୟରେ ଜଳବାୟୁ ପରିବର୍ତନ ଓ ବାୟୁମଣ୍ଡଳ ଉଷ୍ମତାର ପ୍ରଭାବ: ଓଡ଼ିଶା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା’ ବିଷୟରେ ବକ୍ତବ୍ୟ ରଖି ଡ. ମହାପାତ୍ର କହିଲେ, ପାଣିପାଗ ସମ୍ବନ୍ଧୀୟ ଖବର ଉପଯୁକ୍ତ ସମୟରେ ସରଳ ଭାଷାରେ, ସୁନ୍ଦର ଉପସ୍ଥାପନା ମାଧ୍ୟମରେ ପହଞ୍ଚିଲେ ହିଁ ଏହା ପ୍ରାକୃତିକ ବିପର୍ଯ୍ୟୟରେ ଜୀବନହାନି ରୋକିବାରେ ସହାୟକ ହୋଇପାରିବ। ଏହି ଅବସରରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବରେନ୍ଦ୍ରକୃଷ୍ଣ ଧଳ ନିର୍ଭୀକ ସାମ୍ବାଦିକତା ଓ ମୁକ୍ତ ବିଚାରର ବିନ୍ଧାଣି ଥିଲେ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିବା ସହ ମୂକ ଜନତାର ସ୍ବରକୁ ଶାଣିତ କରି ପାରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଉତ୍କଳ ସଂସ୍କୃତି ବିଶ୍ବ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ପ୍ରମୁଖ ବରେନ୍ଦ୍ରକୃଷ୍ଣଙ୍କ ସାମ୍ବାଦିକତା, ସାହିତ୍ୟ, ସ୍ତମ୍ଭଲିଖନ ଓ ବ୍ୟକ୍ତିତ୍ବ ବାବଦରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଢେଙ୍କାନାଳ ଜନ ସଞ୍ଚାର ସଂସ୍ଥାନର ସାମ୍ବାଦିକତା (ଓଡ଼ିଆ) ବିଭାଗର କୃତୀ ଛାତ୍ର ଆଲୋକ ଚନ୍ଦ୍ର ବାରିକଙ୍କୁ ଟ୍ରଷ୍ଟ୍‌ ପକ୍ଷରୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଦେଇ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଦେବପ୍ରସାଦ ଦାଶ। ଶେଷରେ ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର