ବୁଣାକାରଙ୍କ ଶାଢ଼ି ବିଶ୍ବ ବଜାରରେ ପହଞ୍ଚାଇବ ‘ପରିଣିତି’

ଭୁବନେଶ୍ବର: ଓଡ଼ିଶାର ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀ ବିଶେଷକରି ଶାଢିକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଛି ‘ପରିଣିତି’ ପ୍ରକଳ୍ପ। ଏଥିରେ ମାଣିଆବନ୍ଧ, ସମ୍ବଲପୁର, ସୋନପୁର, କୋଟପାଡ଼, ବ୍ରହ୍ମପୁରର ଗରିବ ଶ୍ରେଣୀର ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଶାଢିକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଯିବ। ଏଥିପାଇଁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଏକ ରାମ୍ପ୍‌ ସୋ’ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ପଦ୍ମଶ୍ରୀ ଅରୁଣା ମହାନ୍ତି, ନୃତ୍ୟଗୁରୁ ଶାଶ୍ବତ ଯୋଶୀ, ଅଭିନେତ୍ରୀ ଉଷଶ୍ରୀ ମିଶ୍ର, ଡାକ୍ତର ସୁଜାତା କର, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଡ. କାନନାଥ କାଜି ପ୍ରମୁଖ ବୁଣାକାରଙ୍କ ଶାଢି ଓ ପୋଷାକ ପିନ୍ଧି ରାମ୍ପରେ ଚାଲିଥି‌ଲେ।ଏହି କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିଥିଲେ। ଏଥିରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ‘ପରିଣୀତି’ର ଆଭିମୁଖ୍ୟ ନେଇ ପରିଚୟ ଫାଉଣ୍ଡେସନ୍‌ର ମୁଖ୍ୟ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଛନ୍ତି ଯେ, ବୁଣାକାରଙ୍କ ହସ୍ତତନ୍ତ ସାମଗ୍ରୀ ‌ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିଲେ ବି ଲାଭାଂଶର ସ୍ବଳ୍ପ ଅଂଶ ସେମାନେ ପାଉଛନ୍ତି। ପରିଣୀତି ମାଧ୍ୟମରେ ତାଙ୍କ ସାମଗ୍ରୀ ବିକ୍ରିକୁ ପ୍ରୋତ୍ସାହନ ଦେଇ ଲାଭାଂଶକୁ ସିଧାସଳଖ ତାଙ୍କ ପାଖରେ ପହଞ୍ଚାଇବୁ।

ସମ୍ବନ୍ଧିତ ଖବର