ଦୂତିଙ୍କ ଚରିତ୍ର ସଂହାର ଘଟଣା: ଜେଲ୍ ଗଲେ ୱେବ୍‌ ଚ୍ୟାନେଲ୍‌ ସମ୍ପାଦକ, ସାମ୍ବାଦିକ

ସାମ୍ବାଦିକଙ୍କୁ ଯାଜପୁରରୁ ଉଠାଇ ଆଣିଲା କମିସନରେଟ୍‌ ପୁଲିସ
ସୁଧାଂଶଙ୍କୁ ଦିନିକିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି

ଭୁବନେଶ୍ବର : ୱେବ୍‌ ଚ୍ୟାନେଲ୍‌ ଓ ସାମାଜିକ ଗଣମାଧ୍ୟମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧାବିକା ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଚରିତ୍ର ସଂହାର କରିବା ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବାରମ୍ବାର କଟାକ୍ଷ କରିବା ଘଟଣାରେ କମିସନରେଟ୍‌ ପୁଲିସ ଶନିବାର ଦିନ ୱେବ୍‌ ଚ୍ୟାନେଲ୍‌ର ସମ୍ପାଦକ ସୁଧାଂଶୁ ରାଉତ ଓ ସାମ୍ବାଦିକ ସ୍ମୃତି ରଂଜନ ବେହେରାଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର କରି ଅଦାଲତ ଉଭୟଙ୍କୁ ୧୪ ଦିନ ଲାଗି ଝାରପଡ଼ା ଜେଲକୁ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ପୁଲିସ ସୁଧାଂଶୁଙ୍କୁ ଅଧିକ ପଚରାଉଚରା ଲାଗି ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବାବେଳେ ଅଦାଲତ ଦିନକ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଦୂତିଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ କେସ୍‌ ନଂ-୧୦୬ ଆଇପିସିର ଦଫା ୩୫୪(ଏ), ୧୨୦(ବି), ୫୦୯ରେ ମାମଲା ରୁଜୁ କରି ଗତ ଶୁକ୍ରବାର ସୁଧାଂଶୁଙ୍କୁ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଗିରଫ କରିଥିବା ବେଳେ କମିସନରେଟ ପୁଲିସ ଆଜି ସ୍ମୃତିଙ୍କୁ ଯାଜପୁରରୁ ଗିରଫ କରି ଭୁବନେଶ୍ବର ଆଣିଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଉମାଶଙ୍କର ଦାଶ କହିଥିଲେ ଯେ ଏହି ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଦୁଇଟି ଟିମ୍‌କୁ ନିୟୋଜିତ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସ୍ମୃତିରଂଜନ ‘ଫୋକସ୍‌ ପ୍ଲସ୍’ ୱେବ୍‌ ଚ୍ୟାନେଲ୍‌ରେ ଯାଜପୁର ଜିଲ୍ଲା ଧର୍ମଶାଳା ପ୍ରତିନିଧି ଭାବେ କାମ କରୁଥିଲେ। ମହିଳା ଥାନା ପୁଲିସ ଶୁକ୍ରବାର ଦିନ ସଂପାଦକଙ୍କୁ ଗିରଫ କରିଥିବାରୁ ସ୍ମୃତି ଖସିପଳାଇବାର ଆଶଙ୍କା ରହିଥିଲା। ତେଣୁ ତାଙ୍କୁ ଗିରଫ ପାଇଁ ଶୁକ୍ରବାର ରାତିରେ କମିସନରେଟ୍‌ ପୁଲିସର ଏକ ଟିମ୍‌କୁ ଯାଜପୁର ପଠାଯାଇଥିଲା। ଏହି ଟିମ୍‌ ସେଠାରେ ପହଞ୍ଚିବା ପରେ ସ୍ମୃତିଙ୍କ ନମ୍ବର ଟ୍ରାକିଂ କରି ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଆଉ ଶନିବାର ସକାଳୁ ସକାଳୁ ପୁଲିସ ଚଢ଼ଉ କରି ଯାଜପୁର ଧର୍ମଶାଳା ଅଞ୍ଚଳରୁ ସ୍ମୃତିଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ମହିଳା ଥାନାକୁ ଆଣି ସେଠାରେ ଜେରା କରାଯାଇଥିଲା। ‌

ଦୁଇ ଦିନ ତଳେ ଦୂତି ଅଭିଯୋଗ କରିଥିଲେ ଯେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଚାଲିଥିବା ସମୟରେ ୱେବ୍‌ଚ୍ୟାନେଲ୍‌ ସଂପାଦକ ସୁଧାଂଶୁ ରାଉତ ତାଙ୍କ ବିରୋଧରେ ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ ସହ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ଖାଲି ଏତିକି ନୁହେଁ; ତାଙ୍କୁ ନିୟମିତ ବ୍ଲାକ୍‌ମେଲ୍ ମଧ୍ୟ କରାଯାଇଛି ବୋଲି ଦୂତି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ପୂର୍ବରୁ ଏ ନେଇ ଦୂତି ସିନିୟର ସିଭିଲ ଜଜ୍, ଭୁବନେଶ୍ବରଙ୍କ କୋର୍ଟରେ ଏକ ମାନହାନି ମକଦ୍ଦମା ଦାୟର କରିବା ସହ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।


ହସ୍ପିଟାଲରେ ଧମକାଇଲେ ସୁଧାଂଶୁ, ଦୂତିଙ୍କୁ ବରବାଦ୍ କରିଦେବି
ଶନିବାର ଦିନ କୋର୍ଟ ଚାଲାଣ ପୂର୍ବରୁ ସୁଧାଂଶୁଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା। ଡାକ୍ତରୀ ପରୀକ୍ଷା ସାରି ଫେରିଲା ବେଳେ କିଛି ଗଣମାଧ୍ୟମ ତାଙ୍କ ପ୍ରତିକ୍ରିୟା ନେବା ଲାଗି ଚାହିବାରୁ ସୁଧାଂଶୁ ସେଠାରେ ମଧ୍ୟ ନିଜ ତୋଡ଼ ଦେଖାଇଥିଲେ। ପୁଲିସ ତାଙ୍କୁ ଟାଣିଟାଣି ଭ୍ୟାନ୍ ପାଖକୁ ନେଲା ବେଳେ ସେ ଧମକପୂର୍ଣ୍ଣ କଣ୍ଠରେ କହିଥିଲେ; ମୁଁ ଜେଲ୍‌ ଗଲେ ବି ଏ ‌ଲଢ଼େଇ ଜାରି ରହିବ। ଦୂତିଙ୍କୁ ଛାଡ଼ିବି ନାହିଁ, ତାଙ୍କୁ ବରବାଦ୍‌ କରିଦେବି। ସେ ତାଙ୍କ ବାପ ମା’ଙ୍କ ପାଖକୁ ନ ଫେରିବା ଯାଏ ଲଢ଼େଇ କରିବି।

ସୁଧାଂଶୁଙ୍କ ନାଁରେ ମାଳମାଳ ଅଭିଯୋଗ
ସିବିଆଇ ଅଫିସର କହି ଅର୍ଥ ଆଦାୟ କରିଥିଲେ, ବିଲ୍‌ଡର ପରିଚୟ ଦେଇ ଠକିଥିଲେ
ୱେବ୍‌ ଚ୍ୟାନେଲ୍‌ ସମ୍ପାଦକ ସୁଧାଂଶୁଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ମାମମାଳ ଠକେଇ ଅଭିଯୋଗ ରହିଛି। କେତେବେଳେ ସେ ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିଛନ୍ତି ତ ଆଉ କେତେବେଳେ ବିଲ୍ଡର ପରିଚୟ ଦେଇ ପ୍ଲଟ୍‌ ଦେବାକୁ କହି ଲୋକଙ୍କୁ ଠକିଛନ୍ତି। ଏବେ ସୁଧାଂଶୁ ଗିରଫ ହେବା ପରେ ‌ତାଙ୍କ ଅପରାଧ ପେଡ଼ିର ଗୋଟିଏ ପରେ ‌ଗୋଟିଏ ଗୁମର ଖୋଲୁଛି। ୨୦୧୫ ମସିହାରେ ସୁଧାଂଶୁ ନିଜକୁ ଜଣେ ବିଲ୍ଡର ପରିଚୟ ଦେଇ ରାଜଧାନୀରେ ଜମି ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇଥିଲେ। ଏ ନେଇ ବ୍ୟକ୍ତି ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ୨୦୧୬ ମସିହାରେ ବିମୁଦ୍ରୀକରଣ ସମୟରେ ସେ ଏବଂ ତାଙ୍କର ଦୁଇ ସହଯୋଗୀ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ଭରତ ଚନ୍ଦ୍ର ମହାଳିକ ନାମକ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଫିସର ପରିଚୟ ଦେଇଥିଲେ। ଆଉ ତାଙ୍କୁ ବିଭିନ୍ନ ମାମଲାର ଭୟ ଦେଖାଇ ୫୦ହଜାର ଟଙ୍କା ଆଦାୟ କରିଥିଲେ। ଏନେଇ ଭରତ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପରେ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଭରତ ଟଙ୍କା ଫେରିପାଇଥିଲେ। ତେବେ ଏହି ମାମଲା ଏବେ ବି ଜିଲ୍ଲା କୋର୍ଟରେ ବିଚାରାଧୀନ ରହିଛି।

ସମିତି ସଭ୍ୟ ପାଇଁ ଲଢ଼ି ହାରିଥିଲେ
କେବଳ ଏକ ୱେବ୍‌ ଚ୍ୟାନେଲ୍‌ର ସମ୍ପାଦକ ଭାବେ ଯେ ସୁଧାଂଶୁ ପରିଚିତ ଥିଲେ ତାହା ନୁହେଁ; ନିଜର ପତିଆରା ଜାହିର ପାଇଁ ସେ ରାଜନୀତିରେ ବି ପାଦ ଥାପିଥିଲେ। ମଙ୍ଗଳପୁର ଗ୍ରାମ ପଞ୍ଚାୟତର ଅଞ୍ଚଳରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ସେ ସମିତିସଭ୍ୟ ପଦ ପାଇଁ ଲଢ଼ିଥିଲେ। ହେଲେ ମାତ୍ର ୨୫୦ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଥିଲେ।

ଦୂତିଙ୍କ ବିରୋଧରେ ଅଭିଯୋଗ ଫେରାଇନେଲେ
ଶୁକ୍ରବାର ଦିନ ଫୋକସ୍‌ ୱେବ୍‌ ଚ୍ୟାନେଲ୍‌ର ସମ୍ପାଦକ ସୁଧାଂଶୁ ଗିରଫ ହେବା ପରେ ନବରଂଗପୁର ଜିଲ୍ଳାରେ କାର୍ଯ୍ୟରତ ସଂସ୍ଥାର ସଞ୍ଜୀବ ନନ୍ଦ ଓ ତାଙ୍କର କେତେକ ସହଯୋଗୀ ଦୂତିଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏକ ମାନହାନି ମକଦମା କରିଥିଲେ। ଦୂତି ସଂସ୍ଥାର କର୍ମଚାରୀଙ୍କୁ ଧମକଚମକ ଦେବା ସହ ସୋସିଆଲ ମିଡିଆରେ ସମାଲୋଚନା କରିଥିବା ନେଇ ସେମାନେ ଅଭିଯୋଗ ଆଣିଥିଲେ। ହେଲେ ସୁଧାଂଶୁ କହିବାରୁ ସେମାନେ ଏମିତି ଅଭିଯୋଗ ଆଣିଥିଲେ ବୋଲି କହିବା ସହ ଆଜି ଏହି ଅଭିଯୋଗକୁ ପ୍ରତ୍ୟାହାର କରିନେଇଛନ୍ତି।

ସମ୍ବନ୍ଧିତ ଖବର