ବ୍ୟବସାୟୀଙ୍କୁ ଅପହରଣ କରି ମାଡ଼, ଦାଦାବଟି ଆଦାୟ ମାମଲା: କୋଲକାତାରୁ ଧରାପଡ଼ିଲା ‌ୱେବ ପୋର୍ଟାଲ ମୁଖ୍ୟ ରାଜ୍

ଭଡ଼ା କାର୍‌ରେ ଭୁବନେଶ୍ବରରୁ ପଳାଇଥିଲା
୧୦ ଦିନରେ ବଦଳାଇଥିଲା ୩ ହୋଟେଲ
ପୂର୍ବରୁ ସାମ୍ବାଦିକା ଗୁଡ୍ଡି ସମେତ ୫ ଗିରଫ ହୋଇଥିଲେ

ଭୁବନେଶ୍ବର : ଦୁଇ ଜଣ ବ୍ୟବସାୟୀଙ୍କୁ ଅପହରଣ କରି ମୁଣ୍ଡଜାମିନ ରଖିବା ସହ ନିର୍ଯାତନା ଦେବା ଓ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ମାମଲାରେ ଫେରାର ଥିବା ‘ଲାଇଭ୍ କଳିଙ୍ଗ ନ୍ୟୁଜ’ର ମୁଖ୍ୟ ରାଜ୍ ଓରଫ୍ ରଘୁରାମ ସାହୁକୁ କୋଲକାତାରୁ ଗିରଫ କରିଛି କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍। ଗତ ୪ ଦିନ ଧରି ଡେରା ପକାଇଥିବା ୪ ଜଣିଆ ଟିମ୍ ଆଜି ସକାଳୁ କୋଲକାତା ନିଉଟାଉନ୍ ଅଞ୍ଚଳରେ ଥିବା ଏକ ହୋଟେଲରୁ ରାଜ୍‌କୁ ଉଠାଇ ଆଣିଛି। ଆଜି ଅପରାହ୍ନରେ ରାଜ୍‌କୁ ଭୁବନେଶ୍ବର ଅଣା ଯାଇଥିବାବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। କିନ୍ତୁ ରାଜ୍‌ ସହ ଫେରାର ହୋଇଥିବା ଅନ୍ୟ ୩ରୁ ୪ଜଣ ସହଯୋଗୀଙ୍କ ପତ୍ତା ପାଇପାରି ନାହିଁ ପୁଲିସ।

ପୁଲିସ ସୂଚନା ଅନୁସାରେ, ବ୍ୟବସାୟୀଙ୍କୁ ଅପହରଣ କରି ଦାଦାବଟି ପାଇଁ ଅମାନୁଷିକ ଭାବେ ମାଡ଼ ଘଟଣା ନେଇ ନନ୍ଦନକାନନ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଯେତେବେଳେ ଖୋଳତାଡ଼ ଆରମ୍ଭ କଲା; ରାଜ୍ ଗିରଫ ଭୟରେ ଫେରାର ହୋଇଗଲା। ସେ ଭୁବନେଶ୍ବରରୁ ଏକ ଭଡ଼ା କାର୍‌ରେ କୋଲକାତା ନିଉଟାଉନ୍ ପଳାଇଥିଲା। ଆଉ ସେଠାରେ ଗୋଟିଏ ହୋଟେଲରେ ତିନି ଦିନ ରହିବା ପରେ ଅନ୍ୟ ଏକ ହୋଟେଲକୁ ଚାଲିଯାଇଥିଲା। ସେଠି ଦୁଇ ଦିନ ରହିବା ପରେ ଆଉ ଗୋଟିଏ ହୋଟେଲ ବଦଳାଇଥିଲା। ଗିରଫଦାରୀରୁ ବଞ୍ଚିବା ଲାଗି ଏମିତି ୧୦ ଦିନ ଭିତରେ ୩ଟି ହୋଟେଲ ବଦଳାଇଥିଲା ରାଜ୍। ତେବେ ମୋବାଇଲ୍ ଫୋନ୍ ଟ୍ରାକିଂ ଓ ଗୁଇନ୍ଦା ସୂଚନାକୁ ଆଧାର କରି ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍ ରାଜ୍‌ର ପିଛା କରିଥିଲା। ଗତ ୪ ଦିନ ଧରି ନିଉଟାଉନ୍ ଅଞ୍ଚଳରେ ଡେରା ପକାଇବା ସହ ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିବା ପରେ ଶେଷରେ ଏକ ହୋଟେଲରେ ରାଜ୍ ଲୁଚି ରହିଥିବା ସୂଚନା ମିଳିଥିଲା। ତେଣୁ ଆଜି ସକାଳୁ ରାଜ୍‌କୁ ଧରିବା ପୁଲିସ ପାଇଁ ସହଜ ହୋଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଅଞ୍ଚଳର ଟ୍ରକ୍ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ପଶ୍ଚିମବଙ୍ଗ ଆସାନସୋଲର ଭୃଗୁନାଥ ସିଂ ଖଣି ବ୍ୟବସାୟ କରିବା ପାଇଁ ରାଜଧାନୀରେ ଅର୍ଥ ଯୋଗାଡ଼ ସନ୍ଧାନରେ ଥିଲେ। ଜଣେ ପରିଚିତ ବ୍ୟକ୍ତିଙ୍କ ଜରିଆରେ ସେମାନେ ରାଜ୍ ନିକଟରେ ପହଞ୍ଚିଥିଲେ। ଅର୍ଥ ଯୋଗାଡ଼ର ପ୍ରତିଶ୍ରୁତି ଦେଇ ଗତ ଅଗଷ୍ଟ ୫ ତାରିଖରେ ରାଜ ଉଭୟଙ୍କୁ ରଘୁନାଥପୁର ମାରୁତି ରେସିଡେନ୍ସିରେ ଥିବା ନିଜ ଅଫିସକୁ ଡକାଇଥିଲା। ସେଠାରେ ଥିବା ରାଜ୍‌, ଗୁଡ୍ଡି, ୱେବ୍‌ ପୋର୍ଟାଲର କିଛି କର୍ମଚାରୀ ଓ ଅନ୍ୟ କିଛି ସହଯୋଗୀ ଉଭୟଙ୍କ ଫୋନ୍ ଛଡ଼ାଇ ନେବା ସହ ନୃଶଂସ ଭାବେ ପିଟିଥିଲେ ଏବଂ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଏପରିକି ସେମାନେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀଙ୍କ ଠାରୁ ଅନଲାଇନ୍ ଯୋଗେ ୫୦ ହଜାର ଟଙ୍କା ମଧ୍ୟ ନେଇଥିଲେ। ବହୁ କଷ୍ଟରେ ସେମାନଙ୍କଠାରୁ ମୁକୁଳିବାର ପ୍ରାୟ ତିନି ସପ୍ତାହ ପରେ ଦୁଇ ବ୍ୟବସାୟୀ ଏ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା। ପ୍ରଥମେ ଏହି ମାମଲାରେ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓରଫ୍ ଗୁଡ୍ଡି, କ୍ୟାମେରାମ୍ୟାନ୍ ରାଜେଶ, ସହଯୋଗୀ ଅବିନାଶ ପାତ୍ର, ସୁରକ୍ଷାକର୍ମୀ ମମତା ସାହୁ ଓ ଅନ୍ୟ ଜଣେ ସହଯୋଗୀ ସୋନୁକୁ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର