ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ଅବସର ନେବାକୁ ୩ ମାସରୁ ଊର୍ଧ୍ବ ସମୟ ବିତିଗଲାଣି। ତାଙ୍କ ସ୍ଥାନରେ ନୂଆ ଅଧୀକ୍ଷକ ଦିଲ୍ଲୀପ କୁମାର ପଣ୍ଡା ମଧ୍ୟ ପାଖାପାଖି ୧ମାସ ହେବ ଯୋଗ ଦେଲେଣି। କିନ୍ତୁ ଏ ତଥ୍ୟ ହସ୍ପିଟାଲର ଅଫିସିଆଲ୍ ୱେବ୍ସାଇଟ୍ରେ ଉପଲବ୍ଧ ନାହିଁ। କେବଳ ଅଧୀକ୍ଷକଙ୍କ ନାମ ନୁହେଁ, ବିଭିନ୍ନ ବିଭାଗର ଡାକ୍ତର ବଦଳି ହେବା ସହ ତାଙ୍କ ସ୍ଥାନରେ ନୂଆ ଡାକ୍ତର ଯୋଗ ଦେଲେଣି। ସେମାନଙ୍କ ନାମ ମଧ୍ୟ ୱେବ୍ସାଇଟ୍ରେ ଅପଡେଟ୍ ହୋଇନାହିଁ। ଫଳରେ ରାଜଧାନୀର ଅନ୍ୟତମ ମୁଖ୍ୟ ଏହି ସରକାରୀ ହସ୍ପିଟାଲରେ ବିଭିନ୍ନ ବିଭାଗରେ କେତେ ଜଣ ଡାକ୍ତର ଅଛନ୍ତି ଓ ବିଭାଗରେ କି’ କି’ ସୁବିଧା ଉପଲବ୍ଧ ହେଉଛି, ସେ ବାବଦରେ ସାଧାରଣ ଲୋକ ଜାଣି ପାରୁନାହାନ୍ତି।
ନିୟମ ଅନୁସାରେ, ହସ୍ପିଟାଲରେ ବାହାରୁଥିବା ବିଭିନ୍ନ ଟେଣ୍ଡର୍ ନୋଟିସ, ନିଯୁକ୍ତି ନୋଟିସ୍ ଓ ଅନ୍ୟାନ୍ୟ ସୂଚନା ହସ୍ପିଟାଲ ୱେବ୍ସାଇଟ୍ରେ ଉପଲବ୍ଧ ହେବା କଥା। କିନ୍ତୁ ଦେଢ଼ବର୍ଷ ହେବ, କ୍ୟାପିଟାଲ ହସ୍ପିଟାଲର ୱେବ୍ସାଇଟ୍ ଅପଡେଟ୍ ହୋଇନାହିଁ। ଏ ବାବଦରେ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ କରୋନା ପାଇଁ ୱେବ୍ସାଇଟ୍ ଅପଡେଟ୍ ହୋଇପାରି ନଥିଲା। ଖୁବ୍ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।