ଭୁବନେଶ୍ୱର : ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମାନବ ସମାଜ ପାଇଁ ଚିନ୍ତାର ମୁଖ୍ୟ କାରଣ ପାଲଟିଛି। ଏହା ପ୍ରଭାବରେ ସମୁଦ୍ର ପତ୍ତନ ବୃଦ୍ଧି, ବାତ୍ୟାର ବାରମ୍ବାରତା ଓ ତୀବ୍ରତାରେ ବୃଦ୍ଧି, ଅଧିକ ପରିମାଣରେ ବୃଷ୍ଟିପାତ ଓ ବନ୍ୟା ଏବଂ ସମୁଦ୍ରର ବର୍ଦ୍ଧିତ ତାପମାତ୍ରା ଭଳି ବିପର୍ଯ୍ୟୟ ସୃଷ୍ଟି ହେଉଛି। ଉପକୂଳ ଅଞ୍ଚଳ ସବୁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ୁଛି। ଅନ୍ୟପକ୍ଷରେ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ପରିମାଣରେ ବୃଦ୍ଧି ସମୁଦ୍ର ଜଳକୁ ଅଧିକ ଅମ୍ଳୀୟ କରୁଛି, ଯାହାକି ଉପକୂଳ ପରିସଂସ୍ଥା ଏବଂ ଏସବୁ ବାସସ୍ଥଳୀରେ ବସବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ ଉପକୂଳ ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ହେଲେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ୪୮୨ କିଲୋମିଟର ଉପକୂଳ ଅଞ୍ଚଳ ପରିବ୍ୟାପ୍ତ ଓଡ଼ିଶା ପାଇଁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ସବୁକୁ ସୀମିତ ରଖିବା ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ଏକ ବ୍ୟାପକ, ବଳିଷ୍ଠ ଜଳବାୟୁ ନୀତିର ପରିକଳ୍ପନା, ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବା ଏକାନ୍ତ ଅପରିହାର୍ଯ୍ୟ। ଓଡ଼ିଶା ପରିବେଶ ସମିତି(ଓଇଏସ୍) ଆନୁକୂଲ୍ୟରେ ଆୟୋଜିତ ୱେବିନାର୍ ‘ଓଡ଼ିଶାର ଉପକୂଳ ପରିସଂସ୍ଥା- ମାନବ ପ୍ରଭାବ ଏବଂ ପରିବର୍ତ୍ତିତ ପରିସ୍ଥିତି-୨’ରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏପରି ମତପୋଷଣ କରିଛନ୍ତି। ଏହାସହ ଉପକୂଳ ସୁରକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି।
ଓଇଏସ୍ର ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାର୍ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର୍ ପ୍ରତାପ କୁମାର ମହାନ୍ତି, ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ଓ ଜୀବ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରଫେସର୍ ବିଷ୍ଣୁ ପ୍ରସାଦ ଦାଶ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଉପକୂଳରେ ଉପଲବ୍ଧ ନୀଳ ରକ୍ତ କଙ୍କଡ଼ାକୁ ବନ୍ୟଜୀବ ସୂଚୀ-୪ ବଦଳରେ ସୂଚୀ-୧ ରେ ସ୍ଥାନିତ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା।
ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଆମକୁ ଏହି ସବୁ ଅଞ୍ଚଳର ଜମି, ଜଳ, ବର୍ଜ୍ୟବସ୍ତୁ ଏବଂ ପରିସଂସ୍ଥାର ସୁପରିଚାଳନା ନିମନ୍ତେ ପ୍ରଭାବଶାଳୀ, ଅଭିନବ ପଦ୍ଧତି ଅନୁସରଣ କରିବାକୁ ପଡ଼ିବ। ସେହିଭଳି ଶ୍ରୀ ପାତ୍ର ତାଙ୍କ ସଭାପତିତ୍ବ ଅଭିଭାଷଣରେ ଲୁଣା ଜଙ୍ଗଲ ସମେତ ଉପକୂଳସ୍ଥ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ତଥା ସଂରକ୍ଷଣକୁ ଅଧିକ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉପସଭାପତି ଲାଲା ଏକେ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ବରିଷ୍ଠ ବନ୍ୟଜୀବ ବୈଜ୍ଞାନିକ ସୁଧାକର କରଙ୍କ ଧନ୍ୟବାଦ ଦେଇଥିଲେ। ୱେବିନାର୍ରେ ବହୁ ପରିବେଶବିତ୍, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।