ଜମିଲା ବୁଧବାରିଆ ଛାଡ଼ଖାଇ: ରାଜଧାନୀରେ ୪ କୋଟିର କାରବାର, ବୋହିନେଲେ ୮ ଶହ ଟଙ୍କିଆ ମଟନ

ବେଶି ବିକ୍ରି ହେଲା ବାରିପଦା ଦେଶୀ କୁକୁଡ଼ା, ଉପକୂଳିଆ ଖାସି, ମାଛର ଚାହିଦା ବେଶି

ଭୁବନେଶ୍ୱର: ବୁଧବାର ପଡ଼ିଲା ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିଗଲା। ଘରେ ଘରେ ପାଳନ ହେଲା ଏହି ଅଘୋଷିତ ଆଇଁସିଆ ପର୍ବ। ଖାସି ମାଂସ, ଚିକେନ୍‌, ମାଛ ତରକାରୀ ବାସ୍ନାରେ ଭାସିଲା ସହରରୁ ଗାଁ ପର୍ଯ୍ୟନ୍ତ। ରାଜଧାନୀରେ ଏହି ଦିନଟି ଥିଲା ସ୍ବତନ୍ତ୍ର। ପ୍ରାୟ ୪ କୋଟି ଟଙ୍କାର ଆମିଷ କାରବାର ହୋଇଥିଲା। କୋଟିଏ ଟଙ୍କାର ଖାସି ମାଂସ ବିକ୍ରି ହୋଇଥିବା ବେଳେ ଦେଢ଼ କୋଟି ଟଙ୍କାର ଚିକେନ୍‌ ଓ ଦେଢ଼ କୋଟି ଟଙ୍କାର ମାଛ ବିକ୍ରି ହୋଇଗଲା। କେହି ଦର କଥା ବୁଝିବାକୁ ମନ କରିନଥିଲେ। ଦର କଥା ପଚାରିବାକୁ ବି ତର ନଥିଲା। ପୂର୍ବରୁ ଯାହା ଦର ଥିଲା, ଆଜି ପ୍ରାୟ ସବୁଥିରେ କିଲୋ ପିଛା ୨୦ରୁ ୫୦ ଟଙ୍କା ଯାଏ ବଢ଼ିଯାଇଥିଲା। ଖାସି ମାଂସ କିଲୋ ପିଛା ୫୦ ଟଙ୍କା ବଢ଼ିଥିଲା। କିଲୋ ୮ ଶହ ଟଙ୍କା ହେଲେ ବି ରାଜଧାନୀଆ ଖାସି ମାଂସ କିଣିବାକୁ ପଛେଇ ନଥିଲେ। ସେହିଭଳି ଇଲିଶ ମାଛ କିଲୋ ୮ ଶହରୁ ୨ ହଜାର ଟଙ୍କା ହେଲେ ମଧ୍ୟ ଗ୍ରାହକମାନେ ଗୋଡ଼ କୁଦାକୁଦି ହୋଇ କିଣିଥିଲେ। ଭୋର୍‌ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସବୁ ଆମିଷ ଦୋକାନରେ ଭିଡ଼ ଲାଗିଥିଲା।

ବହୁ ଦିନ ପରେ ଚଳିତ ବର୍ଷ ବୁଧବାରରେ ପଡ଼ିଲା ଛାଡ଼ଖାଇ। ଏଥିପାଇଁ ମଙ୍ଗଳବାର ରାତିରୁ ରାଜଧାନୀବାସୀଙ୍କ ଆଖିରେ ନିଦ ନଥିଲା। ଆମିଷ ବେପାରୀମାନେ ବି ରାତି ଅଧରୁ ପସରା ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଅଧିକାଂଶ ଭୁବନେଶ୍ବରିଆ ମର୍ଣ୍ଣିଂ ୱାକ୍‌ ଭୁଲି ଯାଇଥିଲେ। ଭୋର୍‌ରୁ ଦୋକାନରେ ପହଞ୍ଚି ଲାଇନ୍‌ ଲଗାଇଦେଇଥିଲେ। ସଜ ମାଛ ଓ ଭଲ ଖାସି ମାଂସ ପାଇବା ଆଶାରେ ଗ୍ରାହକମାନେ ଯଥାସମ୍ଭବ ଆଗ ଦୋକାନକୁ ଚାଲିଯାଇଥିଲେ। ତେଣୁ ରାତି ପାହିବା ବେଳକୁ ପ୍ରାୟ ୩୦ ପ୍ରତିଶତ ଆମିଷ ବିକ୍ରି ହୋଇସାରିଥିଲା। ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରିରଖିଥିଲେ। ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା। ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍‌ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିଲା।

ଉପକୂଳିଆ ଖାସି, ମାଛର ଚାହିଦା ବେଶି
ବିଶେଷକରି ଆଜି ମଟନ୍‌ ଉପରେ ଅଧିକ ଗ୍ରାହକଙ୍କ ନଜର ଥିଲା। ରାଜଧାନୀର ମାଂସ ବେପାରୀମାନେ ଓଡ଼ିଶାର ବଲାଙ୍ଗୀର, ନୟାଗଡ଼, ଦଶପଲ୍ଲା, କାକଟପୁର ଓ ନିମାପଡ଼ା ଅଞ୍ଚଳରୁ ଛେଳି ଆଣିଥିଲେ। ତେବେ ସବୁ ବର୍ଷ ଭଳି ଏହା ଯଥେଷ୍ଟ ହୁଏ ନାହିଁ ବୋଲି ବେପାରୀମାନେ ପଶ୍ଚିମବଙ୍ଗର ନର୍‌ଖୁଲ୍‌ଡଙ୍ଗା, ମାଲ୍‌ଦା, କ୍ଷେତ୍ରୀପୁରରୁ ଛେଳି ମଗାଇଥିଲେ। ତେବେ ଖୋର୍ଦ୍ଧା, ନିମାପଡ଼ା, ଗୋପ ଭଳି ଉପକୂଳିଆ ଅଞ୍ଚଳର ଖାସି ମାଂସର ଚାହିଦା ଥିଲା ଅଧିକ। ଏହାର ଦାମ୍ ମଧ୍ୟ ଥିଲା ବେଶି। ଏହି ଉପକୂଳିଆ ଛେଳି ମାଂସ କି‌ଲୋ ପିଛା ୮ ଶହ ଟଙ୍କା ହୋଇଯାଇଥିଲା। ଅବଶ୍ୟ ଅନ୍ୟ ପ୍ରକାର ଖାସି ମାଂସ କିଲୋ ୭୫୦ ଟଙ୍କା ହୋଇଯାଇଥିଲା। ତେବେ ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳରେ ଅନେକ ସ୍ଥାନରେ ଖାସି ମାଂସ କିଲୋ ୭ ଶହ ଟଙ୍କା ଥିଲା। ରାଜଧାନୀ ୪ ନମ୍ବର ହାଟରେ ୨୦ଟି ମଟନ୍‌ ଦୋକାନ ଥିବା ବେଳେ ସମଗ୍ର ରାଜଧାନୀରେ ୩ ଶହରୁ ଊର୍ଧ୍ବ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ତେବେ ଅନେକ ଲୋକ ଖାସି ମାଂସର ପ୍ରକାର ଭେଦ ଜାଣିନଥିବାରୁ ଯାହା ପାଇଲେ, ମାଈ ଅଣ୍ଡିରା କିଛି ନବୁଝି କିଣି ପକାଇଥିଲେ। ବେପାରୀମାନେ ବି ଉପକୂଳିଆ ଖାସି କହି ଜଙ୍ଗଲି ପାହାଡ଼ି ଛେଳି ମାଂସ ବିକି ପକାଇଥିଲେ। ସେହିଭଳି ମାଛ କ୍ଷେତ୍ରରେ ବି ଦେଖାଯାଇଥିଲା। ଆନ୍ଧ୍ର ମାଛ ଅପେକ୍ଷା ଦେଶି ମାଛର ଦର ଥିଲା କିଲୋ ପିଛା ୨୦ ଟଙ୍କା ଅଧିକ। ଆନ୍ଧ୍ର ରୋହି, ଭାକୁଡ଼ କିଲୋ ୧୮୦ ଟଙ୍କା ରହିଥିବା ବେଳେ ଉପକୂଳିଆ ରୋହି, ଭାକୁଡ଼, ମିରକାଳି ମାଛ କିଲୋ ୨୨୦ ଟଙ୍କାକୁ ଛୁଇଁଥିଲା। ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲ୍ଲା, ସୋରଡ଼ା ଡ୍ୟାମ୍‌ରୁ ଆଜି ରାଜଧାନୀକୁ ମାଛ ଆସିଥିଲା। ପ୍ରତିଦିନ ରାଜଧାନୀକୁ ୩ଟି ମା‌ଛ ଗାଡ଼ି ଆସୁଥିବା ବେଳେ ଛାଡ଼ଖାଇ ପାଇଁ ୧୨ଗାଡ଼ି ମାଛ ଆସିଥିଲା। ଆଜି ଚିଙ୍ଗୁଡ଼ି କାରବାର ମଧ୍ୟ ଭଲ ହୋଇଥିଲା। ଟାଇଗର ଦର-୪୦୦, ଛୋଟ ଚିଙ୍ଗୁଡ଼ି-୨୦୦ରୁ ୩୦୦ ଟଙ୍କା ଥିଲା। ପୋହଳା କିଲୋ ୨୦୦, ଭେକ୍‌ଟି କିଲେଶ ୬୦୦, ପାମ୍ପ୍ଲେଟ୍‌ ୮୦୦ରୁ ୧୬୦୦ ଟଙ୍କା ଥିଲା।

ବେଶି ବିକ୍ରି ହେଲା ବାରିପଦା ଦେଶୀ କୁକୁଡ଼ା
ଛାଡ଼ଖାଇ ପାଇଁ ଆଜି ଅଧିକାଂଶ ଲୋକ ବ୍ରଏଲର ଚିକେନ୍‌ କିଣିଥିଲେ। କିଲୋ ପିଛା ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହୋଇଥିଲା। ତେବେ ଲେଗ୍ ପିସ୍‌ ଓ କଣ୍ଟା ପିସ୍‌ ଦର ୨୬୦ ଟଙ୍କାକୁ ଛୁଇଁଥିଲା। ଆନ୍ଧ୍ର ଓ ପିପିଲିରୁ ବ୍ରଏଲର୍ ଆମଦାନି ହୋଇଥିଲା। ତେବେ ବନରାଜ କୁକୁଡ଼ା ମଧ୍ୟ ବେଶ୍‌ ଭଲ ବେପାର ହୋଇଥିଲା। ଏହାର ଦର କିଲୋ ପ୍ରତି ୩ ଶହରୁ ୩୫୦ ଟଙ୍କା ପଡ଼ୁଥିଲା। ସେହିଭଳି ଦେଶୀ ଚିକେନ୍‌ର ଦର ଥିଲା ୪୫୦ରୁ ୫୫୦ ଟଙ୍କା। ବାରିପଦାରୁ ଚାଲାଣ ହୋଇଥିବା ଦେଶୀ କୁକୁଡ଼ା କିଣିବାକୁ ଗ୍ରାହକଙ୍କ ଅଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ଲୋକମାନେ ଖୋଜି ଖୋଜି ବାରିପଦା ଦେଶୀ କୁକୁଡ଼ା ମାଂସ କିଣିବା ଦେଖିବାକୁ ମିଳୁଥିଲା। ରାଜଧାନୀରେ ୨୦ ଭେଣ୍ଡର ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟବସାୟ କରିଥିବା ନେଇ ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି।

ବାଲିପାଟଣାରେ ଖାସି ମାଂସ ସାଢ଼େ ୬ ଶହ
ଆଜି ବାଲିପାଟଣା ଅଞ୍ଚଳରେ ବି ଛାଡ଼ଖାଇ ବଜାର ବେଶ୍ ଜମିଥିଲା। ମାଛ, ମାଂସ ଓ ଚିକେନ୍‌ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ତେବେ ଛାଡ଼ଖାଇ ମାଛ ଖିଆରୁ ଆରମ୍ଭ କରିବା ଏକ ପରମ୍ପରା ହୋଇଥିବାରୁ ଏହି ଅଞ୍ଚଳରେ ଅଧିକ ମାଛ ବେପାର ହୋଇଥିଲା। ପ୍ରାୟ ୫୦ କ୍ବିଣ୍ଟାଲ ମାଛ ବିକ୍ରି ହୋଇଥିବା ଜଣାପଡ଼ିଛି। ପୁରୀ, ନିମାପଡ଼ା, ଗୋପ ଓ ବଳଙ୍ଗା ଅଞ୍ଚଳରୁ ଚାଷ ହୋଇଥିବା ଦେଶୀ ମାଛ ବେଶି ବିକ୍ରି ହୋଇଥିଲା। ଦେଶୀ ରୋହି, ଭାକୁଡ଼ ଆଦି ମାଛ କିଲୋ ୨ଶହ ଟଙ୍କା ଥିଲା। ମାଂସ ଓ ଚିକେନ୍‌ ପ୍ରତି କମ୍ ଆଗ୍ରହ ଥିବାରୁ ଦର ବି ରାଜଧାନୀ ବଜାର ତୁଳନାରେ କମ୍‌ ଥିଲା। ଏଠାରେ ଉପକୂଳିଆ ଖାସି ମାଂସ ବି ସାଢ଼େ ୬ ଶହ ଟଙ୍କା ଥିଲା। ଚିକେନ୍‌ ୨୨୦ ଟଙ୍କାରେ ବିକ୍ରି ହେଉଥିଲା।

ସମ୍ବନ୍ଧିତ ଖବର