ଭୁବନେଶ୍ୱର: ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ। ଗତ ବର୍ଷ ଶିଶୁ ଦିବସରେ ଏମିତି ସ୍ୱପ୍ନ ଓ ସଂକଳ୍ପର କଥା ଶୁଣିବାକୁ ମିଳିଥିଲା। ମାତ୍ର ଶିକ୍ଷା ଓ ଶୈକ୍ଷିକ ବାତାବରଣ ଯେ ଦୁର୍ବଳ ହୋଇ ପଡ଼ିଛି ତାହା ପାଠଶାଳାର ଭଙ୍ଗା ବିଲ୍ଡିଂରୁ ଜଳଜଳ ବାରି ହୋଇପଡ଼ୁଛି। ବିଲ୍ଡିଂ ଦେଖିଲେ ଛାତିରେ ଛନକା ପଶିଯାଉଛି। ଅଥଚ ଛୋଟଛୋଟ ପିଲା ଜୀବନକୁ ପାଣି ଛଡ଼େଇ ସେଇ ବିଲ୍ଡିଂରେ ପାଠ ପଢ଼ୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଇ ଯେମିତି ଖଣ୍ଡଗିରିସ୍ଥିତ ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ। ବର୍ଷେ ତଳେ କୁନିକୁନି ପିଲାମାନେ ପଢ଼ୁଥିବା ବେଳେ ଛାତ ଫାଟି କଂକ୍ରିଟ୍ ଖସିଲା। ତେଣୁ କିଛିଦିନ ସ୍କୁଲ୍ ବନ୍ଦ ରହିଥିଲା। ପୁଣି ଏବେ ସମଦଶା ଦେଖିବାକୁ ମିଳିଲା। ଭାଗ୍ୟ ସିନା ବଞ୍ଚାଇ ଦେଲା, ହେଲେ ସ୍କୁଲ୍ ପିଲା ଯେ ବିପଦରୁ ମୁକ୍ତ ନୁହନ୍ତି ତାହା ପ୍ରମାଣିତ ହୋଇଗଲା। ସେହିପରି ସାଲିଆ ସାହି ‘ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ’। ଏଠି ତ ମୁଣ୍ଡ ଉପରେ ସୂର୍ଯ୍ୟ ଆସି ସିଧା ସବାର ହୋଇଯା’ନ୍ତି। ଆଜବେଷ୍ଟସ ପଡ଼ିଛି। ହେଲେ ୧୯୮୪ ପରଠୁ ଆଉ ଏହାକୁ ପରିବର୍ତନ କରାଯାଇନି। ଏଠି ପିଲା କୁକୁର ବି ଏକାକାର ହୋଇଯାଆନ୍ତି। ଭଙ୍ଗାକାନ୍ଥରେ କବାଟ ଏମିତି ଝୁଲି ରହିଛି ଯେ, ଶ୍ରେଣୀଗୃହକୁ ପଶିବାକୁ ଭୟ। ସ୍କୁଲ୍ର ଝରକାକୁ ଜାଲି ଆଢ଼ୁଆଳ ଦେଇ ବୁଜା ଯାଇଛି। ବାରଣ୍ଡା ଅବସ୍ଥା ତ ନକହିବା ଭଲ। ଗୋଟେ ଗୋଡ଼ ଚଟାଣରେ ପଡ଼ିଲେ ଆଉ ଗୋଟେ ଗୋଡ଼ ଖାଲରେ ରଖି ପିଣ୍ଡାରେ ଠିଆ ହେବାକୁ ପଡ଼ିବ। ରେଣ୍ଟାଲ୍ କଲୋନି ୟୁଜି ୟୁପି ସ୍କୁଲ୍ରେ ବର୍ଷା ହେଲେ ପାଣି ଗଳୁଛି। କାନ୍ଥ ଫାଟିକି ଝୁଲି ରହିଛି। ଯେଉଁ ଶ୍ରେଣୀଗୃହର ମୂଳଦୁଆ ଫାଟି ଆଁ କରିଛି ତାହା ଏଇ ୫-୬ ବର୍ଷ ତଳେ ନିର୍ମିତ ହୋଇଛି। ବରମୁଣ୍ଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ କାନ୍ଥରୁ ପଲସ୍ତରା ଖସି ଇଟା ଦିଶୁଛି। ସ୍କୁଲ୍ ଛାତରୁ ବି ଠାଏଠାଏ ପଲସ୍ତରା ଖସି କଳଙ୍କି ଲଗା ଲୁହା ରଡ୍ ଦେଖାଯାଉଛି। ଅଥଚ ପିଲାମାନେ ଅନାୟାସରେ ସ୍କୁଲ୍ ଭିତରେ ଏଣେତେଣେ ଦୌଡ଼ୁଥିଲେ। ବସି ପଢ଼ୁଥିଲେ। ସେମାନେ ସିନା କୋମଳମତି, ଶିକ୍ଷା ବିଭାଗର ବାବୁମାନେ ତ ସବୁ ଜାଣନ୍ତି…। କେବେ ସେମାନଙ୍କ ନଜର ପଡ଼ିବ ବିପଜ୍ଜନକ ଅବସ୍ଥାରେ ଥିବା ଏହି ସ୍କୁଲ୍ଗୁଡ଼ିକ ଉପରେ?