କ୍ୟାପିଟାଲ୍‌ ଥାନା‌ରେ ଖୋଲିଲା ‘ସ୍ବାଗତ’ କେନ୍ଦ୍ର, ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା

କର୍ପୋରେଟ୍ ଢାଞ୍ଚାରେ ଚାଲିବ କମିସନରେଟ୍‌ ପୁଲିସ: କମିସନର୍‌
ପର୍ଯ୍ୟାୟକ୍ରମେ ସବୁ ଥାନାରେ ଖୋଲିବ

ଭୁବନେଶ୍ବର : ଅଭିଯୋଗ ଦାଖଲ ପାଇଁ ଥାନାକୁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। କିମ୍ବା ଅଭିଯୋଗ ପରେ ବି କେହି ଶୁଣିଲେ ନାହିଁ, ପୁଲିସ ଅଭିଯୋଗ ରଖିଲାନି, କର୍ମଚାରୀ ଖରାପ ବ୍ୟବହାର କଲେ; ଏସବୁ ଅଭିଯୋଗ ଆଉ ଶୁଣିବାକୁ ମିଳିବନି। ପୂରା କର୍ପୋରେଟ୍‌ ଢାଞ୍ଚାରେ ଚାଲିବ କମିସନରେଟ୍‌ ପୁଲିସ। ଅଭିଯୋଗକାରୀଙ୍କୁ ସହଜ, ସରଳ ଓ ତ୍ବରିତ ସେବା ଯୋଗାଇ ଦିଆଯିବ। ଅଭିଯୋଗକାରୀଙ୍କ ଉଦ୍ଦେଶ୍ୟରେ କ୍ୟାପିଟାଲ୍‌ ଥାନାରେ ହୋଇଥିବା ‘ସ୍ବାଗତ’ କେନ୍ଦ୍ରକୁ ଉଦ୍‌ଘାଟନ କରି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହା କହିଛନ୍ତି। କମିସନରେଟ୍‌ ପୁଲିସ ଓ ଫାଲକନ୍‌ ଗ୍ରୁପ୍‌ର ମିଳିତ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ଏହି ଶୀତତାପ ନିୟନ୍ତ୍ରିତ ଅଭିଯୋଗ ପ୍ରକୋଷ୍ଠ (ସ୍ବାଗତ କେନ୍ଦ୍ର) ଖୋଲିଛି। ପରବର୍ତ୍ତୀ ପର୍ଯାୟରେ କମିସନରେଟ୍‌ ପୁଲିସର ଅନ୍ୟ ଥାନାଗୁଡ଼ିକରେ ମଧ୍ୟ ଏହି କେନ୍ଦ୍ର ଖୋଲାଯିବ।

ଏଠାରେ ଉପସ୍ଥିତ ପୁଲିସ କର୍ମଚାରୀ ‘ମେ ଆଇ ହେଲ୍ପ ୟୁ’ ଢାଞ୍ଚାରେ ସ୍ବାଗତ କରି ଅଭିଯୋଗକାରୀଙ୍କ ସମସ୍ୟା ଶୁଣିବେ। ସେମାନଙ୍କ ସମସ୍ୟା ବା ଅଭିଯୋଗକୁ କମ୍ପ୍ୟୁଟର୍‌ ଯୋଗେ ଷ୍ଟେସନ୍‌ ଡାଏରିରେ ରେକର୍ଡ କରିବେ। ଅଭିଯୋଗକୁ ପଞ୍ଜୀକରଣ କରି ଅଭିଯୋଗକାରୀଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ପଠାଇବେ। ଅଭିଯୋଗକାରୀ ମେସେଜ୍‌ ପାଇବା ମାତ୍ରେ ପ୍ରତ୍ୟୁତ୍ତର ରଖିବେ। ଯଦି ତ୍ବରିତ ସେବାର ଆବଶ୍ୟକ ଦରକାର ପଡ଼େ, ତୁରନ୍ତ ଯୋଗାଇ ଦିଆଯିବ। ମୋବାଇଲ ମିସିଂ, ମ୍ୟାନ୍‌ ମିସିଂ, ଗନ୍‌ ଲାଇସେନ୍ସ, କ୍ୟାରେକ୍ଟର ସାର୍ଟିଫିକେଟ୍‌ ଯାଞ୍ଚ ଭଳି ସେବା ତୁରନ୍ତ ମିଳିବ। ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସଫ୍ଟୱେର୍‌ ‘ସ୍ବାଗତ’ ଡିଜାଇନ୍‌ କରାଯାଇଛି। ଏଥିରେ ଅଭିଯୋଗକାରୀଙ୍କ ଅଭିଯୋଗକୁ ତୁରନ୍ତ ରେକର୍ଡ କରାଯିବ। ପରେ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ତୁରନ୍ତ ଫାଇଲ ବା ଅଭିଯୋଗ ତଥ୍ୟ ପ୍ରଦାନ କରାଯିବ।

ଏପରିକି ବାହାଘର, ଶୁଦ୍ଧକ୍ରିୟା କାମ ଲାଇସେନ୍ସ ଆଣିବା ପାଇଁ ଏଠାରେ ଏକ କ୍ୟୁଆର୍‌ କୋଡ୍‌ କୋଡ୍‌ ସ୍କାନର୍‌ ରଖାଯାଇଛି। ଏହାକୁ ସ୍କାନ୍‌ ତୁରନ୍ତ ସେବା ପାଇ ହେବ। ଏହାଛଡ଼ା ମହିଳା ଓ ଶିଶୁ ପ୍ରକୋଷ୍ଠକୁ ନୂତନ ଢାଞ୍ଚାରେ ଡିଜାଇନ୍‌ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଗୃହ ରହିଛି। ସେଥିରେ ଛୋଟ ପିଲାଙ୍କ ଖେଳିବାଠାରୁ ଆରମ୍ଭ କରି ପଢ଼ିବା ପାଇଁ ବହି ରଖାଯାଇଛି। ଏହି ଗୃହରେ ଛୋଟ ପିଲାଙ୍କୁ ଛାଡ଼ି ଅଭିଯୋଗକାରୀ ଆରାମ୍‌ରେ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରିପାରିବେ।

ଫାଲ୍‌କନ ଗ୍ରୁପ୍‌ର ନିର୍ଦ୍ଦେଶକ ପାର୍ଥଜିତ୍‌ ପଟ୍ଟନାୟକ କହିଛନ୍ତି, ଲୋକ କିଭଳି ଉନ୍ନତ ସେବା ପାଇବେ, ସେଥିପାଇଁ ଆମେ ସର୍ବଦା ଚେଷ୍ଟା କରିଆସୁଛୁ। କମିସନରେଟ୍‌ ପୁଲିସ ଓ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ସାମିଲ୍‌ ହୋଇ ଆଗାମୀ ଦିନରେ ଆଉ ୩ରୁ ୪ଟି ଥାନାରେ ଏଭଳି କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରଖିଛୁ। କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଭୁବନେଶ୍ବର ଡିସିପି ପ୍ରତୀକ ସିଂ, କଟକ ଡିସିପି ପୀନାକ୍‌ ମିଶ୍ର, ଏସିପି ମାନସ ଗଡ଼ନାୟକଙ୍କ ସମେତ ସମସ୍ତ ଜୋନ୍‌ ଏସିପି ଏବଂ ଥାନା ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର