ନବୀନଙ୍କୁ ସ୍ବାଗତ ବେଳେ…ବିଧାୟକ ଦେଖାଇଲେ ଦମ୍, ଟ୍ରାଫିକ ଅବ୍ୟବସ୍ଥା ପାଇଁ ବର୍ଷିଲା ବିଜେପି

ଭୁବନେଶ୍ବରର ତିନି ବିଧାୟକ ଦମ୍‌ ଦେଖାଇଲେ

ଭୁବନେଶ୍ବର: ନବୀନଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରୁ ଲୋକ ଆସିଥିଲେ। ଦୂର ନିର୍ବାଚନମଣ୍ଡଳୀଗୁଡ଼ିକରୁ କମ୍ ଲୋକ ଆସିଥିଲା ବେ‌ଳେ ନିକଟବର୍ତ୍ତୀ ଅଞ୍ଚଳରୁ ଅଧିକ ଲୋକ ଆସିଥିଲେ। ଅଧିକ ଲୋକ ଜମାଇବା ପାଇଁ ଭୁବନେଶ୍ବରର ତିନି ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା। ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ବହୁ ସଂଖ୍ୟାରେ ‌ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବିମାନବନ୍ଦର ନିକଟକୁ ଆସିଥିଲେ। ଭୁବନେଶ୍ବରର ପ୍ରାୟ ସବୁ ବିଜେଡି କର୍ପୋରେଟର୍‌ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭୁବନେଶ୍ବର ମଧ୍ୟର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କୁ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଦେଖିବାକୁ ମିଳିଥିଲା। ବହୁ ଦିନ ବ୍ୟବଧାନ ପରେ ଶ୍ରୀ ମହାନ୍ତି ରାଜନୈତିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଲୋକଙ୍କ ଖୁସି ଆଗରେ ଅସୁବିଧା କିଛି ନୁହେଁ : ମେୟର ସୁଲୋଚନା

ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଆଜି ରାଜଧାନୀ ଜନସମୁଦ୍ର ପାଲଟି ଯାଇଥିଲା। ରାଜଧାନୀବାସୀଙ୍କୁ ଯିବା ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ହେଲେ ଏହି ଅସୁବିଧା କିଛି ନୁହେଁ ବୋଲି କହିଛନ୍ତି ବିଜେଡି ନେତ୍ରୀ ତଥା ବିଏମ୍‌ସି ମେୟର ସୁଲୋଚନା ଦାସ। ଶ୍ରୀମତୀ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକମାନେ ଭୁବନେଶ୍ବର ଧାଇଁ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ସାଢ଼େ ୪କୋଟି ଲୋକ ଗର୍ବ ଅନୁଭବ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାର ଖୁସି ଆଗରେ ଛୋଟମୋଟ ଅସୁବିଧା କିଛି ନୁହେଁ। ଲୋକମାନେ ଏହି ଅସୁବିଧାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଲୋକଙ୍କ ଖୁସି ଆଗରେ ଏହି ଅସୁବିଧା କିଛି ନୁହେଁ ବୋଲି ସେ କହିଛନ୍ତି। ମେୟରଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

କମିସନରେଟ୍ ପୁଲିସର ପକ୍ଷପାତିତା ନିନ୍ଦନୀୟ: ବିଜେପି

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ଆଜି ରାଜଧାନୀ‌ର ଟ୍ରାଫିକ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ନେଇ ବିଜେପି କମିସନରେଟ୍ ପୁଲିସକୁ ଦାୟୀ କରିଛି। ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ ଆଜି କମିସନରେଟ୍ ପୁଲିସ ହାତ ଟେକିଦେବାରୁ ଭୁବନେଶ୍ବରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଏବଂ ରୋଗୀ ଯିବା ଆସିବାରେ ଅକଥନୀୟ ହଇରାଣ ହରକତ ହୋଇଛନ୍ତି। ଟ୍ରାଫିକ ବ୍ୟବସ୍ଥାର ବିଫଳତା କାରଣରୁ ବିମାନ ଯାତ୍ରୀ ନୟାନ୍ତ ହୋଇଛନ୍ତି। ଜନସାଧାରଣଙ୍କୁ ପଛରେ ପକାଇ ଶାସକ ବିଜେଡି ପ୍ରତି ପୁଲିସର ଏତେ ପକ୍ଷପାତିତା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମଲ୍ଲିକ କହିଛନ୍ତି, ଅତୀତରେ ରାଜଧାନୀରେ ଅନ୍ୟ ରାଜନୈତିକ ଦଳ ହେଉ ବା କୌଣସି ସଂଗଠନର କାର୍ଯ୍ୟକ୍ରମ, ସମାବେଶ ସମୟରେ ଭୁବନେଶ୍ୱରକୁ ବିଭିନ୍ନ ଆଡ଼ୁ ଆସୁଥିବା ଛୋଟ ବଡ଼ ଗାଡ଼ି ଓ ବସ୍‌କୁ ସହର ଭିତରକୁ ପଶିବାକୁ ନଦେଇ ଅଧାରାସ୍ତାରେ ପୁଲିସ ଅଟକାଇ ଦିଏ। କିନ୍ତୁ ଆଜି ଏକ ଭିନ୍ନ ରୂପ ଓ ଭିନ୍ନ ମନୋଭାବ ଦେଖାଇଛି କମିସନରେଟ୍ ପୁଲିସ। ସହର ଭିତରେ ରାଜମହଲ, ମାଷ୍ଟର କ୍ୟାଣ୍ଟିନ, କଳ୍ପନା, ୧୨୦ବାଟାଲିୟନ, ରାମ ମନ୍ଦିର ଭଳି ସମସ୍ତ ଟ୍ରାଫିକ ଛକଗୁଡ଼ିକରେ ବିଜେଡି ପତାକା ଥିବା ଛୋଟ ବଡ଼ ଗାଡ଼ି ଓ ବସ୍ ଗୁଡ଼ିକୁ ପୁଲିସ ଛିଡ଼ା ହୋଇ ଆଗ ଟ୍ରାଫିକ କ୍ଲିୟରାନ୍ସ ଦେଉଥିଲେ। ସହରସାରା ବେପରୱା ଭାବେ ବିଜେଡି ପତାକା ଲାଗିଥିବା ଗାଡ଼ିଗୁଡ଼ିକ କୌଣସି ଆଇନ, ପ୍ରତିବନ୍ଧକ, କଟକଣାକୁ ବେଖାତିର କରି ସାଧାରଣ ଲୋକଙ୍କୁ ହଇରାଣ କରୁଥିଲେ। ରାଜଧାନୀରେ ଅନ୍ୟ ଦିନଗୁଡ଼ିକରେ ପୁଲିସ ବିନା ହେଲ୍‌ମେଟରେ ଗାଡ଼ି ଚଲାଉଥିବା ଲୋକଙ୍କ ଠାରୁ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ କାଟୁଥିବା ବେଳେ ଆଜି କାହିଁକି ଚୁପ୍ ରହିଥିଲା ? ସେହିପରି ଶାସକ ଦଳ ପାଇଁ ଗୋଟିଏ ଆଇନ, ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ଆଇନ ବ୍ୟବସ୍ଥା ଓଡ଼ିଶା ପୁଲିସ ଟ୍ରାଫିକ ଆଇନରେ ରହିଛି କି ବୋଲି ଶ୍ରୀ ମଲ୍ଲିକ ପୁଲିସ ଡିଜିଙ୍କୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର