ଚନ୍ଦ୍ରଶେଖରପୁର: ବର୍ତ୍ତମାନ ଦେଶରେ ନିପା ଭୂତାଣୁର ଆତଙ୍କ ଖେଳି ଯାଇଛି। କେରଳରେ ଜଣେ ନର୍ସଙ୍କୁ ମିଶାଇ ଏହି ଭୂତାଣୁ ପାଖାପାଖି ୧୩ ଜଣଙ୍କ ପ୍ରାଣ ନେଇ ସାରିଲାଣି। ବାଦୁଡ଼ି ଓ ଘୁଷୁରି ଏହି ପ୍ରାଣଘାତୀ ଭୂତାଣୁ ବାହକରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଆନ୍ତି ବୋଲି ଜଣାଯାଇଛି। ୧୯୯୯ ମସିହାର ଫେବ୍ରୁଆରିରୁ ଏପ୍ରିଲ୍ ମାସ ମଧ୍ୟରେ ମାଲେସିଆରେ ଏହି ଭୂତାଣୁ ତିନି ଜଣ ଘୁଷୁରି ପାଳକଙ୍କର ପ୍ରାଣ ନେଇଥିଲା। ତେଣୁ ବିଶେଷଜ୍ଞମାନେ ଘୁଷୁରି ଏବଂ ଘୁଷୁରି ପାଳନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସାଲିଆସାହିରୁ ଏହି ଭୂତାଣୁ ଓଡ଼ିଶାରେ ବ୍ୟାପିବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି। ଏଠାରେ ପଲପଲ ଘୁଷୁରି ଦୈନିକ ଆବର୍ଜନାଯୁକ୍ତ ବିଷାକ୍ତ ପଙ୍କରେ ଲଟପଟ ହେଉଛନ୍ତି। ଆଉ ଏପରି ପୂତିଗନ୍ଧମୟ ପରିବେଶରେ କାଳାତିପାତ କରୁଛନ୍ତି ସାଲିଆସାହି ବାସିନ୍ଦା। ନୟାଗଡ଼ ସାହି, ନୀଳଚକ୍ର ନଗର, ସତ୍ୟନାରାୟଣ ବସ୍ତି ଏମିତି ଅଞ୍ଚଳକୁ ଲାଗି ରହିଛି ସାଲିଆ ସାହିର ଏହି ଅଞ୍ଚଳ। ସେହି ସ୍ଥାନ ତଥା ଏହାର ଆଖପାଖ ଅଞ୍ଚଳରେ ଏପରି ଦୁର୍ଗନ୍ଧ ହେଉଛି ଯେ ସେଠାରେ ଠିଆ ହେବା ମଧ୍ୟ ମୁସ୍କିଲ୍। ଏହି ଅଞ୍ଚଳ ଓ୍ଵାର୍ଡ ନଂ ୨୬ ଓ ୨୦ର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଜନପ୍ରତିନିଧିମାନେ ନିଜ ଓ୍ଵାର୍ଡରେ ଯାଉନଥିବା କହି ଦାୟିତ୍ୱରୁ ଓହରି ଯାଉଛନ୍ତି। ବର୍ତ୍ତମାନ ଏହି ପରିବେଶ ନିପା ଭାଇରସ୍ ଭଳି ମାରାତ୍ମକ ଭୂତାଣୁକୁ ନିମନ୍ତ୍ରଣ ଭଳି ସ୍ଥିତି ସୃଷ୍ଟି କରିଛି। ଉକ୍ତ ସ୍ଥାନକୁ ଯାଇ ନିଜ ଆଖିରେ ନ ଦେଖିଲେ କେହି କେବେ ମଧ୍ୟ ବିଶ୍ୱାସ କରିବେନି ଯେ ଦେଶର ନଂ ୧ ସ୍ମାର୍ଟ ସିଟିର ବୁକୁ ଉପରେ ଏପରି କଦର୍ଯ୍ୟ ପରିବେଶ ରହିଛି। ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ଏହି ସ୍ଥାନରେ ଘୁଷୁରି ହେଉଛନ୍ତି ସେମାନଙ୍କ ପଡ଼ୋଶୀ। ବର୍ଷା ସମୟରେ ସେହି ସ୍ଥାନ ମଣିଷ ରହିବା ଉପଯୋଗୀ ହୋଇ ରୁହେ ନାହିଁ। ମଇଳା ଆବର୍ଜନାରେ ପୂର୍ଣ୍ଣ ସେହି ଖାଲୁଆ ସ୍ଥାନରେ ବର୍ଷା ପାଣି ଭର୍ତ୍ତି ହୋଇ ବସ୍ତି ସାରା ପ୍ରବାହିତ ହୋଇଥାଏ। କିନ୍ତୁ ସତେଯେମିତି ପ୍ରଶାସନ ଏହାକୁ ଦେଖି ଅଣଦେଖା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ଜଣେ ସ୍ଥାନୀୟ ମହିଳାଙ୍କୁ ପଚାରିବାରୁ ସେ କହିଲେ, ଏହି ଜାଗାରେ ଘୁଷୁରି ମେଳରେ ରହି ରହି ଆମର ଅଭ୍ୟାସ ହୋଇଗଲାଣି। ପଲ ପଲ ଘୁଷୁରି ରହୁଥିବା ନର୍ଦ୍ଦମା ସ୍ୱାଇନ ଫ୍ଲୁ ସହିତ ଜାପାନିଜ୍ ଏନ୍ସେଫାଲାଇଟ୍ସ, ଡେଙ୍ଗୁ, ମାଲେରିଆ ଭଳି ମାରାତ୍ମକ ରୋଗର ଗନ୍ତାଘର ପାଲଟିଛି। ବର୍ତ୍ତମାନ ନିପା ଭାଇରସ୍ କଥା ଶୁଣି ଏଠାରେ ରହିବାକୁ ଭୟ ଲାଗୁଛି। ସ୍ଥାନୀୟ ବାସିନ୍ଦା ଅନେକଥର ଏହି ସ୍ଥାନକୁ ପରିଷ୍କାର କରିବା ସହିତ ଘୁଷୁରିଗୁଡ଼ିକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏମିତି ପରିସ୍ଥିତିରେ ନିପା ଭାଇରସ୍ ବ୍ୟାପିବା କିଛି ନୂଆ କଥା ନୁହେଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ନଜର ଦେବାକୁ ସେ ଅନୁରୋଧ କରିଥିଲେ।
ନିପା ବିଷୟରେ ଆମେ ବିଶେଷ କିଛି ଜାଣିନୁ। କିନ୍ତୁ ଘୁଷୁରି ମଧ୍ୟ ଏହି ରୋଗର ଏକ କାରଣ ଶୁଣି ଭୟ ଲାଗୁଛି। ଆମେ ଏଠାରେ ସବୁଦିନ ରହୁଛୁ। କ’ଣ କରିବୁ କିଛି ଭାବି ପାରୁନୁ। ଏଠାରୁ ଘୁଷୁରି ହଟାଇବାକୁ ବାରମ୍ବାର ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି।
ଅଂଜନ ନାଥ, ସମାଜସେବୀ
ନିପା! ପୁଣି ଗୋଟେ ନୂଆ ରୋଗ ଆସିଲାଣି। ଘୁଷୁରି ଏହି ରୋଗର କାରଣ ଶୁଣି ମନରେ ଛନକା ପଶିଲାଣି। ପିଲାଛୁଆଙ୍କୁ ନେଇ ଏଇଠି ରହିବାକୁ ବାଧ୍ୟ ହେଉଛୁ। ସକାଳୁ ରାତି ପର୍ଯ୍ୟନ୍ତ ମାଳମାଳ ଘୁଷୁରି ପଙ୍କରେ ଲୋଟୁଛନ୍ତି। କ’ଣ କରିବୁ କିଛି ଜାଣି ପାରୁନୁ। ନିର୍ବାଚିତ ଜନପ୍ରତିନିଧି ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ।
ଶାନ୍ତି ମହାରଣା, ସତ୍ୟନାରାୟଣ ବସ୍ତି
ବର୍ଷା ଦିନ ପୂର୍ବରୁ ଏଠାରୁ ଘୁଷୁରିଗୁଡ଼ିକୁ ସ୍ଥାନାନ୍ତର ନେଇ ଯୋଜନା ଚାଲିଛି। ତେବେ ନିପାକୁ ନେଇ ରାଜଧାନୀରେ ଏବେ କିଛି ଭୟ କରିବାର ନାହିଁ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଜନପ୍ରତିନିଧି ପ୍ରକାଶ କରିଛନ୍ତି।