ଓୟୁଏଟି କୁଳପତିଙ୍କୁ ସ୍ବାଗତ କଲା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ

ଖଣ୍ଡଗିରି: ଶନିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ନୂଆ କୁଳପତି ଡ. ପୱନ କୁମାର ଅଗ୍ରୱାଲ୍‌ଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଛି। ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ(ୟୁଟିଏ) ପକ୍ଷରୁ ଆୟୋଜିତ ଏକ ସମାବେଶରେ କୁଳପତି ଡ. ଅଗ୍ରୱାଲ୍‌ଙ୍କୁ ସ୍ବାଗତ କରାଯିବା ସହ କିଛି ଦାବି ଓ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଶିକ୍ଷକ-ବୈଜ୍ଞାନିକମାନଙ୍କ ପାଇଁ ୭ମ ୟୁଜିସି ସୁପାରିସ ହାରରେ ଦରମା ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରିବା, ଚାକିରିକାଳ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ବୃଦ୍ଧି କରିବା ଓ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ଓୟୁଏଟି କ୍ବାର୍ଟର୍ସଗୁଡ଼ିକର ତୁରନ୍ତ ମରାମତି କାମ ଆଦି ସମସ୍ୟା ଉପରେ ସଂଘ ପକ୍ଷରୁ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିଭଳି ସଂଘ ପକ୍ଷରୁ ବିଶ୍ବବିଦ୍ୟାଳୟ ପାଇଁ କରାଯାଇଥିବା ବିଭିନ୍ନ ସଫଳତା ଉପରେ ମଧ୍ୟ କୁଳପତିଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ସଂଘର ସଭାପତି ପ୍ରଫେସର ଏଲ୍‌କେ ରଥ, ଉପସଭାପତି ଡ. ଏମ୍‌କେ ବେହେରା, ସାଧାରଣ ସମ୍ପାଦକ ଡ. ଏସ୍‌ଏନ୍‌ ମିଶ୍ର, ଯୁଗ୍ମ ସମ୍ପାଦକ ଡ. ପିକେ ରଥ ଓ କୋଷାଧ୍ୟକ୍ଷ ଡ. କେସି ସାମଲଙ୍କ ସମତେ ଶତାଧିକ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର