ଭୁବନେଶ୍ବର: ଚେସ୍ ଅଲିମ୍ପିଆଡ୍ ମଶାଲ ଶୋଭାଯାତ୍ରାକୁ କିଟ୍ ଓ କିସ୍ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଛି। ଏହି ଅବସରରେ କିଟ୍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାକୁ କିଟ୍ ଛକରୁ ରାସ୍ତାର ଉଭୟ ପାର୍ଶ୍ବରେ ରହି ସ୍ୱାଗତ ଜଣାଇଥିଲେ। କିଟ୍ ଓ କିସ୍ ରାସ୍ତାର ବିଭିନ୍ନ ସ୍ଥାନରେ ମଶାଲକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଚେସ୍ ଖେଳାଳି ପଦ୍ମିନୀ ରାଉତ, ଅପରାଜିତା ଗୋଛିକାର, ନିଖିଳ ଓଡ଼ିଶା ଚେସ୍ ସଂଘ ସଭାପତି ଜି. ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସର୍ବଭାରତୀୟ ଚେସ୍ ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍ ଓ କିସ୍ରେ ଏହି ମାଶାଲ ଶୋଭାଯାତ୍ରାକୁ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା।
ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇଠାରେ ପ୍ରଥମ ଥର ଲାଗି ଚେସ୍ ଅଲିମ୍ପିଆଡ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ଗତ ଜୁନ୍ ୧୯ତାରିଖରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେସ୍ ଅଲିମ୍ପିଆଡ୍ ମଶାଲ ଶୋଭାଯାତ୍ରାର ଉଦ୍ଘାଟନ କରିଥିଲେ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏହି ମଶାଲ ଶୋଭାଯାତ୍ରା ଦେଶର ୭୫ଟି ପ୍ରମୁଖ ସହର ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା।