ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ସ୍ୱାଗତ, ଲିଖିତ ପରୀକ୍ଷା କରିବାକୁ ଓଡ଼ିଶା ରିସର୍ଚ୍ଚ ସ୍କଲାର ଆସୋସିଏସନର ଦାବି

ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ଛାତ୍ର ସପକ୍ଷବାଦୀ। ଏହି ଅଧ୍ୟାଦେଶ ଦ୍ୱାରା ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ବପ୍ନ ଦେଖିବାକୁ ସାହସ ଯୋଗାଇବ ବୋଲି ଓଡ଼ିଶା ରିସର୍ଚ୍ଚ ସ୍କଲାର ଆସୋସିଏସନ ପକ୍ଷରୁ କୁହାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁର୍ବଳ ପରିଚାଳନା ବ୍ୟବସ୍ଥା, ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭିତରେ ଉତ୍ତମ ସମନ୍ୱୟର ଅଭାବ, କୁଳପତିଙ୍କ ଅପାରଦର୍ଶିତା ଓ ଦୂରଦୃଷ୍ଟିର ଅଭାବ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକର ଗୌରବ କ୍ଷୁଣ୍ଣ କରିଛି। ବିଶ୍ୱବିଦ୍ୟାଳୟର ଗାରିମା ଏବଂ ପାରଦର୍ଶିତା ମୁଖ୍ୟତଃ ଉତ୍ସର୍ଗୀକୃତ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉପରେ ନିର୍ଭର କରୁଥିଲେ ମଧ୍ୟ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଗୋଟିଏ ପରେ ଗୋଟିଏ କଳଙ୍କିତ ଅଧ୍ୟାୟ ୩୦ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶର ସଂଶୋଧନ ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି ବୋଲି ଛାତ୍ରମାନେ ଆଶାବ୍ୟକ୍ତ କରିଛନ୍ତି।

ଏହି ଅଧ୍ୟାଦେଶ ବଳରେ ଚୟନ ପ୍ରକ୍ରିୟାରେ କେନ୍ଦ୍ରୀୟକରଣ ନିଯୁକ୍ତି ସ୍ୱଚ୍ଛତା ଆଣିବା ସହ ବହୁ ଗରିବ ଓ ମେଧାବୀ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ବୋଝରୁ ମୁକ୍ତି ଦେବ। ଏଥିସହ ଓଡ଼ିଶା ଲୋକସେବା ଆୟୋଗର ପାରଦର୍ଶୀ ଓ ଦକ୍ଷଚୟନ ମଣ୍ଡଳୀ ଦ୍ୱାରା ନିରପେକ୍ଷ ଭାବେ ପାର୍ଥୀ ଚୟନ ହେବା ସହ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଧ୍ୟାପକ ଚୟନ ପାଇଁ ଲିଖିତ ପରୀକ୍ଷା ହେଉ ବୋଲି ସଙ୍ଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନିକଟରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର