ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ

ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଦାୟିତ୍ବ ‌େନବା ପରେ ଆଜି ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ଉଭୟଙ୍କୁ ସ୍ବାଗତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ମହଲରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳେ ବିମାନବନ୍ଦରରେ ଓ ଅପରାହ୍‌ଣରେ ପ୍ରଦର୍ଶନୀ ପଡ଼ିଆରେ ଭିଡ଼ ଜମାଇଥିଲେ ଦଳର କର୍ମକର୍ତ୍ତା ଓ କର୍ମୀମାନେ। ପାରମ୍ପରିକ ନାଚ, ଗୀତ, ବାଜାରେ କର୍ମୀମାନେ ଶୋଭାଯାତ୍ରା କରିବା ସହ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଜିର କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ବିଜେପି ପତାକା ଓ ବ୍ୟାନର୍‌ ଛାଇଯାଇଥିବା ଦେଖିବାକୁ ମିଳିଥିଲା।

ଅପରାଜିତା ଅନୁପସ୍ଥିତ
ଭୁବନେଶ୍ବରରେ ବିଜେପି ପକ୍ଷରୁ ଏତେ ବଡ଼ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲେ ବି ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିଲେ। ତାଙ୍କ ଅନୁପସ୍ଥିତି ସଭା ସ୍ଥଳରେ ଆଲୋଚନାର ବିଷୟ ହୋଇଥିଲା। ପୂର୍ବାହ୍ନରେ ବିମାନବନ୍ଦରରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ କରାଯିବା ସମୟରେ ଅପରାଜିତା ଉପସ୍ଥିତ ଥିଲେ। କିନ୍ତୁ ଅପରାହ୍‌ଣ ସଭାକୁ କାହିଁକି ଆସିଲେନି ବୁଝାପଡ଼ି ନ ଥିଲା। ଏ ନେଇ ଅପରାଜିତାଙ୍କୁ ଯୋଗାଯୋଗ କରାଯିବାରୁ ସେ ଅସୁସ୍ଥତା ପାଇଁ ସଭାକୁ ଯିବା ସମ୍ଭବ ହୋଇପାରି ନ ଥିଲା ବୋ‌ଲି କହିଥିଲେ।

ଜୁଏଲ୍‌, ସୁରେଶ ବି ଆସିଲେନି
ବିଜେପିର ସମ୍ବର୍ଦ୍ଧନା ସଭାରେ ଦଳର ପ୍ରାୟ ସବୁ ବିଧାୟକ ଉପସ୍ଥିତ ଥିଲେ। ୪ ସାଂସଦ ବସନ୍ତ ପଣ୍ଡା, ବିଶ୍ବେଶ୍ବର ଟୁଡ଼ୁ, ନୀତିଶ ଗଙ୍ଗଦେବ ଓ ସଙ୍ଗୀତା ସିଂହଦେଓ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। କିନ୍ତୁ ଅପରାଜିତାଙ୍କ ବାଦ୍ ସାଂସଦ ଜୁଏଲ୍‌ ଓରାମ ଓ ସୁରେଶ ପୂଜାରୀ ବି ସଭାକୁ ଆସି ନ ଥିଲେ। ଉଭୟ ଅନୁପସ୍ଥିତ ରହିବାର କାରଣ କ’ଣ ଜଣାପଡ଼ି ନ ଥିଲା। ରାଜ୍ୟ ବିଜେପି ପକ୍ଷରୁ ଯଥେଷ୍ଟ ପୂର୍ବରୁ ସମ୍ବର୍ଦ୍ଧନା ସଭା ନେଇ ପ୍ରସ୍ତୁତି ଚାଲିଥିଲା ବେଳେ ଏହି ଦୁଇ ସାଂସଦଙ୍କ ଅନୁପସ୍ଥିତି ବି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା।

ଶପଥ ଗ୍ରହଣ ସ୍ଥାନରେ ସମ୍ବର୍ଦ୍ଧନା
ଗତ ସପ୍ତାହରେ ପ୍ରଦର୍ଶନୀ ପଡ଼ିଆରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ। ସେଥି ପାଇଁ ଶୀତତାପ ନିୟନ୍ତ୍ରିତ ଟେଣ୍ଟ୍‌ର ବନ୍ଦୋବସ୍ତ କରାଯାଇଥିଲା। ଆଜି ଠିକ୍ ସେହି ସ୍ଥାନରେ ବିଜେପି ଆୟୋଜନ କରିଥିଲା ସମ୍ବର୍ଦ୍ଧନା ସମାରୋହ। ଶପଥ ଗ୍ରହଣ ଉତ୍ସବ ପରି ଦୁଇଟି ଜାଗାରେ ଟେଣ୍ଟ୍‌ ବନ୍ଧାଯାଇଥିଲା। ସେଦିନ ପରି ଆଜି ବି ପୁଲିସ୍ ରାସ୍ତାର ଦୁଇ ପଟକୁ ସିଲ୍‌ କରିଦେଇଥିଲା। ଫଳରେ ଲୋକମାନେ ଚାଲି ଚାଲି ସଭା ସ୍ଥଳକୁ ଯାଇଥିଲେ। ଯଦିଓ ଆଜି ସଭାରେ କୌଣସି ନେତା ବିଜେଡିକୁ ସିଧାସଳଖ ଆକ୍ରମଣ କରି ନ ଥିଲେ, ତେବେ ଟକ୍କର୍ ଦିଆଯାଇ ଯେପରି ସଭା ଆେୟାଜନ କରାଗଲା ତାହା ଆଗାମୀ ଦିନରେ ବିଜେଡି-ବିଜେପି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଇଙ୍ଗିତ ଦେଲା ବୋଲି ଉଭୟ ସଭାକୁ ଦେଖିଥିବା ଲୋକମାନେ ଆଲୋଚନା କରୁଥିଲେ।

ବିଶ୍ବଭୂଷଣଙ୍କ ସନ୍ଦେହ
୨୦୧୯ ନିର୍ବାଚନରେ ବିଜେପିର ଫଳାଫଳ ପୂର୍ବା ନିର୍ବାଚନ ତୁଳନାରେ ଭଲ ଥିଲେ ବି ଆଶାନୁରୂପ ହୋଇ ନାହିଁ। ଏହି ଜନାଦେଶକୁ ଯଦିଓ ରାଜ୍ୟ ବିଜେପି ଗ୍ରହଣ କରିଛି, ତେବେ ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଏ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନର ଏହି ରାୟ ପ୍ରକୃତ‌େର ଲୋକଙ୍କ ରାୟ ନା ଏହା ପ୍ରଭାବିତ ହୋଇଛି, ତାହା ବିଶ୍ଳେଷଣ କରାଯିବା ଉଚିତ ବୋଲି ସେ ଆଜିର ସଭାରେ କହିଥିଲେ। ଯେଉଁ ନେତା କୌଣସି ପରିସ୍ଥିତିରେ ବି ହାରିବା କଥା ନୁହେଁ, ସେମାନେ ହାରିଛନ୍ତି। ନିର୍ବାଚନ ଫଳାଫଳରେ ଅନେକ ସନ୍ଦେହ ରହିଛି। ପରେ ଏହାର ସମୀକ୍ଷା ହେବ ବୋଲି ସେ ଇଙ୍ଗିତ ଦେଇଥିଲେ।

ପ୍ରତାପଙ୍କ କାହାଣୀ
ସୋସିଆଲ୍‌ ମିଡିଆରେ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଆଲୋଚନା ଓ ସମାଲୋଚନ‌ା ଜୋର୍‌ଦାର୍ ହେଲା ପ‌େର ସେ ଆଜି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକ ସାଧାରଣ ସଭାରେ ଉପସ୍ଥିତ ରହିଥିଲେ। ମନ୍ତ୍ରୀ ପଦ ପାଇବା‌ ପ୍ରସଙ୍ଗରେ ସେ କହିଥିଲେ, ମୋତେ ଶପଥ ଗ୍ରହଣ ଦିନ ସକାଳେ ଅମିତ ଶାହଙ୍କ ପାଖରୁ ଦୁଇ ଥର କଲ୍‌ ଆସିଥିଲା। କିନ୍ତୁ ମୁଁ ରିସିଭ୍ କରିପାରି ନ ଥିଲି। ଶପଥ ଗ୍ରହଣ ଉତ୍ସବକୁ ଯିବା ନିମନ୍ତେ ପାସ୍ ସଂଗ୍ରହ ପାଇଁ ଚେଷ୍ଟା କରୁଥିଲି। ଅପରାହ୍‌ଣ ପ୍ରାୟ ୩ଟା ବେଳେ ଅମିତ ଶାହଙ୍କ କାର୍ଯ୍ୟାଳୟରୁ ପୁଣି କଲ୍ ଆସିଲା ଓ ମୁଁ ମନ୍ତ୍ରୀ ଭାବେ ଶପଥ ନେବି ବୋଲି କୁହାଗଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଯାଇ ତାଙ୍କ ସହ ମିଶି ଆସିବାକୁ କୁହାଗଲା। ମନ୍ତ୍ରୀ ହେବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆଉ ମିଡିଆରେ ମୋ କଥା ଏତେ ପ୍ରଚାର ହେଉଛି ଯେ ସବୁବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମୋ ପାଖରେ ପହଞ୍ଚୁଛନ୍ତି। ପରିସ୍ଥିତି ଏମିତି ହେଉଛି ଯେ ମୁଁ ନିତ୍ୟକର୍ମ ବି ସାରିପାରୁନି।

ତାଳି ମାଡ଼ କଥା ମନେ ପକାଇଲେ ଧର୍ମେନ୍ଦ୍ର
ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଶପଥ ଗ୍ରହଣ ଉତ୍ସବ ସମୟର ଏକ ଦୃଶ୍ୟକୁ ଆଜିର ସଭାରେ ମନେ ପକାଇ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଲେ, ମୋଦୀ ସରକାରର ଶପଥ ପାଠ ଉତ୍ସବରେ ମୋଦୀଙ୍କ ପରେ ଗରିବ ଘରର ଓଡ଼ିଆ ପୁଅ ପ୍ରତାପ ଷଡ଼ଙ୍ଗୀ ସମୟରେ ସବୁଠୁ ଅଧିକ ତାଳି ବାଜିଥିଲା। ତେବେ ଏହା କେବଳ ଶ୍ରୀ ଷଡ଼ଙ୍ଗୀଙ୍କ ସମ୍ମାନର କଥା ନୁହେଁ। ପ୍ରତାପ ନନାଙ୍କ ମାଧ୍ୟମରେ ନ‌େରନ୍ଦ୍ର ମୋଦୀ ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କ ସମ୍ମାନ କଲେ।

ବିମାନବନ୍ଦରରେ ଗଣ୍ଡଗୋଳ
ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ ପାଇଁ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲା ବେଳେ ଗୋଷ୍ଠୀ ବିବାଦ ଦେଖାଦେଇଥିଲା। କୌଣସି କାରଣ ପାଇଁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଓ ଉମେଶ ଖଣ୍ଡେଲ୍‌ୱାଲ୍‌ ମୁହାଁମୁହିଁ ହୋଇଥିଲେ। ଏପରିକି ସେଠାରେ ମାର୍‌ପିଟ୍‌ ମଧ୍ୟ ହୋଇଛି। ଶ୍ରୀ ଖଣ୍ଡେଲ୍‌ୱାଲ୍‌ ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି। ଶ୍ରୀ ପ୍ରଧାନଙ୍କ ସମର୍ଥକମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଆକ୍ରମଣ ସମୟରେ ନିଜେ ଶ୍ରୀ ପ୍ରଧାନ ଉପସ୍ଥିତ ରହି ସମର୍ଥକମାନଙ୍କୁ ଆକ୍ରମଣ କରିବା ପାଇଁ ଉସ୍‌କାଇଥିବା ଅଭିଯୋଗରେ କୁହାଯାଇଛି। ଶ୍ରୀ ଖଣ୍ଡେଲ୍‌ୱାଲ୍‌ଙ୍କ ସହ ଯୁବ ନେତା ଠାକୁର ରଣଜିତ ଦାସଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା କୁହାଯାଉଛି। ପୂର୍ବରୁ ଶ୍ରୀ ପ୍ରଧାନ ଓ ଶ୍ରୀ ଖଣ୍ଡେଲ୍‌ୱାଲ୍‌ଙ୍କ ମଧ୍ୟରେ ବିବାଦ ହୋଇ ଦଳୀୟ କାର୍ଯ୍ୟାଳୟରେ ଗାଡ଼ି ଭଙ୍ଗାରୁଜା ହୋଇଥିଲା। ବରିଷ୍ଠ ନେତାମାନେ ଏହାର ସମାଧାନ କରିଥିଲେ ବି ଆଜି ପୁଣି ବିବାଦ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର