ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବଡ଼ଗଡ଼ର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। ୧୯୮୫ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୪୦ବର୍ଷ ପାଳନ କରିବାକୁ ଯାଉଛି। କାରିଗରମାନେ ମା’ଙ୍କ ମହିଷା ମର୍ଦ୍ଦିନୀ ମୂର୍ତ୍ତି ଓ ପାର୍ଶ୍ୱ ଦେବଦେବୀଙ୍କୁ ତିଆରି କରୁଛନ୍ତି। ଚଳିତ ବର୍ଷ ବଡ଼ଗଡ଼ ପୂଜା କମିଟି ପକ୍ଷରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ମଣ୍ଡପ ନିକଟରେ ସ୍ବାଗତ ତୋରଣ କରାଯାଉଛି। ଏଥିପାଇଁ ସାଲେପୁରରୁ କାରିଗରମାନେ ଆସି କାମରେ ଲାଗିଛନ୍ତି। ଏ ବର୍ଷ ନୂତନ ଢାଞ୍ଚାରେ ନିର୍ମାଣ ହୋଇଥିବା ତୋରଣର ଉଚ୍ଚତା ୫୨ଫୁଟ୍ ଏବଂ ଓସାର ୪୫ରୁ ୫୦ଫୁଟ୍ କରାଯିବାକୁ ପ୍ରସ୍ତାବ ରହିଛି। ଗତବର୍ଷ ମା’ଙ୍କ ମୃଣ୍ମୟୀ ପ୍ରତିମା ସହ ସମସ୍ତ ଦେବଦେବୀଙ୍କ ରୁପା ମୁକୁଟ ଲାଗିଥିବା ବେଳେ ଚଳିତ ବର୍ଷ ମଧ୍ୟ ରୁପା ମୁକୁଟ ଲଗାଯିବ। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୨୦ଫୁଟ୍ ରହିଥିବା ବେଳେ ୨୫ ଫୁଟ୍ର ମେଢ଼ ନିର୍ମାଣ ହେବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ପୂଜା ପାଇଁ ୩୩ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ ହୋଇଛି। ଟେଣ୍ଟ ଖର୍ଚ୍ଚ ପାଇଁ ୧୦ଲକ୍ଷ ବଜେଟ୍ ରଖାଯାଇଛି। ସେହିପରି ଏଥର ଶବ୍ଦ ଓ ଆଲୋକ ପାଇଁ ସାଢ଼େ ୧୦ଲକ୍ଷ ଟଙ୍କା, ପୂଜା ବାବଦ ସାଢ଼େ ୬ଲକ୍ଷ, ଭସାଣି ପାଇଁ ସାଢ଼େ ୬ଲକ୍ଷ ଟଙ୍କା ବଜେଟ୍ ରଖାଯାଇଛି। ମଣ୍ଡପରେ ପ୍ରତିଦିନ ପାରମ୍ପରିକ ଢୋଲ ବାଜିବ। ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଠମୀରେ ସିନ୍ଧି ପୂଜା ଅନୁଷ୍ଠିତ ହେବ। ଉକ୍ତ ଦିନ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ମହିଳା ଶାଢ଼ି ପୂଜା କରିଥାନ୍ତି। ଏଥିସହ ଶତାଧିକ ବ୍ୟକ୍ତି ଦୀପ ଦାନ କରିଥାନ୍ତି। ବଡ଼ଗଡ଼ର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଚତୁପାର୍ଶ୍ୱରେ ଆକର୍ଷଣୀୟ ଲାଇଟ୍ ଲଗାଯିବା ସହ ଗାଁ ମୁହଁରେ ଗୋଟିଏ ବଡ଼ ଗେଟ୍ କରାଯିବ। କଟକରୁ ଏହି ଗେଟ୍ ଆସି ଲାଗିବ ବୋଲି ସୂଚନା ଦିଆଯାଇଛି।