ଶ୍ରୀଲିଙ୍ଗରାଜ ମନ୍ଦିର ପରିସର କୂଅ ସମସ୍ୟାର ସମାଧାନ : ସଫା ହେଲା ଗରାକୂଅ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଥିବା ଗରାକୂଅ ଓ ରୋଷକୂଅକୁ ଆଜି ସଫେଇ କରାଯାଇଛି। ମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅନୁମତି ନେଇ ଦମକଳ ବାହିନୀ ପକ୍ଷରୁ ଆଜି ଏହାକୁ ସଫେଇ କରାଯାଇଛି। ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହୋଇଥିବାରୁ ସେବାୟତ ମହଲ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ତିନିଟି କୂଅ ରହିଛି। ଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ଥିବା ଗରା କୂଅ ପାଣି‌ ଶ୍ରୀଜିଉଙ୍କ ସ୍ନାନ ଓ ପୂଜା ନିମନ୍ତେ ବ୍ୟବହୃତ ହୋଇଥାଏ। ଏହି ପାଣିରେ ମନ୍ଦିର ପରିସରରେ ଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ସ୍ନାନ କରାଯାଏ। ସେହିପରି ମନ୍ଦିର ରୋଷଘର ପାଖରେ ଥିବା ରୋଷ କୂଅ ପାଣି ଠାକୁରଙ୍କ ଅବଢ଼ା ଓ ବିଭିନ୍ନ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଅପରପକ୍ଷେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଭୋଗ ଯଦି ମଣୋହି କାର୍ଯ୍ୟରେ ଲାଗିବା ପୂର୍ବରୁ ନଷ୍ଟ ଅଥବା ମାରା ହୁଏ, ତାହାକୁ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣ‌‌ରେ ଥିବା ଅମଣୋହି କୂଅ‌‌ରେ ଫିଙ୍ଗି ନଷ୍ଟ କରାଯାଏ। ତେବେ ସବୁଠାରୁ ବେଶି ଗୁରୁତ୍ବ ବହନ କରୁଥିବା ଗରା କୂଅରେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଯାଇଥିଲା। ମହାପ୍ରଭୁଙ୍କ ସ୍ନାନ ପାଇଁ ଜଳ ନେବା ବେଳେ ସେଥିରେ ଦଳ ବାହାରୁଥିବା ନେଇ ସେବାୟତମାନେ ଅଭିଯୋଗ କରିଥିଲେ। ଏଥିପାଇଁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏନେଇ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କ ପରାମର୍ଶ ପରେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏଏସ୍ଆଇକୁ ଚିଠି କରାଯାଇଥିଲା। ତେବେ ଏଏସ୍ଆଇ ଏହାର ସଫେଇ ନ କରିବାରୁ ଦମକଳ ବାହିନୀ ସହଯୋଗରେ ଦୁଇଟି କୂଅକୁ ସଫେଇ କରାଯାଇଥିଲା। ଏଥିରୁ ଦଳ ବାହାର କରାଯାଇ ଚୂନ ଓ ଫିଟିକିରି ସାହାଯ୍ୟରେ ଏହାକୁ ସଫା କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର