ନୃତ୍ୟ କରିବାକୁ ଯାଇଥିଲେ, ଜମିରେ ଖଟିଲେ

ଭୁବନେଶ୍ବର: ସେମାନେ ଯାଇଥିଲେ ନୃତ୍ୟ କରି ଟଙ୍କା ନେଇ ଘରକୁ ଫେରିବେ। ପ୍ରଥମ ଥର ଏକକାଳୀନ ୪୫ଟି କାର୍ଯ୍ୟକ୍ରମ କରି ଜଣେକେ ପାଖାପାଖି ଲକ୍ଷେ ଟଙ୍କା ରୋଜଗାର କରିବେ। ପରିବାର ସେମାନଙ୍କ ଉପରେ ନିର୍ଭର କରୁଥିବାରୁ କଳାକୁ ବିନିଯୋଗ କରି ପରିବାର ସଦସ୍ୟଙ୍କ ମୁହଁରେ ଦାନା ଦେଉଥିଲେ। କରୋନା କିନ୍ତୁ ସବୁ ବିଗାଡ଼ି ଦେଲା। ଲକ୍‌ଡାଉନରେ ଟଙ୍କା ଅଭାବ ଯୋଗୁଁ ଉତ୍ତରପ୍ରଦେଶରେ ସେମାନେ ବନ୍ଧା ପଡ଼ିଗଲେ। ୩ ମାସ ଫସି ରହିବା ପରେ କଟକ, ସମ୍ବଲପୁର ଓ ଅନୁଗୁଳର ୪ ବନ୍ଧୁଙ୍କୁ ଘରକୁ ଫେରାଇ ଆଣିଛନ୍ତି ଅଭିନେତା ସବ୍ୟସାଚୀ।

କଟକର ସୁନିତା ସାହୁଙ୍କ ସମେତ ପିଙ୍କି ଓ ତାଙ୍କର ଅନ୍ୟ ୨ ବନ୍ଧୁ ଉତ୍ତରପ୍ରଦେଶରେ ୪୫ଟି ନୃତ୍ୟ କାର୍ଯ୍ୟକ୍ରମ ପାଇଁ ସୁଯୋଗ ପାଇଥିଲେ। ପ୍ରତି କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକଙ୍କୁ ୨ହଜାର ଟଙ୍କା ମିଳିବ ବୋଲି ଯୋଗାଯୋଗ କରିଥିବା ବ୍ୟକ୍ତିଜଣକ କହିବା ପରେ ସେମାନେ ଉତ୍ସାହର ସହ ଚାଲି ଯାଇଥିଲେ। ମାର୍ଚ୍ଚରେ ଫେରିବାର ଥିଲା। ମାତ୍ର ଅଳ୍ପ କିଛି କାର୍ଯ୍ୟକ୍ରମ ପରେ କରୋନା ଯୋଗୁଁ ଲକ୍‌ଡାଉନ ହୋଇଗଲା। ଏଣେ କରିଥିବା ଅଳ୍ପ କିଛି କାର୍ଯ୍ୟକ୍ରମର ପାଉଣା ମିଳିନଥିଲା। ପୁଣି ଯେଉଁ କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା ତାହା ବି ବାତିଲ୍‌ ହୋଇଗଲା।‌ ତେଣୁ ନା ରୋଜଗାର ହେଲା ନା ସେମାନେ ନିଜ ଘରକୁ ଫେରିପାରିଲେ। ଧୀରେଧୀରେ ପାଖରେ ଥିବା ସବୁ ଟଙ୍କା ସରିଗଲା। ଖାଇବା ପିଇବାରେ ବି ସମସ୍ୟା ଉପୁଜିଲା। ‌ଯେବେ ଘରକୁ ଆସିବାକୁ ସୁଯୋଗ ମିଳିଲା ସେତେବେଳେ ପାଖରେ ଟଙ୍କା ନଥିଲା। ଏମିତି ସ୍ଥିତି ଉପୁଜିଲା ଯେ ନୃତ୍ୟ କରିବାକୁ ଯାଇଥିବା ଏହି ସାଙ୍ଗମାନେ ଯାଇ ପର ଜମିରେ ମଜୁରି ଖଟିଲେ। ‌କାମ ଜାଣିନଥିବାରୁ କମ୍‌ ମଜୁରି ମିଳୁଥିଲା। ଦହଗଞ୍ଜ ହେବା ପରେ ସୁନିତା ଅଭିନେତା ସବ୍ୟସାଚୀଙ୍କୁ ଫୋନ୍‌ କରି ଦୁଃଖ ଜଣାଇଥିଲେ। ସେମାନେ ସୋନୁଘାଟର ଦେଓରିଆରେ ରହୁଥିବାରୁ ସିଧାସଳଖ ଟ୍ରେନ୍‌ରେ ଆସିବା ସମ୍ଭବ ନଥିଲା। ତେଣୁ ସେମାନଙ୍କ ପାଇଁ କିଛି ଟଙ୍କା ପଠାଇ ସେଠାରେ ଏକ କାର୍‌ର ବନ୍ଦୋବସ୍ତ କଲେ ସବ୍ୟସାଚୀ। ସେଠାରୁ ୨୮୦ କିଲୋମିଟର ମୁଗଲସରାଇ ପର୍ଯ୍ୟନ୍ତ ଆସିବା ପରେ ୪ ବନ୍ଧୁ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିଛନ୍ତି।

ସୁନିତା କହିଛନ୍ତି, ଭାବିଥିଲି ନୃତ୍ୟ କାର୍ଯ୍ୟକ୍ରମରୁ ପାଖାପାଖି ୧ଲକ୍ଷ ମିଳିବା ପରେ ‌ନାଚ ଛାଡ଼ି ଓଡ଼ିଶା ଫେରି ସେଥିରେ ଏକ ଛୋଟ ବ୍ୟବସାୟ ଆରମ୍ଭ କରିବି। ମୋ ଝିଅ ଓ ମା’ଙ୍କ ଗୁଜରାଣ ମେଣ୍ଟାଇବାକୁ ଚେଷ୍ଟା କରିବି। କିନ୍ତୁ ସ୍ବପ୍ନ ଭାଙ୍ଗିଗଲା। ତେବେ ଏଇ ଦୟନୀୟ ସମୟରେ ସବ୍ୟ ଭାଇ ଭଗବାନଙ୍କ ସଦୃଶ ଆମ ପାଖରେ ଛିଡ଼ା ହୋଇ ଆମକୁ ଓଡ଼ିଶା ଫେରାଇ ଆଣିଥିବାରୁ ତାଙ୍କ ଅବଦାନ ସବୁଦିନେ ମନେ ରହିବ।

ସମ୍ବନ୍ଧିତ ଖବର