ଖଣ୍ଡଗିରି: ୱେଷ୍ଟ ଟୁ ଆର୍ଟରୁ ପୁଣି ୱେଷ୍ଟ କେ-୭ କଳିଙ୍ଗନଗରରେସ୍ଥିତ ଭୁବନେଶ୍ୱରର ପ୍ରଥମ ଏବଂ ବୃହତ୍ ମୁକ୍ତାକାଶ ସଂଗ୍ରହାଳୟ। କେଉଁଠି ମୟୂର ମୁହଁ ମାଡ଼ି ତଳେ ପଡ଼ିଗଲାଣି ତ କେଉଁଠି ହାତୀ ଉପରେ ଲତା ମାଡ଼ି ଯାଇଛି। ସୁରକ୍ଷା କର୍ମୀଙ୍କ ପାଇଁ ନିର୍ମିତ ଘରର ଛପର ଉଡ଼ି ଯାଇଛି। ସଂଗ୍ରହାଳୟରେ ଥିବା ଲୁହାକୁ ଲୋକେ ବୋହି ନେଲେଣି। ୩ ବର୍ଷ ଭିତରେ ଏହି ମୁକ୍ତାକାଶ ସଂଗ୍ରହାଳୟ ନିଶାସକ୍ତ ଏବଂ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ପାଲଟିଛି। ଉଦ୍ଘାଟନ ବେଳର ଫଟୋଚିତ୍ର ସହିତ ବର୍ତ୍ତମାନର ଅବସ୍ଥା ଦେଖିଲେ ସରକାରୀ ଅର୍ଥ ବରବାଦର ଆଉ ଏକ ନମୁନା ଦେଖିବାକୁ ମିଳେ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର ସହର ତାଲିକାର ଶୀର୍ଷରେ ପହଞ୍ଚାଇବା ପାଇଁ ବିଡିଏ, ବିଏମ୍ସି ପକ୍ଷରୁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଉଛି। ସହରର ରାସ୍ତାଘାଟଠାରୁ ଆରମ୍ଭ କରି ପାଚେରି ଓ ଓଭରବ୍ରିଜ୍ କାନ୍ଥ ପର୍ଯ୍ୟନ୍ତ ଏବଂ ମନ୍ଦିରଠାରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ସବୁଠି କିଛି ନା କିଛି ନିଆରା ବ୍ୟବସ୍ଥା କରାଯାଉଛି। ସବୁଠି ସୌନ୍ଦର୍ଯ୍ୟୀକରଣର ନୂତନତ୍ବ ବାରି ହୋଇପଡ଼େ। ଏଥିମଧ୍ୟରେ ସବୁଠାରୁ ଆକର୍ଷଣୀୟ ଥିଲା ବୃହତ୍ ମୁକ୍ତାକାଶ ସଂଗ୍ରହାଳୟ। ଏହାର ମୂଳ ଲକ୍ଷ୍ୟ ଥିଲା, ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ସେଥିରେ ସୃଜନଶୀଳତାର ସ୍ପର୍ଶ ଦେବା। ସେହି ସୃଜନକୁ ସାଇତି ରଖି ସଂଗ୍ରହାଳୟ ନିର୍ମାଣ। ଏଥିପାଇଁ ଭୁବନେଶ୍ବର, କଟକ ମହାନଗରର ଉତ୍ପନ୍ନ ୫୦ ଟନ୍ର ବର୍ଜ୍ୟ ଯଥା ପୁରୁଣା ଲୁହା, ଟିଣ, ଆଲୁମିନିୟମ ସହିତ ବିଭିନ୍ନ ଅନାବଶ୍ୟକ ସାମଗ୍ରୀରୁ ହାତୀ, ସିଂହ, ମୟୂର, ବାଘ, ହରିଣ, କଇଁଛ ବିଭିନ୍ନ ପ୍ରକାରର ଜୀବଜନ୍ତୁ, ସରୀସୃପ ସମେତ ଅନେକ ପ୍ରକାରର ମୂର୍ତ୍ତି ତିଆରି ହୋଇଥିଲା। ଶିଳ୍ପୀ କାନ୍ତା କିଶୋର ମହାରଣାଙ୍କ ସହିତ ସ୍ପେନ୍, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡରୁ ଆସିଥିବା ପ୍ରଖ୍ୟାତ ଶିଳ୍ପୀମାନେ ବର୍ଜ୍ୟକୁ ଜୀବନ୍ତ ରୂପ ଦେଇଥିଲେ। ଏଭଳି ସୁନ୍ଦର କଳାକୃତିକୁ ଜଣେ ନିରେଖି ନ ଦେଖିଲେ ବିଶ୍ବାସ କରିପାରୁ ନଥିଲେ ଯେ ଏସବୁ ଆବର୍ଜନାରୁ ତିଆରି ହୋଇଛି ବୋଲି।
୨୦୧୮ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ଅନେକ ନେତା ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସଂଗ୍ରହାଳୟଟି ଉଦ୍ଘାଟିତ ହୋଇଥିଲା। ସାନ ବଡ଼ ମିଶି ୨୧ ଟି କଳାକୃତିକୁ ମୁଖ୍ୟମନ୍ତ୍ରୀ ନିଜେ ବୁଲି ଦେଖିଥିଲେ। ଏହାର ରକ୍ଷଣାବେକ୍ଷଣ ପାଇଁ କିଛି ସୁରକ୍ଷା କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଇଥିଲା। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାର୍କିଂ, ରାସ୍ତା, ଚାଲିବା ପାଇଁ ରାସ୍ତା ସମେତ ଉଦ୍ୟାନର ଯୋଜନା ମଧ୍ୟ ରହିଥିଲା। କେବଳ ପ୍ରଥମ ଦିନରେ ୩ ହଜାରରୁ ଊର୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।
ମାତ୍ର ୩ବର୍ଷ ମଧ୍ୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପାର୍କଟି ଜରାଜୀର୍ଣ୍ଣ ହୋଇ ସାରିଥିବା ବେଳେ ପଡ଼ିଆଟି ଅନାବନା ବୁଦାରେ ପରିପୂର୍ଣ୍ଣ ହୋଇ ସାରିଛି। ‘ଫନି’ ବାତ୍ୟା ପରେ ଏହାର ଅବସ୍ଥା ଏହିଭଳି ହୋଇଥିବା କହନ୍ତି ସ୍ଥାନୀୟ ଅଧିବାସୀ ଖଗେଶ୍ବର ଘଡ଼େଇ। ‘ଫନି’ ପରଠାରୁ ସୁରକ୍ଷାକର୍ମୀ ମଧ୍ୟ ଆସୁନଥିବା କୁହାଯାଉଛି। ଚକ୍ରଧର ଦାସ କହନ୍ତି, ସଂଗ୍ରହାଳୟ ଉଦଘାଟନର ପ୍ରଥମ କିଛି ଦିନ ସବୁ ବ୍ୟବସ୍ଥା କରାଯାଉଥିଲା। ବାହାର ଦେଶରୁ ଲୋକ ଆସି ଏହାକୁ ତିଆରି କରିଥିଲେ। ସବୁ କଳାକୃତି ବହୁତ ସୁନ୍ଦର ହୋଇଥିଲେ। ଏବେ ପାର୍କକୁ ଦେଖିଲେ ଦୁଃଖ ଲାଗୁଛି। ଶ୍ରେୟା ମହିଳା ସଙ୍ଗଠନର ସଭାପତି ମଞ୍ଜୁଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ ୩୩ କେଭି ତାର ଯାଇଚି ବୋଲି ପାର୍କ ବନ୍ଦ ହୋଇଛି। ଏହାର ସମାଧାନ କଲେ ସମସ୍ତେ ଉପକୃତ ହୁଅନ୍ତେ। ଏଠାରେ ବରିଷ୍ଠ ନାଗରିକଙ୍କ ଚାଲିବା ପାଇଁ ବ୍ୟବସ୍ଥା କରାଗଲେ ସମସ୍ତେ ଉପକୃତ ହୋଇ ପାରନ୍ତେ ବୋଲି ଗୀତାଞ୍ଜଳି ସାମଲ ପ୍ରସ୍ତାବ ଦେଇଛନ୍ତି।