ନିଶା କାରବାରରେ ପଶ୍ଚିମବଙ୍ଗ ସୁନ୍ଦରୀ, ୨ ବର୍ଷରେ ଧରା ହେଲେଣି ୧୨ ସୁନ୍ଦରୀ

କଟକ: ଅନ୍ତଃରାଜ୍ୟ ନିଶା ମାଫିଆ ଏବେ ଗଞ୍ଜେଇ, ବ୍ରାଉନସୁଗାର ଚାଲାଣରେ ଯୁବ ଏଜେଣ୍ଟ୍‌ ବଦଳରେ ପଶ୍ଚିମବଙ୍ଗର ସୁନ୍ଦରୀ ସ୍ତ୍ରୀ ଲୋକଙ୍କୁ ବ୍ୟବହାର ଆରମ୍ଭ କଲେଣି। ସ୍ତ୍ରୀ ଲୋକଙ୍କ ମାଧ୍ୟମରେ ମାଫିଆ ଖୋର୍ଧାରୁ ପଶ୍ଚିମବଙ୍ଗ ଗଞ୍ଜେଇ ଏବଂ ପଶ୍ଚିମବଙ୍ଗରୁ ଭାୟା ଜଳେଶ୍ବର ଦେଇ କଟକ ଆଣୁଛନ୍ତି ବ୍ରାଉନସୁଗାର। ଗଲା ଦୁଇବର୍ଷ ଭିତରେ କମିସନରେଟ୍ ପୁଲିସ ଅଞ୍ଚଳରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୧୨ଜଣ ସୁନ୍ଦରୀଙ୍କୁ ନିଶା କାରବାରରେ ଗିରଫ କରିସାରିଲାଣି। ଏମାନେ ସାଙ୍ଗରେ ଛୋଟ ଛୋଟ ପିଲାଛୁଆଙ୍କୁ ନେଇ କାର୍ କିମ୍ବା ବସ୍‌ରେ ନିଶାଦ୍ରବ୍ୟ ଚାଲାଣ କରୁଛନ୍ତି। ଛୋଟପିଲା ଓ ସ୍ତ୍ରୀ ଲୋକ ସହଜରେ ଅବକାରୀ ବିଭାଗର ସ୍କାନରରେ ଆସିପାରୁ ନଥିବାରୁ ଏମାନଙ୍କୁ ବ୍ୟବହାର ପଛର ପ୍ରମୁଖ କାରଣ କୁହାଯାଉଛି।

ସୂଚନା ଅନୁଯାୟୀ, ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ରେ ଏକ ହୋଟେଲରେ ରହୁଛନ୍ତି ପଶ୍ଚିମବଙ୍ଗର ସୁନ୍ଦରୀ। ପ୍ରତ୍ୟେକ ମାସରେ ୩ଟି ପର୍ଯ୍ୟାୟରେ ଏମାନେ ପୃଥକ ଭାବେ ରହୁଛନ୍ତି। ଅବକାରୀ ବିଭାଗ କିମ୍ବା ପୁଲିସର ସନ୍ଦେହ ଯେଭଳି ନହେବ, ସେଥିପାଇଁ ଏମାନେ ପୋଷାକ ପରିଧାନ ପ୍ରତି ଯଥେଷ୍ଟ ସତର୍କ ରହୁଛନ୍ତି। ଦାମୀ ଲଗେଜ୍‌ ବ୍ୟାଗ୍‌ରେ ଭୁବନେଶ୍ବରରୁ କଟକ ଦେଇ ବସ୍‌ରେ ଗଞ୍ଜେଇ ଚାଲାଣ କରୁଛନ୍ତି ପଶ୍ଚିମବଙ୍ଗର ଏହି ନିର୍ଦ୍ଦିଷ୍ଟ ମହିଳା ଗୋଷ୍ଠୀ। ସବୁଠାରୁ ରୋଚକ କଥା ହେଉଛି, ଏମାନଙ୍କ ମଧ୍ୟରେ ଅନେକ ସ୍ବାମୀ ପରିତ୍ୟକ୍ତା, ମାଟ୍ରିକ ଫେଲ୍ ଅଛନ୍ତି। ମୁଖ୍ୟତଃ ପଶ୍ଚିମବଙ୍ଗରେ ବସ୍ତି ଅଞ୍ଚଳର ମହିଳାଙ୍କୁ ରୋଜଗାର ଯୋଗାଇବା ଲୋଭ ଦେଖାଇ ନିଶା ମାଫିଆମାନେ ସେମାନଙ୍କୁ ଓଡ଼ିଶାରେ ଗଞ୍ଜେଇ, ବ୍ରାଉନସୁଗାର ଚାଲାଣରେ ବ୍ୟବହାର କରୁଛନ୍ତି। ଅବକାରୀ ବିଭାଗର ତଥ୍ୟ ମୁତାବକ, ୨୦୧୬ ଡିସେମ୍ବର ୨ ତାରିଖରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ ଓଏମ୍‌ପି ଛକରୁ ବାଲେଶ୍ବରର ପ୍ରେମୀଯୁଗଳଙ୍କୁ ଗିରଫ କରିଥିଲା। ୨୦୧୭ ଏପ୍ରିଲ ୨୭ ତାରିଖରେ ପିଲିଗ୍ରିମ୍ ରୋଡ ଦାସ ସାହିରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ବାଲେଶ୍ବରର ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ୨୦୧୭ ଅଗଷ୍ଟ ୨୦ ତାରିଖରେ ଗୁଇନ୍ଦା ବିଭାଗ କଟକ ଷ୍ଟେସନ୍‌ରୁ ୩ ଜଣଙ୍କୁ ଗିରଫ କରିଥିଲା। ୨୦୧୮ ଜୁନ ୬ ତାରିଖରେ ହଳଦୀପଡ଼ିଆ ବସ୍ତିରୁ ଜହର କନ୍ୟା କୁହାଯାଉଥିବା ଫିରୋଜ ବିବିକୁ ଗୁଇନ୍ଦା ବିଭାଗ ଗିରଫ କରିଥିଲା। ୨୦୧୮ ସେପ୍ଟେମ୍ବର ୭ ତାରିଖରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସ୍ତ୍ରୀ ମଇନା ରାଉତରାୟକୁ ଗୁଇନ୍ଦା ବିଭାଗ ଗିରଫ କରିଥିଲା। ଚଳିତବର୍ଷ ଜାନୁଆରି ୨୫ରେ ପଶ୍ଚିମବଙ୍ଗର ବିଉଟି ପୋଦାରକୁ ବ୍ରାଉନ୍‌ସୁଗାର ମାମାଲାରେ କମିସନରେଟ୍ ପୁଲିସ ଗିରଫ କରିଥିଥିଲା। ୨୦୧୮ ମାର୍ଚ୍ଚ ୨୮ ତାରିଖରେ ହାଓଡ଼ା ଜିଲ୍ଲା ଡଲ୍‌ବାରିଆର ଜଣେ ମହିଳାଙ୍କୁ କଟକରୁ ଗିରଫ କରିଥିଲା। ୨୦୧୮ ଏପ୍ରିଲ ୪ ତାରିଖରେ ଚାଉଳିଆଗଞ୍ଜ ଗାନ୍ଧିପଲ୍ଲୀରୁ ୧ କୁଇଣ୍ଟାଲ୍‌ ୧୨ କେଜି ଓଜନର ଗଞ୍ଜେଇ ଚାଲାଣ କରୁଥିବା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ୨୦୨୦ ଫେବ୍ରୁଆରି ୧୦ ତାରିଖରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରୁ ପଶ୍ଚିମବଙ୍ଗ ଗୋଲପୁରର ପୂର୍ଣ୍ଣିମା ଦାସ, ଝୁମା ଘରାଇ ଏବ˚ ରେବ ଦାସଙ୍କୁ ଗିରଫ କରିଛି। ମହିଳାମାନେ ନିଶା କାରବାରରେ ଲଗାତର ଯେଭଳି ସାମିଲ ହେଲେଣି, ଏମାନଙ୍କୁ ଧରିବା ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର