ଭୁବନେଶ୍ବରକୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଚିନ୍ତା‌, ବିମାନବନ୍ଦର ଓ ରେଳ ଷ୍ଟେସନରେ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ବର : ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବା ପରେ ଓଡ଼ିଶା ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ସେଠାରୁ ଆସୁଥିବା ଯାତ୍ରୀଙ୍କ ଲାଗି କରୋନା ନେଭେଟିଭ୍‌ ରିପୋର୍ଟ ଓ ଟିକାର ଦୁଇଟି ଡୋଜ୍‌ ନେଇଥିବା ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ହୋଇଛି। ଯେଉଁମାନଙ୍କ ପାଖରେ ଏଥିରୁ କୌଣସି ଗୋଟିଏ ନ ଥିବ, ‌ତାଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ। ତାହାକୁ ନଜରରେ ରଖି ଭୁବନେଶ୍ବର ରେଳଷ୍ଟେସନ୍‌ ଓ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୌଣସି ‌ଯାତ୍ରୀ ଯେପରି ବିନା ପ୍ରମାଣରେ ଖସି ନ ଯାଇ ପାରନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯାଇଛି।

ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ରେଳ ଷ୍ଟେସନରେ ସ୍ବତନ୍ତ୍ର କାଉଣ୍ଟର୍‌ ଖୋଲା ଯାଇଛି। ବିମାନବନ୍ଦରରେ ବିଏମ୍‌ସି ଟିମ୍‌ ସମ୍ପୂର୍ଣ୍ଣ ଭା‌ବେ ସଜାଗ ହୋଇ ରହିଛି। ବିମାନବନ୍ଦରରେ କିଭଳି ଯାଞ୍ଚ କରାଯିବ, ସେନେଇ ସ୍ପଷ୍ଟ ଗାଇଡ୍‌ଲାଇନ୍‌ ରହିଛି। ଯଦି କୌଣସି ଯାତ୍ରୀଙ୍କର ୪୮ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ର ନେଗେଟିଭ୍‌ ରିପୋର୍ଟ ନାହିଁ କିମ୍ବା ସେମାନେ ଡବଲ୍‌ ଡୋଜ୍‌ ଟିକା ନେଇନାହାନ୍ତି, ତେବେ ‌ସେମାନଙ୍କୁ ସରକାରୀ ସୁବିଧା ଥିବା କ୍ବା‌ରାଣ୍ଟିନ୍‌ ସେଣ୍ଟର୍‌ରେ ରଖିବାକୁ ପଠାଯାଉଛି। ନଚେତ୍‌ ଚିହ୍ନଟ ହୋଇଥିବା ଦେୟଯୁକ୍ତ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିବେ।

ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକଙ୍କ କହିବା କଥା ହେଉଛି ଯେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଭାୟା ହୋଇ ୩୦ଟି ଟ୍ରେନ୍‌ ଯାତାୟାତ କରୁଛି। ସେଥିରୁ ୯ଟି ଟ୍ରେନ୍‌ରେ ୫ରୁ ୭ହଜାର ଯାତ୍ରୀ ଭୁବନେଶ୍ୱର ଷ୍ଟେସନରୁ ଯିବା ଆସିବା କରୁଛନ୍ତି। ତେଣୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ବିଏମସି ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଯାତ୍ରୀଙ୍କ ଦୃଷ୍ଟିରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ହୋଇଛି। ୬ ନମ୍ବର ପ୍ଲାଟଫର୍ମ ବନ୍ଦ ଥିବା ବେଳେ କେବଳ ଏକ ନମ୍ବର ପ୍ଲାଟଫର୍ମ ଦେଇ ପ୍ରବେଶ ଓ ପ୍ରସ୍ଥାନ ହେଉଛି। ତେଣୁ ଉଭୟ ଫାଟକରେ ବିଏମ୍‌ସି ସ୍ୱତନ୍ତ୍ର ଟିମ୍‌ ଓ ଆରପିଏଫ୍‌ ନିୟୋଜିତ ଅଛନ୍ତି। କୌଣସି ପରିସ୍ଥିତିରେ କେହି ଖସି ଯିବାର ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧିତ ଖବର