ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ବିଭିନ୍ନ ସମୟରେ ବହୁ ପଦକ୍ଷେପ ନିଆଯାଇଛି। ଘରୋଇ ସଂସ୍ଥା ଏଥି ପାଇଁ ସହଯୋଗର ଖୋଲା ହାତ ବଢ଼ାଇଛନ୍ତି। ଲକ୍ଷାଧିକ ଟଙ୍କା ଦେଇଛନ୍ତି ସହରକୁ ସୁନ୍ଦର କରିବା ପାଇଁ। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ, ବେପରୁଆ କାରବାର ଯୋଗୁଁ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବାରମ୍ବାର ବିଫଳ ହେଉଛି। ସହରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଇଥିବା କାମ ଏବେ ସହରକୁ ବିକୃତ କରିବାରେ ମୁଖ୍ୟ ଭୂମିକା ନେଉଛି।
ସୌନ୍ଦର୍ଯ୍ୟକରଣ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ରାସ୍ତା କଡ଼ ଓ ମେଡିଆନ୍ରେ କରାଯାଉଛି। ଏଥି ପାଇଁ ବିଏମ୍ସି ନିଜେ ଅର୍ଥ ଖର୍ଚ୍ଚ ନ କରି ଘରୋଇ ସଂସ୍ଥାର ସହଯୋଗରେ ପିପିପି ମୋଡ୍ରେ ପ୍ରକଳ୍ପ କାର୍ଯ୍ୟକାରୀ କରେ। ଏ ଦିଗରେ ମୋଟା ଅଙ୍କର ଅର୍ଥ ବି ଖର୍ଚ୍ଚ ହୁଏ। ସହରର ମଧ୍ୟ ସ୍ଥଳରେ ତିନିଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ଘରୋଇ ସଂସ୍ଥାର ସହଯୋଗରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ସେଗୁଡ଼ିକ ହେଲା କ୍ୟାପିଟାଲ୍ ହସ୍ପିଟାଲ୍ ଛକରୁ ଏଜି ଛକ, ସଚିବାଳୟ ସାମ୍ନା ଏବଂ ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ୍ ଛକ। ଯେଉଁ ସମୟରେ ଏଠାରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲା, ତାହା ଭୁବନେଶ୍ୱରର ଶୋଭାକୁ ଦ୍ୱିଗୁଣିତ କଲା। ରାସ୍ତାରେ ଯାଉଥିବା ଲୋକ ଠିଆ ହୋଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବାଧ୍ୟ ହେଉଥିଲେ। ବାହାରୁ ଆସୁଥିବା ଲୋକ ତଥା ପର୍ଯ୍ୟଟକଙ୍କ ନିମନ୍ତେ ଏହା ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। କିନ୍ତୁ ବର୍ତ୍ତମାନ ସେହି କାରୁକାର୍ଯ୍ୟଗୁଡ଼ିକ ସହରର ଦୁଃଖ ପାଲଟିଯାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଶ୍ରୀହୀନ ହୋଇଗଲାଣି। ଭବିଷ୍ୟତରେ ଏକ ସୁନ୍ଦର ସହର ପାଇଁ ବହୁ ସ୍ୱପ୍ନ ଦେଖାଉଥିବା ବିଏମ୍ସି କର୍ତ୍ତୃପକ୍ଷ ବର୍ତ୍ତମାନର ସୌନ୍ଦର୍ଯ୍ୟକୁ କାହିଁକି ପାଦରେ ଆଡ଼େଇ ଦେଉଛନ୍ତି, ତାହା ସଚେତନ ନାଗରିକମାନେ ବୁଝି ପାରୁ ନାହାନ୍ତି।
ଆଉ ନାହିଁ ଆଇଲ୍ୟାଣ୍ଡ ପାର୍କର ଚମକ
କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ମଧ୍ୟରେ ରାସ୍ତା କଡ଼ରେ ହୋଇଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ନାମ ଦିଆଯାଇଥିଲା ‘ଆଇଲ୍ୟାଣ୍ଡ ପାର୍କ’। ରାସ୍ତା ପାର୍ଶ୍ୱରେ ପଥରରେ ଖୋଦେଇ ହୋଇଥିବା ଅନେକ କାରୁକାର୍ଯ୍ୟ ଓ ଓ୍ଵାଲ ପେଣ୍ଟିଂ ଥିଲା ଏହାର ଆକର୍ଷଣ। ବର୍ତ୍ତମାନ ଏହାର ଅବସ୍ଥା ନ କହିବା ଭଲ। ପଥରରେ ଖୋଦେଇ ହୋଇଥିବା କଳାକୃତିରେ ଶିଉଳି ଲାଗିଯାଇଥିବା ବେଳେ ଏହାର ଚାରି ପାଖେ ମାଟି ଚରି ଯାଇଛି। ଆଉ କିଛି କାରୁକାର୍ଯ୍ୟକୁ ବଡ଼ ବଡ଼ ଗଛ ଲୁଚେଇ ଦଉଥିବା ଦେଖିବାକୁ ମଳିଥିଲା। ତା’ସହିତ ଏହି ରାସ୍ତାରେ ହୋଇଥିବା ଓ୍ଵାଲ ପେଣ୍ଟିଂଗୁଡ଼ିକ ଆଉ ଦେଖିବା ଯୋଗ୍ୟ ହୋଇ ରହି ନାହିଁ। ଏକ ପ୍ରକାର ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ଏହି ସ୍ଥାନ। ଏଠାରେ ଯେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ହୋଇଥିଲା, ତାହା ଆଉ ବିଶ୍ୱାସ କରିହେଉନି।
ଲୁଚି ଗଲେଣି ମତ୍ସ୍ୟକନ୍ୟା ଓ ରାଶି ପ୍ରତୀକ
ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ ରାସ୍ତାରେ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୨ କୋଟି ଟଙ୍କା। ରାସ୍ତା କଡ଼ରେ ମତ୍ସକନ୍ୟାର ବିଶାଳ ପ୍ରତିମୂର୍ତ୍ତି, କଳସୀ ଓ ମେଡିଆନ୍ରେ ବାରଟି ରାଶିର ପ୍ରତୀକ ବେଶ୍ ଚିତ୍ତାକର୍ଷକ ହୋଇଥିଲା। କିନ୍ତୁ ଏବେ ଏହା କଳାକୃତିଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକରେ ଶିଉଳି ଲାଗିଗଲାଣି। ମତ୍ସ୍ୟକନ୍ୟା ଉପରେ ଗଛଲତା ମାଡ଼ିଯାଇଛି। ମେଡିଆନ୍ରେ ଥିବା ରାଶିର ପ୍ରତୀକଗୁଡ଼ିକ ଗଛ ଉହାଡ଼ରେ ରହିଯାଇଛନ୍ତି। ସେହି ସ୍ଥାନଗୁଡ଼ିକରେ ଏପରି ଗଛ ଭର୍ତ୍ତି ହୋଇଯାଇଛି ଯେ ତାହା ଆଉ ଦେଖାଯାଉନି। କିଛି ସ୍ଥାନରେ ମୂଳ ନଷ୍ଟ ହୋଇଗଲାଣି। ପୁଣି କଳସଗୁଡ଼ିକ ଭାଙ୍ଗି ଏଣେତେଣେ ଗଡ଼ୁଛି। ରାସ୍ତାକଡ଼ରେ ଥିବା ଇଲେକ୍ଟ୍ରି ଖୁଣ୍ଟ ଚାରିପଟେ ହୋଇଥିବା ସୌନ୍ଦର୍ଯ୍ୟକରଣ କାମ ବି ନଷ୍ଟ ହୋଇଗଲାଣି।
ସଚିବାଳୟ ସାମ୍ନା
ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଲା ସଚିବାଳୟ ସାମ୍ନା ରାସ୍ତା। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀ ଓ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ଏହା ଯାତାୟାତର ସ୍ଥାନ। ଖାସ୍ ଏଥି ପାଇଁ ସଚିବାଳୟ ସାମ୍ନା ପାଚେରୀ କଡ଼ ସ୍ଥାନରେ ପିପିପି ମୋଡ୍ରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ପାଣି ଫୁଆରା ଠାରୁ ଆରମ୍ଭ କରି ପଥର ଖୋଦେଇ ମୂର୍ତ୍ତି, ସୁନ୍ଦର ଲ୍ୟାଣ୍ଡ୍ସ୍କେପିଂ ଥିଲା ଏହାର ଆକର୍ଷଣ। କିନ୍ତୁ ଏବେ ସେସବୁ ଥାଇ ନ ଥିଲା ପରି। ନା ପାଣି ଫୁଆରା କାମ କରୁଛି ନା ଲ୍ୟାଣ୍ଡ୍ସ୍କେପିଂର ଆକର୍ଷଣ ଅଛି। ଅନାବନା ଘାସ ସେସବୁର ସ୍ଥାନ ନେଇଛି। ବଡ଼ ବଡ଼ ଗଛର ଡାଳ ବି ତାହା ଉପରେ ଭାଙ୍ଗି ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/m39.jpg)