ନାଁକୁ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର, ରାସ୍ତାରେ ଭାସୁଛି ନର୍ଦମା ପାଣି

ଜରାଜୀର୍ଣ୍ଣ ଡିଷ୍ଟ୍ରିକ୍ଟ ସେଣ୍ଟର ମୁଖ୍ୟ ରାସ୍ତା

ଚନ୍ଦ୍ରଶେଖରପୁର: ୧୯୯୩ ମସିହାରେ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ସ୍କିମ୍‌ ଅନୁସାରେ ଡିଷ୍ଟ୍ରିକ୍ଟ ସେଣ୍ଟର ବା ଜିଲା କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା। ୨୦୦୨ ମସିହାରୁ ଏଠାରେ ଲୋକମାନେ ରହିବା ଆରମ୍ଭ କରିଛନ୍ତି। ଏକ ପ୍ରମୁଖ ବାଣିଜ୍ୟିକ ଅଞ୍ଚଳ ସ୍ଥାପନର ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିବା ଏହି ସ୍ଥାନରେ ବର୍ତ୍ତମାନ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଏହି ଅଞ୍ଚଳରୁ ବିଏମ୍‌ସି ପକ୍ଷରୁ ଅଧିକ ଟ୍ୟାକ୍ସ୍‍ ଆଦାୟ କରାଯାଇଥାଏ। ଟ୍ରେଡ୍‌ ଲାଇସେନ୍ସ୍‌ ଓ କମର୍ସିଆଲ୍‌ ରେଟ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ହୋଲ୍‌ଡ଼ିଂ ଟ୍ୟାକ୍ସ୍‍ ଆଦାୟ କରୁଛି ବିଏମ୍‌ସି। ମାତ୍ର ଜିଲା କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମି ବିକାଶକୁ ନେତା, ପ୍ରଶାସନ ଯେପରି ପାସୋରି ଦେଇଛନ୍ତି। ବହୁ ଅଧିକ କର ଦେଉଥିଲେ ମଧ୍ୟ ଏଠିକାର ବାସିନ୍ଦା ଅନେକ ସମସ୍ୟାରେ ଛନ୍ଦି ହୋଇଛନ୍ତି। ସେସବୁ ମଧ୍ୟରୁ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରୁ ଡିଷ୍ଟ୍ରିକ୍ଟ ସେଣ୍ଟରକୁ ଯାଇଥିବା ମୁଖ୍ୟ ରାସ୍ତା ଅବସ୍ଥା ନକହିଲେ ଭଲ। ରାତି ତ’ ରାତି ଦିନରେ ମଧ୍ୟ ସାବଧାନ ହୋଇନଗଲେ ଖଣ୍ଡିଆଖାବରା ହେବା ନିଶ୍ଚିତ। ଏହି ଅଞ୍ଚଳରେ ବର୍ତ୍ତମାନ ବହୁ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ସହ ଘରୋଇ ଶିକ୍ଷାନୁଷ୍ଠାନ ଆଦି ରହିଛି। ସେହିପରି ଏହି ମୁଖ୍ୟ ରାସ୍ତା ଯାଇ ଆଚାର୍ଯ୍ୟ ହରିହର କଲେଜ ନିକଟରେ ସଂଯୋଗ ହୋଇଛି। ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରାଚୀ ଏନ୍‌କ୍ଲେଭ୍‌, ବିଡିଏ, ହାଉସିଂବୋର୍ଡ଼, ଡିଷ୍ଟ୍ରିକ୍ଟ ସେଣ୍ଟରର ହଜାର ହଜାର ଜନସାଧାରଣ ଗମନାଗମନ ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ। ଓ୍ଵାର୍ଡ଼ ନଂ-୯ରେ ଆସୁଥିବା ଏହି ସ୍ଥାନର ରାସ୍ତାର ଦୁରାବସ୍ଥା ପ୍ରତି ବିଏମ୍‌ସି କିମ୍ବା ସ୍ଥାନୀୟ ଲୋକପ୍ରତିନିଧି କେହି ମଧ୍ୟ ନଜର ଦେଉନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ କିଛି ମିଳୁନାହିଁ। ସେହିପରି ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍‌ସ ଆସୋସିଏସନ୍‌ ଆଗରେ ଥିବା ମୁଖ୍ୟ ରାସ୍ତା ବର୍ଷକ ବାରମାସ ଜଳାର୍ଣ୍ଣବ ହୋଇ ରହିଥାଏ। ନର୍ଦ୍ଦମା ପାଣି ରାସ୍ତାରେ ଭାସି ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରୁଛି। ଏହାସତ୍ତ୍ୱେ ବି କାହାର ଏପ୍ରତି ନଜର ପଡ଼ୁନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର