ପଶ୍ଚିମ ଓଡ଼ିଶାର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଓକିଲ ସଂଘ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ। ମଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ମଞ୍ଚ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦୀର୍ଘ ୧୬ ବର୍ଷ ହେବ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ହୋଇ ଆସୁଛି। ପଶ୍ଚିମ ଓଡ଼ିଶାରେ ଜନସଂଖ୍ୟା ପ୍ରାୟ ୨ କୋଟିରୁ ଅଧିକ ହେବ। କିନ୍ତୁ ହାଇକୋର୍ଟଜନିତ କାର୍ଯ୍ୟ ପାଇଁ ଏହି ଅଞ୍ଚଳର ଲୋକଙ୍କୁ କଟକ ଆସିବାକୁ ପଡୁଛି। ଫଳରେ ଖର୍ଚ୍ଚାନ୍ତ ହେବା ସହିତ ଆହୁରି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଆବାହକ ଅଜିତ କୁମାର ପତି ଏକ ବିଜ୍ଞପ୍ତିରେ କହିଛନ୍ତି କି ପଶ୍ଚିମ ଓଡ଼ିଶା ସବୁବେଳେ ଅହହେଳାର ଶିକାର ହୋଇ ଆସୁଛି। ସ୍ୱାସ୍ଥ୍ୟ, ଗମନାଗମନ, ଶିକ୍ଷା, ଅର୍ଥନୈତିକ, ସାମାଜିକ ସବୁ ଦୃଷ୍ଟିରୁ ପଛୁଆ ରହିଛି। ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ହୋଇସାରିଛି। କିନ୍ତୁ ବର୍ତ୍ତମାନ ଓଡ଼ିଶା ଓକିଲ ସଂଘ ଦ୍ୱାରା ଦେଇଥିବା ଚିଠିରେ ଉଲ୍ଲେଖ ଅଛି ଯେ, କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଆଇନଗତ ପଦକ୍ଷେପ ନିଆଯିବ। ଏହି ପ୍ରସ୍ତାବକୁ ବିରୋଧ କରି ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତଥା ଆମେ ମଧ୍ୟ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମଧ୍ୟ ଓକିଲ ସଂଘକୁ ସମର୍ଥନ ଜଣାଉଛୁ ବୋଲି ଶ୍ରୀ ପତି କହିଛନ୍ତି।

ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ରେଳରୋକ

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ ସୁନ୍ଦରଗଡ଼ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଝାରସୁଗୁଡ଼ାରେ ବନ୍ଦ ପାଳନ

ଆଜି ସକାଳୁ ସମ୍ବଲପୁରରେ ବାର ଆସୋସିଏସନ ପକ୍ଷରୁ କ୍ଷେତରାଜପୁର ଷ୍ଟେସନରେ ରେଳରୋକ କରାଯାଇଥିଲା। ଏଥି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଏମସିଏଲ ସମ୍ମୁଖରେ ମଧ୍ୟ ପିକେଟିଂ କରାଯାଇଥିଲା।

ସମ୍ବନ୍ଧିତ ଖବର