ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଓ ଷ୍ଟୁଡିଓ ୩୯ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଓ ଷ୍ଟୁଡିଓ ୩୯ର ମିଳିତ ସହଯୋଗରେ ଉତ୍କଳ ମଣ୍ଡପରେ ପରିସରରେ ଆଜି ‘୭ମ ନୂଆଁଖାଇ ଭେଟ୍‌ଘାଟ୍‌’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବିଜେପି ନେତା ଇରାଶିସ୍‌ ଆଚାର୍ଯ୍ୟ, ବିଜେଡି ନେତା ସଞ୍ଜିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶାଶ୍ବତ ତ୍ରିପାଠୀଙ୍କ ରୁମ୍‌କୁଝୁମାନା ଅନୁଷ୍ଠାନ, ବଲାଙ୍ଗିରର ରୁକୁ ସୁନା, ପ୍ରୀତମ୍‌ ମିଶ୍ର, ଶିବାନନ୍ଦ ତ୍ରିପାଠୀ, ସମ୍ବଲପୁରର ସାନ୍ତନୁ ଓ ଶୀତଲ, ଆକାଶ ପଟ୍ଟନାୟକ, ନିବାସ ଓ ରିଦିମ୍‌ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ଉପଦେଷ୍ଟା ସ୍ବର୍ଗତ ଦେବବ୍ରତ ମିଶ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା। ସେହିଭଳି କଳା, ସଂସ୍କୃତି, କ୍ରୀଡ଼ା, ସମାଜସେବା ଓ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଯୁବ ଓ ନାରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ହାସ୍ୟ ଅଭିନେତା ଯୋଗେଶ ଯୋଜୋ ଓ ସ୍ବାଗତିକା ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଭାପତି ଅଜିତ ପତି ଧନ୍ୟବାଦ ଦେଇଥିଲେ। ଢୋଲ, ନିଶାନ, ତାସା ସହିତ ପାରମ୍ପରିକ ନାଚ ଗୀତ ସହିତ ଝୁମି ଥିଲେ ହଜାର ହଜାର ଦର୍ଶକ।

ତେବେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ପଛ ପଟୁ ଜୟ କୋଶଲ ନାରା ଶୁଣିବାକୁ ମିଳିଥିଲା। ଶ୍ରୀ ପ୍ରଧାନ କିଛି ସମୟ ଅଟକି ଯାଇଥିଲେ। ପରେ ପୁଣି କହିବା ଆରମ୍ଭ କରିବା ବେଳକୁ ସମାନ ନାରା ଶୁଣିବାକୁ ମିଳିଥିଲା। ତା’ପରେ ସେ କହିଥିଲେ ଅତିଥି ଭାବରେ ଯଦି ଡାକିଛ ତା’ହେଲେ ଟିକେ ଶୁଣିବାର ଧୈର୍ଯ୍ୟ ରଖ। ଅନ୍ଧାରରେ ରହି କାପୁରୁଷ ଭଳି ବ୍ୟବହାର କରନି।

ସମ୍ବନ୍ଧିତ ଖବର