ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା: ଗଜା ହେଲା ମୁଗ, ବିରି

ବାଲିଅନ୍ତା: ପଶ୍ଚିମା ଝଡ଼ ପ୍ରଭାବରେ ଗତ ମାସକ ମଧ୍ୟରେ ହୋଇଥିବା ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଥିଯୋଗୁଁ ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ଜମିରେ ହୋଇଥିବା ମୁଗ, ବିରି ଓ କୋଳଥ ଆଦି ଡାଲିଜାତୀୟ ଫସଲ ଅମଳ ହେବାର ସମୟ ଆସିଯାଇଥିବା ବେଳେ ଏହି ଝଡ଼ବର୍ଷା ଦାଉ ସାଧିଛି। ବହୁ ଚାଷୀ ବିଲରୁ ମୁଗ, ବିରି ଉପାଡ଼ି ପକାଇଥିବା ବେଳେ ଆଉ କିଛି ଚାଷୀ ଖଳାକୁ ବୋହି ଆଣିଛନ୍ତି। ହେଲେ ଦିନେ ଦୁଇଦିନ ବ୍ୟବଧାନରେ ବର୍ଷା ହେବା ଫଳରେ ସେଥିରୁ ଗଜା ବାହାରିବା ଭଳି ପରିସ୍ଥିତି ଉପୁଜିଛି। ଗଛ ଓଦା ହୋଇଯିବା ଫଳରେ ବିଲ ବାଡ଼ିରେ ଗଦା ହୋଇଥିବା ମୁଗ ବିରି ଅମଳ ହୋଇ ନ ପାରି ଫିମ୍ପି ମାରିଗଲାଣି। ଖାଲି ସେତିକି ନୁହେଁ, ଏକର ଏକର ଜମିରେ ପାଣି ଜମି ରହିଛି। କାଦୁଅ ଯୋଗୁ ଚେରରେ ମାଟି ଲାଗିଯାଇଛି। ଫଳରେ ମୁଗ, ବିରି ଉପୁଡ଼ା ଯାଇ ପାରୁନାହିଁ।

ବାଲିଅନ୍ତା ବ୍ଲକ୍‌ରେ ମୋଟ ୯ ହଜାର ୯ଶହ ୨୪ ହେକ୍ଟର ଚାଷ ଜମି ମଧ୍ୟରୁ ୬ ହଜାର ହେକ୍ଟର ଜମିରେ ମୁଗ ଓ ବିରି ଭଳି ରବି ଫସଲ କରାଯାଇଛି। କିନ୍ତୁ ବର୍ଷା ଯୋଗୁଁ ପଛରେ ବେଉଷଣ ହୋଇଥିବା ମୁଗ, ବିରି ଗଛ ହଳଦିଆ ପଡ଼ିଗଲାଣି। ସେହିପରି ୧ ହଜାର ହେକ୍ଟର ଜମିରେ ରବି ଧାନ ଫସଲ କରାଯାଇଛି। ଧାନ ଓ ପାନବରଜ ମଧ୍ୟ ନଷ୍ଟ ହେବାର ଆଶଙ୍କ ରହିଛି। ଥୋଡ଼ମୁଖା ଧାନ ଫସଲରେ ବର୍ଷା ପବନ ମାଡ଼ ହେବା ଫଳରେ ଧାନଗଛ ଗର୍ଭ ଭିତରେ ଥିବା ଧାନ କେଣ୍ଡା ନଷ୍ଟ ହେବାର ଆଶଙ୍କା ରହିଛି। ସେହିପରି ବରଜରେ ପାନ ଗଛରେ ପତର ଫାଟି ନଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ, ବାଲିଅନ୍ତା ବ୍ଲଜର ସରକଣା, ପୂରଣପ୍ରଧାନ, ଝିଣ୍ଟି ଶାସନ, ପୁରୋହିତପୁର, ପ୍ରତାପରୁଦ୍ରପୁର, ଜୟଦେବ, ଭିଙ୍ଗାରପୁର ଏବଂ କାକରୁଦ୍ରପୁର ପଞ୍ଚାୟତ ସମେତ ଅନ୍ୟାନ୍ୟ ପଞ୍ଚାୟତରେ ବ୍ୟାପକ ରବି ଫସଲ କରାଯାଇଛି।

ସମ୍ବନ୍ଧିତ ଖବର