କୋଟି କୋଟି ଟଙ୍କା ଖର୍ଚ୍ଚ କେଉଁ କାମକୁ? ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି

ଭୁବନେଶ୍ବର: କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାଟି ତଳେ ପାଇପ୍‌ ବିଛାଗଲା। କୁହାଗଲା, ଏଥର ଜଳବନ୍ଦୀ ସମସ୍ୟାରୁ ମୁକ୍ତ ମିଳିବ। ବଡ଼ ବର୍ଷା ହେଲେ ବି ଜଳ ନିଷ୍କାସନ ତତ୍‌କ୍ଷଣାତ୍‌ ହୋଇଯିବ। କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ମାତ୍ର ଅସରାଏ ବର୍ଷାରେ ୩୨ ନମ୍ବର ୱାର୍ଡର ମଙ୍ଗରାଜ ପଏଣ୍ଟଠାରୁ ଡାଳଖାଇ ଛକ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ହଜାର ହଜାର ଲୋକ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାନୁସାରେ, ଦେଢ଼ ବର୍ଷ ତଳେ ୱା‌ଟ୍‌କୋ ପକ୍ଷରୁ ଉକ୍ତ ରାସ୍ତାରେ ସ୍ବେରେଜ୍‌ ପାଇପ୍‌ ବିଛା ଯାଇଥିଲା। ସେହି ସମୟରେ ରାସ୍ତାକୁ ପୂର୍ବ ଅପେକ୍ଷା ନୀଚ୍ଚା କରି ଦିଆଯାଇଥିଲା। ଏବେ ବର୍ଷା ହେଲେ ଝାରପଡ଼ା ଅଞ୍ଚଳର ସବୁ ବର୍ଷାଜଳ ରାସ୍ତା ଉପରେ ଜମା ହେଉଛି। ପାଣି ଯିବାର କୌଣସି ବିକଳ୍ପ ନାହିଁ। ପାଣି ଶୁଖିବା ଯାଏ ରାସ୍ତାରେ ଜମି ରହୁଛି। ପାଣି ଜମୁଥିବା ଏହି ରାସ୍ତାଟି ପୂର୍ବରୁ ସମତୁଲ ଥିବାରୁ ସବୁ ବର୍ଷାଜଳ ଗଙ୍ଗୁଆ ନାଳକୁ ଚାଲିଯାଉଥିଲା। କିନ୍ତୁ ଏବେ ଜଗନ୍ନାଥନଗର ପଟ ରାସ୍ତା ଓ ମଙ୍ଗରାଜ୍‌ ପଏଣ୍ଟ ରାସ୍ତା ଉଚ୍ଚା ହୋଇଯାଇଛି। ତେଣୁ ମଝି ନୀଚା ସ୍ଥାନରେ ସବୁ ପାଣି ଜମି ରହୁଛି। ସେତେବେଳେ ରାସ୍ତା ଉପରେ ଛୋଟ ଛୋଟ ପାଇପ୍‌ ପକାଯାଇ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ହେଲେ ସେସବୁକୁ ସଫା କରାଯାଉନଥିବାରୁ ଧୀରେ ଧୀରେ ବନ୍ଦ ହୋଇ ଗଲାଣି। କିଛି ସ୍ଥାନରେ ୱାଟ୍‌କୋ କରିଥିବା ପାଣି ନିଷ୍କାସନ ଜାଲି ଭାଙ୍ଗି ଗଲାଣି। କିଛି ସ୍ଥାନରେ ଜାଲି ଦୁଇ ଫୁଟ ତଳକୁ ଖସି ଯାଇଛି। ସେଥିରେ ବିପଦପୂର୍ଣ୍ଣ ଭାବେ ବଡ଼ ବଡ଼ ପଥର ପକାଯାଇ ଜାଲିକୁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁଁ ଏଠାରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି।

ଏହି ରାସ୍ତା ଦେଇ କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ, ବ୍ୟାଙ୍କର୍ସ କଲୋନି ଲୋକ ସହରକୁ ଆସିଥା’ନ୍ତି। ଏଥିସହ ଝାରପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳବାସୀ ଏହି ରାସ୍ତା ଦେଇ ପୁରୀ ବାଇପାସ୍‌କୁ ଯାଇଥା’ନ୍ତି। କିନ୍ତୁ ଏ ଗୁରୁତ୍ବପୂର୍ଣ୍ଣ ରାସ୍ତା ଉପରେ ୱାଟ୍‌କୋ କିମ୍ବା ବିଏମ୍‌ସି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।
ଅନ୍ୟପଟେ କେଶୁରା ଛକଠାରୁ ଝାରପଡ଼ା ମେଡିକାଲ୍‌ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ନଷ୍ଟ ହୋଇଗଲାଣି। ରାସ୍ତା ସାରା ଖାଲଖମାରେ ଭର୍ତ୍ତି। ମଙ୍ଗରାଜ ପଏଣ୍ଟରେ ଥିବା ପୋଲରୁ ରଡ୍‌ ବାହାରି ବିପଦସଙ୍କୁଳ ଅବସ୍ଥା‌‌ରେ ରହିଛି। ରାସ୍ତାରେ ପାଣି ଜମି ରହିବାରୁ ଲୋକମାନେ ଗାଡ଼ି ନେଇ ଯିବାକୁ ଭୟ କରୁଛନ୍ତି। ତେବେ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର