ସସ୍ମିତା ସାହୁ

Advertisment

ଭୁବନେଶ୍ବର: କିଏ କହିଲା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ଜାତୀୟ ସଙ୍ଗୀତ ମାନ୍ୟତା ଦେଇ ଆଇନ ପ୍ରଣୟନ କରିବା ସମ୍ବିଧାନ ସମ୍ମତ ନୁହେଁ, ତ’ ପୁଣି କିଏ କହିଲା ‘ବନ୍ଦେ ଉତ୍କଳ ଜନନୀ’ ନୁହେଁ ‘ବନ୍ଦେ ଓଡ଼ିଶା ଜନନୀ’ ହେଉ। ଆଉ କିଏ କହିଲା, ଗୋଟିଏ ଦେଶ ଗୋଟିଏ ଜାତୀୟ ସଙ୍ଗୀତ ‘ଜନ ଗଣ ମନ...’ ଆଉ ଏକ ରାଜ୍ୟ ସଙ୍ଗୀତର ମାନେ କ’ଣ? ଏଭଳି ଅନେକ ବିବାଦ, ସରକାରୀ ଅବହେଳା ଓ ଓଡ଼ିଶା ଗୃହ ତଥା ସଂସ୍କୃତି ବିଭାଗର ମଧ୍ୟରେ ସମନ୍ବୟ ଅଭାବରୁ ୨୬ ବର୍ଷ ଧରି ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବ କି ନାହିଁ, ତାହା ଓଡ଼ିଶାର ଏକ ବଡ଼ ପ୍ରସଙ୍ଗ ଓ ପ୍ରଶ୍ନ ହୋଇ ରହିଲା। ୧୯୯୪ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗରେ ୨୦୨୦ ଜୁନ୍ ୭ ତାରିଖରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସମ୍ପୂର୍ଣ୍ଣ ଗୀତ ‘ରାଜ୍ୟ ସଙ୍ଗୀତ ମାନ୍ୟତା’ ପାଇଲା। ଓଡ଼ିଆମାନେ ଉତ୍‌ଫୁଲିତ ହେଲେ। ସରକାର ବାହାବା’ ନେଲେ। ହେଲେ ଏହା ଭିତରେ ଅଢ଼େଇ ବର୍ଷ ବିତିଗଲା। ବନ୍ଦେ ଉତ୍କଳ ଜନନୀ କେଉଁ ସ୍ବରରେ, କେତେ ସମୟ ଓ ସଙ୍ଗୀତର କେତୋଟି ପଦ ଗାନ କରାଯିବ ସରକାର ସେ ନେଇ କୌଣସି ସ୍ପଷ୍ଟତା ଆଣିଲେ ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ପରିବେଷଣ ଶୈଳୀ, ସମୟ ଓ ସ୍ବରରେ ଭିନ୍ନତା ଦେଖାଯାଉଛି। ଯାହାକି ରାଜ୍ୟ ସଙ୍ଗୀତର ଅପମାନ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବା ସମୟରେ ନିଷ୍ପତ୍ତି ହେଲା ଯେ ଏହି ସଙ୍ଗୀତର ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଓ ଅନ୍ୟାନ୍ୟ ସ୍ବତନ୍ତ୍ର ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ଏହାକୁ ପରିବେଷଣ କରାଯିବ। ଯଥାଶୀଘ୍ର ଏହି ଗୀତର ରେକର୍ଡିଂକୁ ଲୋକାଭିମୁଖୀ କରିବାର ଦାୟିତ୍ବ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ହେଲା। କିନ୍ତୁ ଅଢ଼େଇ ବର୍ଷ ପରେ ବି ରାଜ୍ୟବାସୀ ପ୍ରକୃତ ଅନୁମୋଦିତ ସ୍ବର, ଶୈଳୀ ତଥା ରେକଡିଂ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବହୁ ତର୍ଜମା ପରେ ବିଭାଗ ପକ୍ଷରୁ ଏହାକୁ ନେଇ ଏକ ଗୀତ ପ୍ରସ୍ତୁତ ହୋଇଥିଲା। କଣ୍ଠଶିଳ୍ପୀ ସୁବାସ ଦାସ ଓ ତୃପ୍ତି ଦାସଙ୍କ ଦ୍ବାରା ସଙ୍ଗୀତର ରେକର୍ଡିଂ କରାଯାଇଛି ଓ ଏହାକୁ ଅନୁମୋଦନ ମିଳିଛି। ୨ ମିନିଟ୍ ୧୧ ସେକେଣ୍ଡର ଏହି ସଙ୍ଗୀତରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ର ୩ଟି ପଦ ସ୍ଥାନ ପାଇଛି। ଏହି ଗୀତ ରେକର୍ଡିଂ ହୋଇ ସମସ୍ତଙ୍କୁ ଦିଆଯିବା ସହ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ଏହାକୁ ହିଁ ଲଗାଇବାକୁ ନିର୍ଦ୍ଦେଶ ଦିଆଯିବା କଥା ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୀତ ରେକର୍ଡିଂ ସରିଛି; ତେବେ ଏହାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରାଯାଉନାହିଁ କାହିଁକି? ବିଭିନ୍ନ ସାମାଜିକ ଗଣମାଧ୍ୟମରେ ‘ବନ୍ଦେ ଉତ୍କଳ ଜନନୀ’ର ସ୍ବର, ଅବଧି ଓ ପଦକୁ ନେଇ ପ୍ରସ୍ତୁତ ନିର୍ଦ୍ଧିଷ୍ଟ ସଙ୍ଗୀତକୁ ପ୍ରଚାର କରାଯାଉନାହିଁ କାହିଁକି? ଏପରିକି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଠିକ୍ ଲେଖାକୁ ନେଇ ବି ଲୋକମାନଙ୍କୁ ସଚେତନ କରାଯାଉନଥିବା ଦେଖିବାକୁ ମିଳୁଛି। ଚାରୁ ହାସମୟୀ, ଚାରୁ ଭାଷମୟୀ... ସଠିକ୍ ହୋଇଥିବା ବେଳେ ଅନେକ ଏହାକୁ ଚାରୁ ହାସ୍ୟମୟୀ, ଚାରୁ ଭାଷ୍ୟମୟୀ ଗାନ କରୁଛନ୍ତି। ଏହା ଶବ୍ଦର ଅର୍ଥକୁ ବଦଳାଇ ଦେଉଛି। ସେହିଭଳି ‘ଘନ-ବନଭୂମି ରାଜିତ ଅଙ୍ଗେ...’କୁ ଅନେକ ଲୋକ ‘ଘନ ଘନ-ବନଭୂମି ରାଜିତ ଅଙ୍ଗେ...’। ଯାହାକି ଭୁଲ। ଆଜି ଯାଏ ଏହି ସବୁ ଭୁଲକୁ ଆମେ ସଜାଡ଼ିବାରେ ଅସମର୍ଥ ହୋଇଛୁ। କେବଳ ଚର୍ଚ୍ଚା ପାଇଁ ଆମେ ‘ବନ୍ଦେ ଉତ୍କଳ ଜନନୀ’କୁ ଜାତୀୟ ସଙ୍ଗୀତ ମାନ୍ୟତା ଦେଇ ଦେଲୁ ସିନା, କିନ୍ତୁ ଏହାର ପ୍ରକୃତ ସ୍ବର ଓ ନିର୍ଭୁଲ ଲେଖା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିନାହୁଁ।

ଏନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାତି ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି, ସରକାରଙ୍କ ଉଦ୍ୟମ ଫଳରେ ଆଜି ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇପାରିଛି। ଏହି ମାନ୍ୟତା ମିଳିବା ପରେ ଏହି ସଙ୍ଗୀତ ଗାନରେ ସମାନତା ରକ୍ଷା ଲାଗି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁମୋଦିତ ସ୍ବର ଓ ଶୈଳୀ ପ୍ରସ୍ତୁତ କରି ସାଧାରଣରେ ପ୍ରଚାର ପ୍ରସାର କରିବାର ଦାୟିତ୍ବ ନ୍ୟସ୍ତ ଥିଲା। କିନ୍ତୁ ଅଢ଼େଇ ବର୍ଷ ପରେ ବି ଆମେ ରାଜ୍ୟ ସଙ୍ଗୀତର ପ୍ରକୃତ ସ୍ବର, ଅବଧି ଓ ଶୈଳୀ ନେଇ ସମ୍ପୂର୍ଣ୍ଣ ଅଜ୍ଞ। ଏନେଇ ତ୍ବରିତ ପଦକ୍ଷେପ ନିଆଯାଇ ଜନସମୂହରେ ଏହି ସଙ୍ଗୀତର ରେକର୍ଡିଂର ଅଧିକ ପ୍ରଚାର ପ୍ରସାର କଲେ ଆମ ରାଜ୍ୟ ସଙ୍ଗୀତର ସମ୍ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି, କିଛି ଗୀତିକାର, ଉତ୍କଳ ସମ୍ମଳନୀ ସଦସ୍ୟ, କାନ୍ତକବିଙ୍କ ପରିବାର ସଦସ୍ୟଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଉ। ସର୍ବସମ୍ମତି କ୍ରମେ ରାଜ୍ୟ ସଙ୍ଗୀତ ପାଇଁ ଅନୁମୋଦିତ ସ୍ବର, ସମୟସୀମା ଓ କେତୋଟି ପଦ ଗାନ କରାଯିବ ତାହା ସ୍ଥିର କରାଯାଉ। ସବୁଠାରୁ ବଡ଼ କଥା ଏହାକୁ ଅଧିକ ଲୋକାଭିମୁଖୀ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକ ଗୁରୁତ୍ବ ଦେଉ। ତେବେ ଯାଇ ଆମ ‘ରାଜ୍ୟ ସଙ୍ଗୀତ’ ପ୍ରକୃତ ସମ୍ମାନ ପାଇପାରିବ।