ସତ୍ୟର ସନ୍ଧାନରେ ସିଦ୍ଧାର୍ଥ

ଭୁବନେଶ୍ବର: ସତ୍ୟ କ’ଣ? ସତ୍ୟର ସନ୍ଧାନରେ ସାରା ସଂସାର ବୁଲିଛନ୍ତି ନାଟକର ଚରିତ୍ର ସିଦ୍ଧାର୍ଥ। ସିଦ୍ଧାର୍ଥ ଜଣେ ଶାସ୍ତ୍ରଜ୍ଞ ଓ ପ୍ରତିଭାବାନ ଯୁବକ। କିନ୍ତୁ ଅନ୍ତରରେ ରହିଯାଇଥିଲା ଗଭୀର ଅଭାବବୋଧ। ସତ୍ୟର ଅନୁଭୂତି ପାଇଁ ତାଙ୍କ ମନରେ ପିପାସା ଜାଗ୍ରତ ହୋଇଥିଲଶ। ସତ୍ୟର ସନ୍ଧାନ ପାଇଁ ଦୃଢ଼ପ୍ରତିଜ୍ଞ ହୋଇ ଗୃହତ୍ୟାଗ କରି ସେ ଆଗେଇଥିଲେ ଦୁଃସାହସିକ ଜୀବନଯାତ୍ରାରେ। ବହୁ ଗୁରୁଙ୍କୁ ଭେଟିଛନ୍ତି, ଗୌତମ ବୁଦ୍ଧଙ୍କ ବାଣୀ ଶୁଣିଛନ୍ତି। ପୁଣି ଆଗେଇଛନ୍ତି ଆଗକୁ ନିଜ ଭାବରେ ସତ୍ୟଜ୍ଞ ହେବା ପାଇଁ। ସେଇ କ୍ରମରେ ସଂସାରୀ ଜୀବନ ମଧ୍ୟ ଆପଣେଇଛନ୍ତି। ଶେଷରେ ପ୍ରକୃତି କୋଳକୁ ଫେରି ହିଁ ତା’ର ସଙ୍କେତରେ ସତ୍ୟର ଗୁଢ଼ ରହସ୍ୟକୁ ବୁଝିଛନ୍ତି। ନୋବେଲ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଜର୍ମାନ ଲେଖକ ହରମାନ୍‌ ହେସ୍‌ଙ୍କ ରଚିତ ଭାରତୀୟ ପରମ୍ପରା ଉପରେ ଆଧାରିତ ‘ସିଦ୍ଧାର୍ଥ’ ଉପନ୍ୟାସର ଏହି ନାଟ୍ୟରୂପ ଆଜି ମଞ୍ଚସ୍ଥ ହୋଇଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ବଲାଙ୍ଗିରର ନାଟ୍ୟାନୁଷ୍ଠାନ ‘ଭୂମିକା’ ପକ୍ଷରୁ ପରିବେଷିତ ଏହି ନାଟକର ଅନୁସୃଜନ ମଧୁସୂଦନ ପତି କରିଥିବା ବେଳେ ଚିତ୍ତରଞ୍ଜନ ଦାଶ ଏହାର ନିର୍ଦ୍ଦେଶନା ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଂଘର ନିୟମିତ ନାଟକ ପରିକ୍ରମା କାର୍ଯ୍ୟକ୍ରମ ‘ନାଟ୍ୟଧାରା’ ଆଜି ଭେଟି ଦେଇଥିଲା ନାଟକ ‘ସିଦ୍ଧାର୍ଥ’। ଆଜିର କାର୍ଯ୍ୟକ୍ରମରେ ନାଟ୍ୟସଂଘ ରାଉରକେଲାର ଯୁଗ୍ମ ସଂପାଦକ ପ୍ରଫୁଲ୍ଲ ସେଠୀ, ‘ଭୂମିକା’ର ସଦସ୍ୟ ଦେବତୋଷ ଦର୍ଜୀ, ନାଟକର ନିର୍ଦ୍ଦେଶକ ଶ୍ରୀ ଦାଶ, ନାଟ୍ୟସଂଘର ଉପସଭାପତି ପ୍ରକାଶ ମହାରଣା, ସଂପାଦକ ଲାଲା ବିରେନ ରାୟ ଓ କୋଷାଧ୍ୟକ୍ଷ ସୁଶୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର