ଭୁବନେଶ୍ୱର: ବିଜେବି କଲେଜ ପରିସରରେ ଥିବା ଉଦ୍ଭିଦ ଉଦ୍ୟାନକୁ କାଟି ସଫା କରି ଦିଆଯାଇଛି। କାହିଁକି ଶତାଧିକ ବଡ଼ ଗଛ କଟା ଯାଇଛି ଏ ସମ୍ପର୍କରେ ବିଜେବି କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲୁ ନଥିବା ବେଳେ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜଧାନୀରେ ପ୍ରତିବର୍ଷ ତାପମାତ୍ରା ବଢ଼ୁଛି। ପ୍ରବଳ ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଏଥିରୁ ରକ୍ଷା ପାଇବାକୁ ସରକାରୀ ଠାରୁ ବେସରକାରୀ ଅନୁଷ୍ଠାନ ଗଛ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଅନ୍ୟପଟେ ସରକାରୀସ୍ତରରେ ଗଛ କଟା ଚାଲିଛି। ପୂର୍ବରୁ ବିଧାୟକଙ୍କ ପ୍ରକୋଷ୍ଠ ନିର୍ମାଣ ପାଇଁ ହଜାରରୁ ଅଧିକ ଗଛ କଟାଯାଇଛି। ନିକଟରେ କୋର୍ଟ କୋଠା ତିଆରି ପାଇଁ ବିଜେବି କଲେଜ ସମ୍ମୁଖରେ ଥିବା ବଡ଼ ବଡ଼ ଗଛ କଟା ଯାଇଥିଲା।

Advertisment

କଳ୍ପନା ଛକରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ପାଇଁ ମଧ୍ୟ ଶତାଧିକ ବଡ଼ ଗଛ ବଳି ପଡ଼ିଥିଲା। ଏବେ ବିଜେବି କଲେଜରେ ବିନା କାରଣରେ ଗଛ କଟା ଚାଲିଛି। କଲେଜର ୩ ନମ୍ବର ଫାଟକ ଓ ବିଆର୍‌ ଆମ୍ବେଦକର ଛାତ୍ରାବାସ ମଝିରେ ରହିଛି ଏହି ଉଦ୍ଭିଦ ଉଦ୍ୟାନ। ୧୦ ବର୍ଷ ତଳେ ଏଠାରେ ହରିଡ଼ା, ବାହାଡ଼ା, ନିମ୍ବ, ରୁଦ୍ରାକ୍ଷ, ଅଁଳା, କରଞ୍ଜ, ଶିଶୁ ଆଦି ଗଛ ଲଗାଯାଇଥିଲା। ଏବେ ଗଛର ଉଚ୍ଚତା ୮୦ ଫୁଟ ଓ ଗୋଲେଇ ୨ରୁ ୪ ଫୁଟ ରହିଛି। ତେବେ କଟର ମେସିନ୍‌ ସାହାଯ୍ୟରେ ତରବରିଆ ଭାବେ ଏହି ମୂଲ୍ୟବାନ ଗଛଗୁଡ଼ିକୁ କଟା ଯାଇଛି। ସକାଳୁ ମର୍ଣ୍ଣିଂ ୱାକ୍‌ କରିବାକୁ ଆସୁଥିବା କିଛି ସ୍ଥାନୀୟ ବାସିନ୍ଦା କାହିଁକି ଗଛ କଟା ଯାଉଥିବା ପ୍ରଶ୍ନ କରିବା ସହ ଗଛ ନକାଟିବାକୁ ବାରଣ କରିଥିଲେ।

ଏହାପରେ ଗଛ କଟା ବନ୍ଦ କରାଯାଇଥିଲା। ହେଲେ କାହିଁକି ଗଛ କଟା ଯାଉଥିଲା ସେ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ବିଜେବି କଲେଜର କିଛି କର୍ମଚାରୀଙ୍କ ଯୁକ୍ତି ହେଲା ଜାଗାଟି ଜଙ୍ଗଲ ହୋଇଯାଇଥିଲା। ବଡ଼ ବଡ଼ ସାପ ବାହାରୁଥିଲେ। ନିକଟରେ ଛାତ୍ରାବାସରେ ମଧ୍ୟ ସାପ ପଶୁଥିଲେ। ତେଣୁ ବଡ଼ ନୁହେଁ ଆମେ ଛୋଟ ଛୋଟ ଗଛ କାଟୁଥିଲୁ। ମିଳିଥିବା ତଥ୍ୟ ଅନୁସାର ଜାନୁଆରି ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ନାକ୍‌ ଟିମ୍‌ କଲେଜକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସମ୍ପୂର୍ଣ୍ଣ କଲେଜକୁ ରଙ୍ଗ କରାଯିବା ସହ ସଫା କରାଯାଉଛି। ଏହାର ସୁଯୋଗ ନେଇ କିଛି କର୍ମଚାରୀ ଗଛଗୁଡ଼ିକୁ କାଟି ସଫା କରି ଦେଇଛନ୍ତି। ଏନେଇ ସିଟି ଡିଏଫ୍‌ଓ ଅଜିତ ଶତପଥୀ କହିଛନ୍ତି ଗଛ କାଟିବା ପାଇଁ ଆମ ଠାରୁ କେହି ଅନୁମତି ନେଇ ନାହାନ୍ତି।