ସରକାରୀ କ୍ବାର୍ଟର୍ସ, ଅଫିସ ଦେବେନି ହୋଲଡିଂ ଟିକସ, ସାଧାରଣ ଲୋକ ଦେବେ
ବେଞ୍ଚମାର୍କ ମୂଲ୍ୟ ବଢ଼ାଇବ ରାଜସ୍ବ ବିଭାଗ, ଟିକସ ଆଦାୟ କରିବ ବିଏମ୍‌ସି

Advertisment

ଭୁବନେଶ୍ବର, (ବିଶ୍ବଜିତ ଦାଶ) : ୨୦୧୯ ମସିହାରେ ରାଜସ୍ବ ବିଭାଗ ଧାର୍ଯ୍ୟ କରିଥିବା ବେଞ୍ଚମାର୍କ ମୂଲ୍ୟ ଅନୁସାରେ ବିଏମ୍‌ସି ଏବେ ହୋଲଡିଂ ଟିକସ ଆଦାୟ କରୁଛି। ଯାହାକୁ ନେଇ ରାଜଧାନୀରେ ଏବେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଏମ୍‌ସିର ଟିକସ ଜୁଲମ୍‌ରେ ଲୋକ ତ୍ରାହିତ୍ରାହି ଡାକିଲେଣି। ବିଭିନ୍ନ ରାଜନୈତିକ ଦଳ ବିଏମ୍‌ସିର ଏହି ଟିକସ ଜୁଲମ୍‌କୁ ବିରୋଧ କଲେଣି। ଏପରିକି ଲୋକ କହିଲେଣି ଯେ ଭୁବନେଶ୍ବରରେ ଘର କରିବା କ’ଣ ପାପ?

ବିଏମ୍‌ସି କର୍ତ୍ତୃପକ୍ଷ ବି ସେମାନଙ୍କ ଟିକସ ଆଦାୟକୁ ଯୁକ୍ତିସଂଗତ ଦର୍ଶାଇବାକୁ ଯାଇ କହୁଛନ୍ତି ଯେ ରାଜଧାନୀରେ ଘର କରିଛ ମାନେ ଟିକସ ଦେବ। ଯେଉଁମାନେ ଏଠାରେ ଘର କରିଛନ୍ତି ସେମାନଙ୍କୁ ଚକାଚକ୍ ରାସ୍ତା, ଡ୍ରେନ୍, ସ୍ବେରେଜ୍ ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟ୍ ସୁବିଧା ଯୋଗାଯାଉଛି। ତେଣୁ ସେମାନଙ୍କଠାରୁ ହୋଲଡିଂ ଟିକସ ଆଦାୟ ହେଉଛି। ତେବେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏହି ଯୁକ୍ତିରେ ଯେ ପାତରଅନ୍ତର ଅଛି ତାହା ସ୍ପଷ୍ଟ ଜଣାପଡ଼ୁଛି। କାରଣ ସରକାରୀ କ୍ବାର୍ଟର୍ସରେ ରହୁଥିବା ବାବୁମାନେ ବି ଏହି ଚକାଚକ୍ ରାସ୍ତା, ଡ୍ରେନ୍, ସ୍ବେରେଜ୍ ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟ୍ ଓ ବିଏମ୍‌ସିର ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। କିନ୍ତୁ ସେମାନେ କେବଳ ଲାଟ୍ରିନ୍ ଟ୍ୟାକ୍ସ ଓ ଷ୍ଟ୍ରିଟ ଲାଇଟ୍ ଟ୍ୟାକ୍ସ ଦେଉଛନ୍ତି। ହୋଲଡିଂ ଟିକସ ଦେଉନାହାନ୍ତି। କ୍ବାର୍ଟର୍ସ ଭଡ଼ା ବାବଦକୁ ଯେତିକି ଟଙ୍କା ହେଉଛି, ତା’ର ମାତ୍ର ୫% ଷ୍ଟ୍ରିଟଲାଇଟ୍‌ ଟ୍ୟାକ୍ସ ଓ ୨.୫% ଲାଟ୍ରିନ୍ ଟ୍ୟାକ୍ସ ବାବଦକୁ ଦେଉଛନ୍ତି।

ଉଦାହରଣ ସ୍ବରୂପ ରାଜଧାନୀରେ ଟାଇପ୍-୪ କ୍ବାର୍ଟର୍ସରେ ରହୁଥିବା ଜଣେ କର୍ମଚାରୀ ମାସକୁ ପ୍ରାୟ ୪୦୦ଟଙ୍କା ହିସାବରେ ବର୍ଷକୁ ୪୮୦୦ଟଙ୍କା ଭଡ଼ା ଦେଉଛନ୍ତି। ଲାଟ୍ରିନ୍ ଟ୍ୟାକ୍ସ ବାବଦକୁ ଏହାର ୨.୫% ଅର୍ଥାତ୍ ୧୨୦ଟଙ୍କା ଏବଂ ୫% ଅର୍ଥାତ୍ ୨୪୦ଟଙ୍କା ଷ୍ଟ୍ରିଟ ଲାଇଟ୍‌ ଟିକସ ବାବଦକୁ ଦେଉଛନ୍ତି। ଏହି ହିସାବରେ ମନ୍ତ୍ରୀ, ବିଧାୟକ ଓ ଆଇଏଏସ୍, ଆଇପିଏସ୍‌ଙ୍କ କ୍ବାର୍ଟର୍ସରୁ ଏହାର ପ୍ରାୟ ଦୁଇଗୁଣା ଟିକସ ଆଦାୟ ହେଉଛି।

ଯେଉଁଠି ରାଜଧାନୀର ସାଧାରଣ ଲୋକଟିଏ ହୋଲଡିଂ ଟିକସରେ ଷ୍ଟ୍ରିଟଲାଇଟ୍‌ ଓ ଲାଟ୍ରିନ୍ ଟ୍ୟାକ୍ସ ବାବଦକୁ ପ୍ରାୟ ୨ରୁ ୮ହଜାର ବା ତାହାଠାରୁ ଅଧିକ ଟଙ୍କା ଗଣୁଛି, ସେଠାରେ ବାବୁମାନେ ହଜାରେ ଟଙ୍କା ବି ଦେଉନାହାନ୍ତି। କେବଳ ଏତିକି ନୁହେଁ; ବାବୁମାନଙ୍କ କ୍ବାର୍ଟର୍ସ ଯେତିକି ଅଞ୍ଚଳରେ ଅଛି ତା’ର ୫ଗୁଣା ଜାଗା ଖୋଲା ପଡ଼ୁଛି। ରାଜଧାନୀରେ ନେତା, ମନ୍ତ୍ରୀ, ବଡ଼ବଡ଼ ବାବୁଙ୍କ କ୍ବାର୍ଟର୍ସ କେଉଁଠି ଏକ ଏକର ଜମି ତ କେଉଁଠି ଅଧ ଏକର ଜମିରେ ଅଛି। ଯଦି କୌଣସି ସାଧାରଣ ଲୋକର ଏତିକି ଜାଗାରେ ଘର ରହୁଛି ସେ ପ୍ରାୟ ୪୦ ହଜାରରୁ ଦେଢ଼ ଲକ୍ଷ ଟଙ୍କା ହୋଲଡିଂ ଟିକସ ବାବଦକୁ ଦେଉଛି। କିନ୍ତୁ ବାବୁ ମାତ୍ର ୭୦୦ରୁ ୮୦୦ ଟଙ୍କା ଦେଉଛନ୍ତି।

ବିଏମ୍‌ସିର ଯେଉଁ ବାବୁମାନେ ଏହି ନିୟମ କରିଛନ୍ତି ସେମାନେ ସରକାରୀ କ୍ବାର୍ଟର୍ସରେ ରହୁଛନ୍ତି। ସେମାନେ ହୋଲଡିଂ ଟିକସ ଦେବାର କଷ୍ଟ ଭୋଗୁନାହାନ୍ତି। ସେମାନଙ୍କଠାରୁ ଯଦି ସାଧାରଣ ଲୋକଙ୍କ ଭଳି ହୋଲଡିଂ ଟିକସ ଆଦାୟ କରାଯାଆନ୍ତା, ତେବେ ସେମାନେ ଏହିଭଳି ଜୁଲମ୍ କରିବା ପୂର୍ବରୁ ୧୦ଥର ଭାବନ୍ତେ ବୋଲି ରାଜଧାନୀବାସୀ କହିଲେଣି।

ଏ ନେଇ ବିଏମ୍‌ସିର ଉତ୍ତର ହେଲା; କୌଣସି ସରକାରୀ କ୍ବାର୍ଟର୍ସରୁ ହୋଲଡିଂ ଟିକସ ଆଦାୟ କରିବାର ନିୟମ ନାହିଁ। ସେମାନେ ଭଡ଼ାରେ ରହୁଛନ୍ତି। ସରକାରଙ୍କୁ ଭଡ଼ା ଦେଉଛନ୍ତି। ଆମକୁ କେବଳ ଲାଟ୍ରିନ୍ ଟ୍ୟାକ୍ସ ଓ ଷ୍ଟ୍ରିଟ ଲାଇଟ୍‌ ଟ୍ୟାକ୍ସ ଆଦାୟ କରିବାକୁ କୁହାଯାଇଛି।

ଏଇଠି ପ୍ରଶ୍ନ ଉଠୁଛି, ଯଦି ଜଣେ ଭଡ଼ାରେ ରହୁଛି ତେବେ କାହିଁକି ଲାଟ୍ରିନ୍ ଟ୍ୟାକ୍ସ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଟ୍ୟାକ୍ସ ଦେବ? ଏ ପ୍ରଶ୍ନର ଉତ୍ତର କିନ୍ତୁ ବିଏମ୍‌ସି ଅଧିକାରୀଙ୍କ ପାଖରେ ନାହିଁ। ରାଜଧାନୀରେ ଯେମିତି ଜଣେ ଜମି କିଣିଲେ ତା’ ନାଁରେ ପଟ୍ଟା ହେଉଛି ସେହିଭଳି କ୍ବାର୍ଟର୍ସ ମିଳିଲେ ଆଲଟ୍‌ମେଣ୍ଟ ଲେଟର ଇସ୍ୟୁ ହେଉଛି। କ୍ବାର୍ଟର୍ସରେ ବର୍ଷକୁ ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି, ଏପରିକି କେତେକ ନେତା, ବାବୁ କ୍ବାର୍ଟର୍ସ ନେବାବେଳେ ୫୦ରୁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରି କ୍ବାର୍ଟର୍ସ ମରାମତି କରୁଛନ୍ତି। ସବୁ କାମ ପରେ ଘରର ମାଲିକ ହିସାବରେ ସେଥିରେ ଯେଉଁ ଲୋକ ଦସ୍ତଖତ କରୁଛି ସେ ଟଙ୍କା‌ ପାଉଛି। ଯଦି କ୍ବାର୍ଟର୍ସ ଜଣଙ୍କ ନାମରେ ଇସ୍ୟୁ ହେଉଛି ଏବଂ ତାଙ୍କ ଦସ୍ତଖତରେ କ୍ବାର୍ଟର୍ସର ମରାମତି କାମ ହେଉଛି, ତେବେ ସେ କ୍ବାର୍ଟର୍ସ ପାଇଁ ହୋଲଡିଂ ଟିକସ କାହିଁକି ଦେବେନି? ଯଦି ସେ ‌ଟିକସ ଦେବେନି ତେବେ ତାଙ୍କୁ କ୍ବାର୍ଟର୍ସ ଦେଇଥିବା ବିଭାଗ କାହିଁକି ଦେବନି?

ବିଏମ୍‌ସିର ଏହି ପାତରଅନ୍ତର ନୀତି ନେଇ ଶରତ ସାହୁ ନାମକ ଜଣେ ରାଜଧାନୀବାସୀ କହିଛନ୍ତି ଯେ, ଆମେ କେତେ କଷ୍ଟରେ ଜାଗା କିଣି ଘର ନିର୍ମାଣ କରିଥିଲୁ। ଏବେ ବେଞ୍ଚମାର୍କ ମୂଲ୍ୟ ବଢ଼ିବ ବୋଲି କ’ଣ ଆମେ ୮୦୦ଟଙ୍କା ଜାଗାରେ ୩୦ହଜାର ଟଙ୍କା ହୋଲଡିଂ ଟିକସ ଗଣିବୁ? ସରକାରୀ କ୍ବାର୍ଟର୍ସରେ ଆମ ଭାଗ୍ୟରେ ନାହିଁ ବୋଲି କ’ଣ ପାପ ନା ରାଜଧାନୀରେ ଘର କରିଛୁ ବୋଲି ପାପ? ବିଏମ୍‌ସି ତା’ର ନିୟମ ବଦଳାଇବା ଦରକାର।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ୧୯୯୮ ମସିହାରେ ଧାର୍ଯ୍ୟ ହୋଇଥିବା ଜମିର ବେଞ୍ଚମାର୍କ ମୂଲ୍ୟକୁ ହିସାବକୁ ନେଇ ହୋଲଡିଂ ଟିକସ ଆଦାୟ କରୁଥିଲା। ୨୦୧୦ ମସିହାରେ ଏଥିରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଥି‌େଲ ହେଁ ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ନୂଆ ନିୟମ ଲାଗୁ ହୋଇପାରି ନ ଥିଲା। କିନ୍ତୁ କୋଭିଡ୍‌ ପୂର୍ବରୁ ୨୦୧୯ ମସିହାରେ ବିଏମ୍‌ସି ନୂଆ ନିୟମ ଲାଗୁ କରିଥିଲା। ସେତେବେଳେ ବି ହାଇେ‌କାର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ଏହା ଅଟକିଥିଲା। ହେଲେ ପରେ ବିଏମ୍‌ସି ହାଇକୋର୍ଟରୁ ନୂଆ ନିୟମ ଅନୁଯାୟୀ ୫୦% ହୋଲଡିଂ ଟିକସ ଆଦାୟ କରିପାରିବ ବୋଲି ଅନୁମତି ଆଣିଥିଲା। କିନ୍ତୁ ଯେଉଁମାନେ ସହିଦନଗର ଭଳି ଅଞ୍ଚଳରେ ବର୍ଷକୁ ୮୦୦ରୁ ୯୦୦ଟଙ୍କା ପର୍ଯ୍ୟନ୍ତ ହୋଲଡିଂ ଟିକସ ଦେଉଥିଲେ ସେମାନେ ଏବେ ବର୍ଷକୁ ୨୪ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ହୋଲଡିଂ ଟିକସ ଦେବାକୁ କୁହାଯାଉଛି। ରାଜଧାନୀରେ ସବୁ ଅଞ୍ଚଳରେ ହୋଲଡିଂ ଟିକସ ୧୦ରୁ ୩୦ଗୁଣା ପର୍ଯ୍ୟନ୍ତ ବଢ଼ିଯାଇଥିବାରୁ ଲୋକଙ୍କ ପାଇଁ ହୋଲଡିଂ ଟିକସ ଏକ ବୋଝ ହୋଇଯାଇଛି।

କେଉଁ ହିସାବରେ ଆଦାୟ ହେଉଛି ହୋଲଡିଂ ଟିକସ
ଆବାସିକ ହୋଲଡିଂ ଟିକସ ଆଦାୟ ପାଇଁ ଏବେ ଜମି ଓ ଘରର ମୂଲ୍ୟକୁ ହିସାବକୁ ନେଇ ୧୭.୫% ଟିକସ ଆଦାୟ ହେଉଛି। ଏଥିରେ ହୋଲଡିଂ ଟିକସ ବାବଦକୁ ୧୦%, ଲାଟ୍ରିନ୍ ଟ୍ୟାକ୍ସ ବାବଦକୁ ୨.୫% ଏବଂ ଷ୍ଟ୍ରିଟଲାଇଟ୍‌ ବାବଦକୁ ୫% ହିସାବରେ ମୋଟ୍‌ ୧୭.୫% ହୋଲଡିଂ ଟିକସ ଆଦାୟ ହେଉଛି। ବିଏମ୍‌ସିର ହୋଲଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର)ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ପୁଣି ଏଥିରେ ହୋଲଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ‌ଟଙ୍କା ହେବ ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହି ମୂଲ୍ୟର ୧୭.୫% ଜଣେ ବର୍ଷକୁ ହୋଲଡିଂ ଟିକସ ବାବଦକୁ ଦେବ।

ପ୍ରତିବର୍ଷ ୧୦% ବଢ଼ୁଛି ବେଞ୍ଚମାର୍କ ମୂଲ୍ୟ
ରାଜଧାନୀରେ ହୋଲଡିଂ ଟିକସ ବଢ଼ିବା ପାଇଁ ବିଏମ୍‌ସି ଯେତିକି ଦାୟୀ ନୁହେଁ; ତାହାଠାରୁ ଅଧିକ ଦାୟୀ ରାଜସ୍ବ ବିଭାଗ। କାରଣ ବିଭାଗ ଅଧିକ ରାଜସ୍ବ ପାଇବା ଆଶାରେ ପ୍ରତିବର୍ଷ ବିଭିନ୍ନ ମୌଜାର ଜମିର ବେଞ୍ଚମାର୍କ ମୂଲ୍ୟ ବଢ଼ାଇ ଚାଲିଛି। ଏପରିକି ଜମି କିଣାବିକା ହେଉ କି ନହେଉ ପ୍ରତିି ବର୍ଷ ବେଞ୍ଚମାର୍କ ମୂଲ୍ୟ ୧୦%ବଢ଼ିବ ବୋଲି ରାଜସ୍ବ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବା ରାଜସ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି। କେବଳ ଏତିକି ନୁହେଁ; ସର୍ବନିମ୍ନ ୧୦% ବଢ଼ିବ, ଏହାଠାରୁ ଅଧିକ ବି ବଢ଼ିପାରିବ। ଏଥିପାଇଁ ସବ୍‌ଡିଭିଜନ୍ କମିଟି ପ୍ରଥମେ ପ୍ରସ୍ତାବ ଦେବ। ଏହାପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସୁଥିବା ଜିଲ୍ଲାସ୍ତରୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏପରିକି ସବ୍‌ଡିଭିଜନ୍ କମିଟି ଯେଉଁ ପ୍ରସ୍ତାବ ଦେଇଥିବ ଜିଲ୍ଲାସ୍ତରୀୟ କମିଟି ଏହାକୁ ବଢ଼ାଇପାରିବ। ଯେଉଁଥିପାଇଁ ରାଜଧାନୀରେ ଜମିର ମୂଲ୍ୟ ଆକାଶଛୁଆଁ ହୋଇଯାଇଛି। ରାଜଧାନୀରେ ସବୁଠୁ ଅଧିକ ଜମି କିଣାବିକା ହେଉଥିବାରୁ ଏହି କମିଟି ଅଧିକ ରାଜସ୍ବ ଆଦାୟ ନିଶାରେ ମନଇଚ୍ଛା ବେଞ୍ଚମାର୍କ ମୂଲ୍ୟ ବଢ଼ାଇ ଦେଇଛି। ଯେଉଁଥିପାଇଁ ରାଜଧାନୀରେ ଅଧିକାଂଶ ଅଞ୍ଚଳରେ ଏବେ ଜମିର ବେଞ୍ଚମାର୍କ ମୂଲ୍ୟ ଗତ ୨୦ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ୪୦ଗୁଣା ବଢ଼ିଯାଇଛି। ଯେଉଁଥିପାଇଁ ରାଜଧାନୀରେ ପୂର୍ବରୁ କମ୍‌ ଦାମ୍‌ରେ ଜମି କିଣି ଘର କରିଥିବା ଲୋକଙ୍କୁ ଏବେ ହୋଲଡିଂ ଟିକସ ବୋଝ ବାଧୁଛି।