ବିଜୁ ବାବୁଙ୍କୁ ଏମିତି ସମ୍ମାନ…

ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ନଷ୍ଟ, ସ୍ଥିତି ଦେଖି ନାକ ଟେକୁଛନ୍ତି ବାହାର ଅତିଥି

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରତିମୂର୍ତ୍ତି ସମେତ ଏହାର ଆଖପାଖ ଅଞ୍ଚଳର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଥିପ୍ରତି ନା ପ୍ରଶାସନର ନିଘା ଅଛି ନା କୌଣସି ସଚେତନ ନାଗରିକଙ୍କର। ଜନ୍ମ କିମ୍ବା ଶ୍ରାଦ୍ଧ ବାର୍ଷିକରେ ପ୍ରତିମୂର୍ତ୍ତିରେ ଗେଣ୍ଡୁମାଳ ପକାଇଦେଇ ନିଜ ନିଜ ବାଟରେ ଚାଲି ଯାଉଛନ୍ତି। ବର୍ଷ ଯାକ ପ୍ରତିମୂର୍ତ୍ତି ଅବସ୍ଥା କ’ଣ ହେଉଛି ତାହା ଉପରେ ନଜର ରଖିବାକୁ କେହି ନାହାନ୍ତି। ଏବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରାସ୍ତାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟ ପରିସ୍ଥିତି ଏମିତି ହେଲାଣି ଯେ ବାହାର ରାଜ୍ୟରୁ ଆସୁଥିବା ଲୋକେ ନାକ ଟେକିଲେଣି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୨୦୧୬ ମସିହା ମାର୍ଚ୍ଚ ୫ ତାରିଖରେ ଏୟାରପୋର୍ଟ ଛକରେ ବିଜୁ ବାବୁଙ୍କ ଏକ ୧୮ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଥିଲେ। ଏହି ପ୍ରତିମୂର୍ତ୍ତି ପାଇଁ ପ୍ରାୟ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରତିମୂର୍ତ୍ତିର ଚାରିପାଖରେ ଜଳ ଫୁଆରା କରାଯିବା ସହ ଅଲୋକୀକରଣ, ଫୁଲ ଗଛ ରୋପଣ ହୋଇଥିଲା। ରାତିରେ ଏହି ସ୍ଥାନ ବହୁତ ଆକର୍ଷଣୀୟ ହେବା ସହ ଯୁବ ପିଢ଼ିଙ୍କ ସେଲ୍ଫି କର୍ଣ୍ଣର ପାଲଟିଥିଲା। ଓଡ଼ିଶାର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରାଜ୍ୟ ତଥା ଦେଶ ବାହାରର ଅତିଥିଙ୍କୁ ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।

ତେବେ ୫ ବର୍ଷ ହୋଇନି ସବୁ କିଛି ବିଗିଡ଼ି ଯାଇଛି। ଦିନେ ରାଜଧାନୀର ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିଥିବା ଏହି ପ୍ରତିମୂର୍ତ୍ତି ସ୍ଥଳ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇଯାଇଛି। ପ୍ରତିମୂର୍ତ୍ତି ଚାରିପାଖର ସୌନ୍ଦର୍ଯ୍ୟ ଭୁଶୁଡ଼ି ଯାଇଛି। ଜଳ ଫୁଆରା ଚାଲିବା ପାଇଁ ପାଣି ନାହିଁ କି ଫୁଲ ଗଛ ନାହିଁ। ଆଲୋକ କଥା ନ କହିବା ଭଲ। କିଛି ଲାଇଟ୍‌ ଅଛି ଆଉ କିଛି ଚୋରି ହୋଇଗଲାଣି। ମାସ ମାସ ଧରି ଏହା ଚାଲୁ ନ ଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ବଡ଼ କଥା ହେଉଛି ଯେ ନବୀନ ନିବାସ ଠାରୁ ମାତ୍ର କେଇ ମିଟର ଦୂରରେ ଏହି ପ୍ରତିମୂର୍ତ୍ତିର ଯଦି ଏମିତି ରକ୍ଷଣାବେକ୍ଷଣ କରାଯାଉଛି ତେବେ ରାଜ୍ୟର ଅନ୍ୟ ସ୍ଥାନର ସ୍ଥିତି କ’ଣ ଥିବ ଏଥିରୁ ସ୍ପଷ୍ଟ ଅନୁମେୟ।

ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଆଜି ଟୁଇଟ୍‌ କରି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଓ ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଯେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ବିଜୁ ବାବୁ ରହିଛନ୍ତି। ତେବେ ବିମାନବନ୍ଦରରେ ଥିବା ବିଜୁବାବୁଙ୍କ ଏହି ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରା ନ ଯିବା ଦୁର୍ଭାଗ୍ୟର ବିଷୟ। ଓଡ଼ିଶାକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କ ନଜରରେ ଏହା ପଡୁଛି। ତେଣୁ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର